ଭୁବନେଶ୍ୱର/ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଆଜି ଭୁବନେଶ୍ୱରରେ ପହଞ୍ଚିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆଦିଲ୍ଲୀରୁ ଅସ୍ଥି କଳସ ଆଣି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଏକ ଶୋଭାଯାତ୍ରା ମାଧ୍ୟମରେ ତାହାକୁ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଶୋଭାଯାତ୍ରା ସହ ଭଜନ, ସକୀର୍ତ୍ତନ ବି ହୋଇଥିଲା। ରାସ୍ତାର ଦୁଇ କଡ଼ରେ ବହୁ ଲୋକ ଠିଆ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ରାତିତମାମ ଦଳୀୟ କାର୍ଯ୍ୟାଳୟରେ ଅସ୍ଥିକୁ ସାଧାରଣ ଦର୍ଶନ ପାଇଁ ରଖାଯିବା ସହ ଭଜନ, ସଂକୀର୍ତ୍ତନର ଆୟୋଜନ କରାଯାଇଥିଲା।
ଆସନ୍ତାକାଲି ସକାଳୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବହୁ ନେତା ଅସ୍ଥି କଳସକୁ ନେଇ ପୁରୀ ମହୋଦଧି ଅଭିମୁଖେ ଯାତ୍ରା କରିବେ। ଭୁବନେଶ୍ୱର-ପୁରୀ ରାସ୍ତାର ବିଭିନ୍ନ ଛକରେ ଲୋକମାନେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଅଠର ନଳାରୁ ଏକ ପଦଯାତ୍ରା ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଯିବ। ପରେ ଦିଗବାରେଣୀ ଖୁଣ୍ଟି ନିକଟସ୍ଥ ସମୁଦ୍ର ବେଳାଭୂମିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ସେଠାରେ ଅସ୍ଥି ବିସର୍ଜନ କରାଯିବ। ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
୨୪ ତାରିଖ ସନ୍ଧ୍ୟାରେ ପ୍ରଦର୍ଶନୀ ପଡ଼ିଆରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ରାଜନୈତିକ ଦଳର ରାଜ୍ୟ କର୍ମକର୍ତ୍ତାମାନଙ୍କୁ ଆଜି ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଛି।
ଆଜିର ଅସ୍ଥି କଳସ ଶୋଭାଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗୋ, ଜୟନାରାୟଣ ମିଶ୍ର, ସୁରମା ପାଢ଼ୀ, ସମୀର ଦେ, ପ୍ରଦୀପ ନାୟକ, ସମୀର ମହାନ୍ତି, ନୟନ ମହାନ୍ତି ଓ ମାନସ ମହାନ୍ତିଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ।