ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକଙ୍କ ବଦଳି

କଟକ : ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ବଦଳି ହୋଇଛି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୯, ଫେବ୍ରୁଆରି ୧୩ ତାରିଖ ସୁଦ୍ଧା ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଝାଡଖଣ୍ଡ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ପଟ୍ଟନାୟକ ୨୦୧୪, ସେପ୍ଟେମ୍ବର ୨୪ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ବଦଳି ପରେ ସେ ୨୦୧୪, ଡିସେମ୍ବର ୨୨ରେ ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଭ‌େବ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ପଟ୍ଟନାୟକଙ୍କ ବଦଳି ପାଇଁ ୨୦୧୯, ଜାନୁଆରି ୧୦ରେ ସୁପାରିଶ କରିଥିଲେ। ୧୯୫୯, ଜୁନ୍ ୧୪ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ପ୍ରମଥ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ବିଜେବି କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୮୧ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତୋକତ୍ତର ପାସ କରିବା ପରେ ଭୁବନେଶ୍ବରସ୍ଥିତ ୟୁନିଭରସିଟି ଲ’ କଲେଜରୁ ଆଇନ ଡିଗ୍ରି ହାସଲ କରିଥିଲେ। ସେ ୧୯୮୬ରେ ଆଇନଜୀବୀ ଭାବେ ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସ୍ୟାଟ୍‌ରେ ଷ୍ଟାଣ୍ଡିଂ କାଉନସିଲ, ଗଭର୍ଣ୍ଣମେଣ୍ଟ ଆଡଭୋକେଟ୍ ଭାବେ ନିଯୁକ୍ତି ପାଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ହାଇକୋର୍ଟରେ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଓ ଅତିରିକ୍ତି ସରକାରୀ ଓକିଲ ଭାବେ ସେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର