ବଢ଼ୁଛି ମାନବାଧିକାର ଉଲ୍ଲଂଘନ ମାମଲା : ୬ ବର୍ଷ ହେବ ଅଧ୍ୟକ୍ଷ ପଦ ଖାଲି

ଭୁବନେଶ୍ୱର : ରାଜ୍ୟରେ ମାନବାଧିକାର ଉଲଂଘନ ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ପ୍ରତ୍ୟେକ ବର୍ଷ ୫ରୁ ୮ ହଜାର ମାମଲା ରୁଜୁ ହେଉଛି। କିନ୍ତୁ ଗତ ୬ ବର୍ଷ ହେବ କମିସନଙ୍କ ଅଧ୍ୟକ୍ଷ ପଦବି ଖାଲି ପଡ଼ିଛି। କେବଳ ଅଧ୍ୟକ୍ଷ ପଦ କାହିଁକି ଜଣେ ସଦସ୍ୟ ଓ ସଚିବଙ୍କ ପଦବି ମଧ୍ୟ ଖାଲି। ଫଳରେ ଅନେକ ଚର୍ଚିତ ମାମଲାର ଶୁଣାଣି ଶେଷ ହୋଇଥିଲେ ମଧ୍ୟ ରାୟ ପ୍ରକାଶ ପାଇ ପାରୁନାହିଁ। ଏହା ଛଡ଼ା କମିସନରେ କେହି ଅଧ୍ୟକ୍ଷ ନ ଥିବାରୁ ନିଜ ଆଡୁ ମାମଲା ରୁଜୁ କରି ହେଉନି।

ନିୟମ ଅନୁଯାୟୀ, କମିସନରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବା କଥା। ୨୦୧୨ ମସିହାର ଅଧ୍ୟକ୍ଷ ପଦବିରୁ ପୂର୍ବତନ ମୁଖ୍ୟ ବିଚାରପତି ଆରକେ ପାତ୍ର ଅବସର ନେଇଥିଲେ। ଦୁଇ ବର୍ଷ ତଳେ ସଦସ୍ୟ ପଦବିରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ହଠାତ୍‌ ଇସ୍ତଫା ଦେଇଥିଲେ। ଏବେ ଜଣେ ମାତ୍ର ସଦସ୍ୟ। ସେହି ସଦସ୍ୟ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ସଚିବ ପଦ ଗତ ଜୁନ ମାସରୁ ମଧ୍ୟ ଖାଲି ହୋଇଯାଇଛି। ଗୋଟିଏ ପରେ ଗୋଟିଏ ପଦବି ଖାଲି ହୋଇ ଯାଉଥିବାବେଳେ ମାନବାଧିକାର ଉଲଂଘନ ମାମଲା କିନ୍ତୁ କମିସନଙ୍କ ନିକଟରେ ବଢ଼ି ବଢ଼ି ଚାଲିଛି।

ମିଳିଥିବା ସୂଚନା ମୁତାବକ, ୨୦୧୫ରେ ୫ ହଜାର ୮୦୦ ମାମଲା ରୁଜୁ କରାଯାଇଥିବା ବେଳେ ୨୦୧୧୬ରେ ୮ ହଜାର ୨୭୬, ୨୦୧୭ରେ ୫ହଜାର ୯୩୯ଟି ମାମଲା ରୁଜୁ ହୋଇଥିଲା। ଏବେ ସୁଦ୍ଧା ୨୬ଶହଟି ମାମଲା କମିସନଙ୍କ ହସ୍ତଗତ ହୋଇ ସାରିଲାଣି। ଅଧିକାଂଶ ଅଭିଯୋଗ ପୁଲିସ ବିରୋଧରେ ଆସୁଛି। ବିଶେଷକରି ମିଥ୍ୟା ଏନ୍‌କାଉଣ୍ଟର, ହାଜତ ମୃତ୍ୟୁ, ହାଜତ ନିର୍ଯାତନା, ମିଥ୍ୟା ମାମଲା, ଏହା ତଳକୁ ଚିକିତ୍ସା ଅବହେଳା ଜନିତ ମାମଲା ରହିଛି।

କମିସନ ଅଧ୍ୟକ୍ଷ ପଦବି ଖାଲି ଥିବା ନେଇ ମାନବାଧିକାର କର୍ମୀମାନେ ଅସନ୍ତୋଷ ପ୍ରକଟ କରିଛନ୍ତି। ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି, ପାଖାପାଖି ୧୦ ହଜାର ମାମଲାର ଶୁଣାଣି ନ ହୋଇ ପାରି ବାକି ପଡ଼ିଛି। ସେଥିମଧ୍ୟରୁ କନ୍ଧମାଳ ଗୁମୁଡୁମାହାରେ ପୁଲିସର ଗୁଳି ବିନିମୟ, କୋରାପୁଟର ଗଙ୍ଗା କିଶାନି, ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଇସାକ ଦିଗାଲ ମୃତ୍ୟୁ ମାମଲା ଭଳି ଚର୍ଚିତ ମାମଲାର ଶୁଣାଣି ଶେଷ ହୋଇଥିଲେ ମଧ୍ୟ ରାୟ ପ୍ରକାଶରେ ବିଳମ୍ବ ହେଉଛି। ଏହା ଛଡ଼ା ମାନବାଧିକାର କମିସନରେ ଯେଉଁମାନେ ତଦନ୍ତ କରୁଛନ୍ତି ସେମାନେ ମଧ୍ୟ ପୁଲିସ ବିଭାଗ କର୍ମଚାରୀ। ତେଣୁ ସେମାନଙ୍କ ତଦନ୍ତର ନିରପେକ୍ଷତା ଓ ସ୍ୱଚ୍ଛତାକୁ ନେଇ ଶ୍ରୀ କାନୁନଗୋ ପ୍ରଶ୍ନ ଉଠାଇଛନ୍ତି।

ତୁରନ୍ତ ରାଜ୍ୟ ସରକାର ଅଧ୍ୟକ୍ଷ, ସଦସ୍ୟ ଓ ସଚିବ ପଦ ପୂରଣ କରିବାକୁ ଏକାଧିକ ମାନବାଧିକାରୀ କର୍ମୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର