ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ରାଜ୍ୟସ୍ତରୀୟ ଶ୍ରାଦ୍ଧ ସଭା : ଜାନକୀ ବାବୁ ଜଣେ ବହୁମୁଖୀ ପ୍ରତିଭା ଥିଲେ

ଭୁବନେଶ୍ୱର : ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଓଡ଼ିଶାକୁ ଏକ ସ୍ଥିର ସରକାର ଦେଇଥିଲେ। ଓଡ଼ିଶାର ବିକାଶ ପାଇଁ ସେ ସର୍ବଦା ଉଦ୍ୟମ ଜାରି ରଖିଥିଲେ। ଶିକ୍ଷା, ସଂସ୍କୃତି, ସାମ୍ବାଦିକତା ଓ ରାଜନୀତିରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସେ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି। ଜାନକୀ ବଲ୍ଲଭ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ସ୍ମୃତିଚାରଣ କରି ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଏହି ମତ ଦେଇଛନ୍ତି।

ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ହୋଟେଲ ରୟାଲ ସୁଟ୍‌ରେ ଆୟୋଜିତ ଶ୍ରାଦ୍ଧ ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଜାନକୀ ବଲ୍ଲଭଙ୍କ ବିଷୟରେ ଓଡ଼ିଶା ବାସୀଙ୍କୁ କିଛି କହିବା ଆବଶ୍ୟକ ନାହିଁ। ସେ ପ୍ରତି ଘରେ ପରିଚିତ। ଏପରିକି କଂଗ୍ରେସ କହିଲେ ତାଙ୍କୁ ବୁଝାଉଥିଲା। ତାଙ୍କ ପରି ବ୍ୟକ୍ତିତ୍ୱ ମିଳିବା କଷ୍ଟକର। ତାଙ୍କର ସବୁଠୁ ଭଲ ଗୁଣ ହେଲା ସେ ଯାହାକୁ ଭଲ ପାଆନ୍ତି ତାକୁ ସେ ସହଜରେ ଛାଡ଼ନ୍ତିନି। ଓଡ଼ିଶାରେ ଶିଳ୍ପ ଖୋଲିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ। ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ଖୋଲିବାର ପରିକଳ୍ପନା ଆଜି ପୂର୍ଣ୍ଣ ରୂପ ନେବାକୁ ଯାଉଛି।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ମୁଁ ରାଜନୀତିରେ ଜାନକୀ ବାବୁଙ୍କ ପ୍ରବଳ ବିରୋଧୀ ଥିଲି। କିନ୍ତୁ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଯେଉଁ ଅବଦାନ ଅଛି ତାକୁ ମୁଁ ସର୍ବଦା ସମ୍ମାନ କରିଛି। ତାଙ୍କୁ ବିଧାନସଭାରେ ମୁଁ ଯେତେ ବିରୋଧ କଲେ ବି ସେ ବିନମ୍ରତାର ସହ ମୋ ସହ ବ୍ୟବହାର କରନ୍ତି। ସେ ଜଣେ ଲୋକପ୍ରିୟ ରାଜ୍ୟପାଳ ଭାବେ ଆସାମରେ ଛାପ ଛାଡ଼ି ଯାଇଛନ୍ତି। ମୋ ରାଜନୈତିକ ଜୀବନରେ ମୁଁ ଯେତିକି ଜାଣିଛି ଜାନକୀ ବାବୁଙ୍କ ଭଳି ପ୍ରଶାସନିକ ଦକ୍ଷତା ଆଉ କାହା ନିକଟରେ ନାହିଁ।

ପୂର୍ବତନ ବାଚସ୍ପତି ଶରତ କର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଯେ, ମୁଁ ଜାନକୀ ବାବୁଙ୍କୁ ଅତି ନିକଟରୁ ଦେଖିଛି। ତାଙ୍କ ଠାରୁ ବହୁତ କିଛି ଶିଖିଛି। ସେ ଜଣେ ବହୁମୁଖୀ ପ୍ରତିଭା ଥିଲେ। ବର୍ତ୍ତମାନ ସମୟରେ ତାଙ୍କ ତୁଳନା ଆଉ କାହା ସହ କରିହେବନି। କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ତାଙ୍କ ବକ୍ତବ୍ୟରେ ଜାନକୀ ବଲ୍ଲଭଙ୍କ ଗୁଣଗାନ କରିଥିଲେ। ଏହାସହ ଜାନକୀ ବଲ୍ଲଭଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସହ ତିରୁପତିରେ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ କହିଥିଲେ।ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ସାହିତ୍ୟିକା ତଥା ସମାଜସେବୀ ମନୋରମା ମହାପାତ୍ର, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମାଜସେବୀ କିଶନଲାଲ ଭରତୀୟା ଏବଂ ଶିକ୍ଷାବିତ୍‌ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କମିଟିର କାର୍ଯ୍ୟକାରୀ ସଭାପତି ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟିର କୋଷାଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର