ଋଣବୋଝ ପରେ ବିହନ ଚିନ୍ତା : ଜୀବନ ହାରିଲେ ୨ ଚାଷୀ

ସମ୍ବଲପୁର/ବରଗଡ଼ : ଥମୁନି ଚାଷୀ ଆତ୍ମହତ୍ୟା। ଦୁଇଦିନରେ ଆଉ ଦୁଇ ଜଣ ଚାଷୀଙ୍କ ଜୀବନ ଯାଇଛି। ରବିବାର ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବରଗଡ଼ ଜିଲ୍ଲା ଧାଙ୍ଗେର ଗ୍ରାମର ଜଣେ ଚାଷୀଙ୍କ ମୃତ୍ୟୁ ହେବାର ଦିନକ ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗୋଚ୍ଛରା ଗାଁର କ୍ଷୁଦ୍ର ଚାଷୀ ବିମଳ କିସାନ(୨୬) ବିଷ ପିଇ ପ୍ରାଣ ହରାଇଛନ୍ତି। ନକଲି ବିହନ ବିମଳଙ୍କ ଆତ୍ମହତ୍ୟାର କାରଣ ବୋଲି ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ବିମଳଙ୍କ ସାଢ଼େ ୪ ଏକର ଜମି ରହିଛି। ଏଥିରୁ ୧ ଏକର ଜମିରେ ବିହନ ପକାଇ ପହ୍ଲା ରୋଇଥିଲେ। ମାତ୍ର ବିହନ ନଷ୍ଟ ହୋଇଯାଇଥିଲା। ଏଥିରେ ବିମଳ ବିବ୍ରତ ହୋଇ ପଡ଼ିଥିଲେ। କୃଷି ଶ୍ରମିକଙ୍କୁ କିଭଳି ମଜୁରି ଦେବେ ସେ ନେଇ ସେ ଚିନ୍ତାରେ ଥିଲେ। ସୋମବାର ସକାଳ ୫ଟାରେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନା ଅଣା ଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରା ଯାଇଛି। ବିମଳ ନବବିବାହିତ ଥିଲେ। ନକଲି ବିହନ ଯୋଗୁଁ ତାଙ୍କ ଚାଷ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ପ୍ରକାଶଥାଉ କି, ଫସଲହାନୀ ଯୋଗୁଁ ଚିନ୍ତାଗ୍ରସ୍ତ ହୋଇ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଧାଙ୍ଗେର ଗ୍ରାମର ଚାଷୀ ମାୟାଧର ଦୀପ (୫୫) ବିଷ ପିଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର