ବଜ୍ରାଘାତରେ ୨ ମହିଳା ମୃତ

ଦୁର୍ଘଟଣାରେ ବାପ, ପୁଅ ମୃତ

କୋକସରା/ବେହେରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମରେ ଗୁରୁବାର ବଜ୍ରପାତ ଘଟି ୨ ମହିଳାଙ୍କ ମୃ୍ତ୍ୟୁ ଘଟିଛି। ସେମାନେ ହେଲେ ଭୂମିସୁତା ଗୋପାଳ (୪୦) ଓ ଜଏମନି ଗୋପାଳ (୩୮)।

ସୂଚନା ମୁତାବକ, ଗୁରୁବାର ଅପରାହ୍‌ଣ ୪ଟା ସମୟରେ ବେହେରା ଗ୍ରାମ ବସ୍ତିପଡ଼ାର ଭୂମିସୁତା, ଜଏମନି ଓ ଅନ୍ୟ ୨ ଜଣ ମହିଳା ଶୌଚ ପାଇଁ ଗାଁ ପାଖ ପୋଖରୀକୁ ଯାଇଥିଲେ। ‌ଶୌଚ ସାରି ଘରକୁ ଫେରୁ୍‌ଥିବା ବେ‌ଳେ ବଜ୍ରପାତ ହୋଇଥିଲା। ଫଳରେ ଭୂମିସୁତା ଓ ଜଏମନି ଗୁରୁତର ଆହତ ହୋଇଥିଲେ। ଅନ୍ୟ ଦୁଇ ଜଣ ବର୍ତ୍ତି ଯାଇଥିଲେ। ପରିବାର ଲୋକ ଭୂମିସୁତାଙ୍କୁ ପର୍ଲା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଜଏମନିଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଦୁର୍ଘଟଣାରେ ବାପ, ପୁଅ ମୃତ

ରେଢ଼ାଖୋଲ : ଗୁରୁବାର ସଂଧ୍ୟା ୫ଟା ସମୟରେ ବାହାଘର ଭୋଜି ଖାଇ ବାଇକ୍‌ରେ ଫେରୁଥିବା ବେଳେ ବାପା-ପୁଅଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମଝିଆ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗାଁର ବିଶି ମିର୍ଦ୍ଧା (୩୫) ଓ ତାଙ୍କ ମଝିଆ ପୁଅ ବାପି (୯) ଓ ସାନ ପୁଅ ସୁନୀଲ (୬) ଗୁରୁବାର ସକାଳୁ ଏକ ବାହାଘର ଭୋଜିରେ ଯୋଗଦେବାକୁ ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ଭାଂଗମୁଣ୍ଡା ଗାଁକୁ ଯାଇଥିଲେ। ବାଇକରେ ଘରକୁ ଫେରୁଥ‌ିଳା ବେଳେ ଏନଏଚ ୫୫ କୁଟାସିଂଗା ନିକଟରେ ସମ୍ବଲପୁର ପଟୁ ଆସୁଥିବା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ବାପା ବିଶି ମିର୍ଦ୍ଧା ଓ ସାନ ପୁଅ ସୁନୀଲଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର