ଗପ ଓ କବିତା ପଛର କାହାଣୀ କହିଲେ ମା’ ଝିଅ

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ର ଦ୍ୱିତୀୟ ଦିନ

0 119

ମୁଁ ତା’ ଗପର ପ୍ରଥମ ପାଠିକା: ପ୍ରତିଭା ଶତପଥୀ

ମୋ ମା ଆଜନ୍ମ କବି: ପାରମିତା ଶତପଥୀ

ଦ୍ୱିତୀୟ ଦିବସର ଶେଷ ପର୍ଯ୍ୟାୟରେ ଆଲୋଚ୍ୟ ବିଷୟବସ୍ତୁ ଥିଲା ‘ଲେଖାରେ ବଂଶାନୁକ୍ରମିକ ପ୍ରଭାବ’। ଏହିଭଳି ଏକ ବିଶେଷ ଅଧିବେଶନକୁ ବିଭୋର କରିଥିଲେ ବିଶିଷ୍ଟ କବୟିତ୍ରୀ ପ୍ରତିଭା ଶତପଥୀ ଏବଂ ଗାଳ୍ପିକା ପାରମିତା ଶତପଥୀ। ମା-ଝିଅଙ୍କ ସହ କଥୋପକଥୋନ ଭିତ୍ତିରେ ବହୁ ରହସ୍ୟକୁ ଉନ୍ମୋଚନ କରିଥିଲେ ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର।

ପାରମିତା ନିଜ ଅଭିବ୍ୟକ୍ତି ରଖି କହିଲେ, ସମସ୍ତେ ଶୋଇଯିବା ପରେ ମା ମଶାରି ଭିତରେ ଲାଇଟ୍‌ ଜଳେଇ ଲେଖନ୍ତି। ତଥାପି ମା କୁହନ୍ତି ମୁଁ ଲେଖିବାକୁ ଥିବା ଆହୁରି କେତେ ଶବ୍ଦ ରହିଗଲେ। ପୁଣି ମା’ ପ୍ରଶ୍ନ କରନ୍ତି ମୁଁ କ’ଣ ଯାହା ଚାହୁଁଥିଲି ତାହା ଲେଖିପାରିଲି ? ମା’ଙ୍କର ଏଇ କଥା ମତେ ଏକାତ୍ମ କରେ। ମୁଁ ଏଥିରେ ଘାରି ହୁଏ। ମା’ଙ୍କ ମୁଗ୍ଧ ବିସ୍ମୟ ଭାବ ମୋ ଭିତରେ ରହସ୍ୟ ସୃଷ୍ଟି କରେ।

କବୟିତ୍ରୀ ପ୍ରତିଭା କହିଲେ ପାରମିତା ହାଇସ୍କୁଲ୍‌ରେ ପଢ଼ିବା ବେଳେ ତା ଖାତାରୁ କିଛି କବିତା ଆବିଷ୍କାର କରିଥିଲି। ଯେଉଁଠୁ ତା’ର ସୃଜନର ପରିଚୟ ପାଇଯାଇଥିଲି। ମାତ୍ର ଦିନେ କେହିଜଣେ ପାରମିତାକୁ ଇଂରାଜୀରେ ଲେଖିବା ପାଇଁ କହିଲେ। ପାରମିତା ଏ ସମ୍ପର୍କରେ ମତେ କହିବାରୁ ମୁଁ ତାକୁ କହିଥିଲି, ମଣିଷ ଯେଉଁ ଭାଷାରେ ସ୍ୱପ୍ନ ଦେଖେ ସେଇ ଭାଷାରେ ଲେଖିବା ଉଚିତ୍‌। ତେବେ ଯାଇ ସେ ଲେଖା ଯଥାର୍ଥ ରୂପ ନେବ। ମତେ ପାରମିତାର ଅନେକ ଗଳ୍ପ ଯଥା ବିରଳ ରୂପକ, କାର୍ଗିଲ୍‌ ମା, ପ୍ରାପ୍ତି ଗଳ୍ପ ବେଶ୍‌ ପ୍ରଭାବିତ କରିଛି। ମୁଁ ତା ଗଳ୍ପର ପ୍ରଥମ ପାଠିକା ହେଲେ ସେ ମୋ ଲେଖାର ପ୍ରଥମ ପାଠିକା ହୋଇପାରେନି। ମୁଁ ବୋଧେ ଲେଖାଲେଖି କରୁଥିବାରୁ ମୋ’ ପ୍ରତି ପାରମିତାର ସମ୍ମାନବୋଧ ଅଧିକ ଥାଏ ବୋଲି ମୋ’ର ହୃଦବୋଧ ହୁଏ ବୋଲି ପ୍ରତିଭା କହିଥିଲେ।

ପାରମିତା ନିଜ ଲେଖକୀୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସମ୍ପର୍କରେ ମତ ରଖି କହିଲେ, ମୁଁ ଯେତେବେଳେ ଚାକିରି କରି ସଂସାର କଲି ଭାବିଲି ଲେଖାଲେଖି କରିବିନି। କିନ୍ତୁ ମା ହିଁ ମତେ ବୁଝେଇ କହିଥିଲେ, ହୁଏତ ଦିନ ଆସିବ ତୋ ପାଖେ କେହି ନଥିବେ। କିନ୍ତୁ ଶବ୍ଦ ସହିତ ତୋ’ର ଏହି ସମ୍ପର୍କ ତୋ ସାଙ୍ଗେ ସାରା ଜୀବନ ରହିଥିବ। ଶବ୍ଦ ଓ ଭାବ ଆଜନ୍ମ ତୋ ହାତ ଧରି ଚାଲୁଥିବେ।

ଶେଷରେ ଅଖିଳଙ୍କ ଗପ

ଅଖିଳ ମୋହନ ପଟ୍ଟନାୟକଙ୍କ ଗଳ୍ପ ପାଠ କରି ଶୀତୁଆ ସଂଜରେ ଉଷ୍ମତା ଭରିଥିଲେ ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର। ସନ୍ଧ୍ୟାର ଶେଷ ପର୍ଯ୍ୟାୟରେ ସଂଗୀତର ତାଳେତାଳେ ହାଲ୍‌କା ଆଲୁଅ ଭିତରେ ବସି ରହି ଗଳ୍ପ ଉପଭୋଗ କରିବା ବେଶ୍‌ ଆମୋଦଦାୟକ ହୋଇଥିଲା। ଏହିଭଳି ଏକ ଅଭିନବ ପରିକଳ୍ପିତ ଗପ କୁହା କାର୍ଯ୍ୟକ୍ରମକୁ ଶତାଧିକ ରସିକ ସ୍ରୋତା ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.