୬ ବର୍ଷ ଶିଶୁର ବୀଭତ୍ସ ଚେହେରା : ମୁହଁ ଓ ଦେହସାରା ଲୋମ ବଢ଼ୁଛି, ବଡ଼ବଡ଼ ଫୋଟକା ବି ହୋଇଛି

ଦୁର୍ବିସହ ଜୀବନ; ସହଯୋଗ ଲୋଡ଼ିଲେ ବାପାମା’

ଭଂଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ବାଘୁଆ ଗ୍ରାମର ଏକ ୬ ବର୍ଷର ଶିଶୁ ମୁହଁରେ ଲୋମ ବଢ଼ୁଛି। ମୁହଁସାରା ବି ଫୋଟକା। ଏମିତି ଚେହେରା ହୋଇଛି, ଶିଶୁଟି ନିଜେ ନିଜ ମୁହଁକୁ ଦର୍ପଣରେ ଦେଖି ଡରୁଛି। ଏହି ଚେହେରା ପାଇଁ ବି ସେ ବାହାରକୁ ବାହାରି ପାରୁନି। ପ୍ରତିମୁହୂର୍ତ୍ତରେ  ଏକ ଦୁର୍ବିସହ ଜୀବନ ବିତାଉଛି ଏହି ଶିଶୁଟି।

ଏହି ଶିଶୁ ହେଉଛି , ରାମଚନ୍ଦ୍ର ନାଇକ ଓ ମମତା ନାଇଙ୍କ ପୁଅ କାହ୍ନା। ରାମଚନ୍ଦ୍ରଙ୍କ କହିବା ଅନୁସାରେ, ତାଙ୍କ ପୁଅ ସ୍ୱାଭାବିକ ଭାବେ ଜନ୍ମ ନେଇଥିଲା। ୬ ମାସ ବେଳକୁ ଧୀରେ ଧୀରେ ଶରୀରର ମୁହଁ ସମେତ  ଅଧାଭାଗ, ଦୁଇଟି ଗୋଡ଼, ହାତ ଆଦି ସ୍ଥାନରେ ଲୋମ ବାହାରିବା ଆରମ୍ଭ ହୋଇଥିଲା। ମୁହଁରେ ବଡ ବଡ ଫୋଟକା ବାହାରି ପଡ଼ିଥିଲା। ଫଳରେ ବ୍ରହ୍ମପୁର ମେଡିକାଲକୁ ୨ ଥର ନେଇ କାହ୍ନାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କିନ୍ତୁ ଏହି ଦୂରାରୋଗ୍ୟର ଚିକିତ୍ସା ହୋଇପାରିବନି ବୋଲି କହି ଡାକ୍ତର  ଫେରାଇଦେଲେ। ଫଳରେ ସେହି ଦିନଠୁ କାହ୍ନାର ଜୀବନ ଯେମିତି ଅଭିଶପ୍ତ ପାଲଟିଯାଇଛି। ପୁଅକୁ ଧରି କୁଆଡେ ଯିବେ, ଏହାକୁ ନେଇ ରାମଚନ୍ଦ୍ର ଓ ମମତା ଚିନ୍ତାରେ ପଡ଼ିଛନ୍ତି।

ଏଭଳି ଦୁରାବସ୍ଥା ପାଇଁ ବେଳେ ବେଳେ ସାହିପଡ଼ୋଶୀଙ୍କୁ ଟାହିଟାପରା ଶୁଣିବାକୁ ପଡୁଥିବା ରାମଚନ୍ଦ୍ର କହନ୍ତି। ଗତବର୍ଷ କଳିଙ୍ଗପଦର ବାଘସାହି ପ୍ରାଥମିକ ବିଦ୍ୟାଳୟକୁ ନାମ ଲେଖାଇବା ପାଇଁ କାହ୍ନାକୁ ନେଇଥିଲେ।  ହେଲେ କାହ୍ନାକୁ ଦେଖିଲେ କାଳେ ଅନ୍ୟ ପିଲା ଭୟଭୀତ ହେବେ, ଏଥିପାଇଁ ପ୍ରଧାନଶିକ୍ଷକ ନାଁ ଲେଖାଇବା ପାଇଁ ମନା କରିଦେଲେ।  ଫଳରେ ପାଠ ପଢିବା ଓ ଖେଳିବାକୁ ମନରେ ଇଚ୍ଛା ଥିଲେ ବି କାହ୍ନା ସେମିତି ଘରେ ପଡ଼ି ରହୁଛି। ଗାଁରେ ବି କୌଣସି ପିଲା ତା’ ସହ ଖେଳିବାକୁ ଇଚ୍ଛା ପ୍ରକାଶ କରୁ ନଥିବାରୁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି।

ଅନ୍ୟପକ୍ଷରେ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ କାହ୍ନାର ଚିକିତ୍ସା ବି ସମ୍ଭବପର ହୋଇପାରୁନି। ରାମ ବର୍ତମାନ ଖୋର୍ଦ୍ଧାର ଏକ କ୍ରସର କଂପାନିରେ କାମ କରୁଛନ୍ତି। ଆଉ ଘରେ ମମତା ପୁଅ କାହ୍ନା ସହ ଦୁଇ ବର୍ଷର ଝିଅ ସୁବାସିନୀ ଓ ବର୍ଷକର ଝିଅ ସଲୋନିକୁ ନେଇ ରହୁଛନ୍ତି। କିନ୍ତୁ ପୁଅର ଏଭଳି ଅବସ୍ଥାକୁ ନେଇ ରାମ ଓ ମମତା ଚିନ୍ତାରେ। କେବଳ ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି ରାମ କହନ୍ତି। କାହ୍ନାର ଉଚ୍ଚମାନର ଚିକିତ୍ସା ପାଇଁ ପ୍ରଶାସନ ତଥା ରାଜ୍ୟ ସରକାର ସହଯୋଗ କରିବା ପାଇଁ ସେ ଅନୁରୋଧ ଜଣାଇଛନ୍ତି।

ସମ୍ବନ୍ଧିତ ଖବର