ବାସୁଦେବପୁରରେ ମହତାବ-ନୀଳମଣି ଲଢ଼େଇ

‌ଭୋଟ ପେଡ଼ିର ପୁରୁଣା କଥା / ସ୍ବରାଜ ମିଶ୍ର

0

୧୯୬୭ ମସିହାରେ ବାସୁଦେବପୁରରେ ଏକ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା ଡକ୍ଟର ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟଙ୍କ ଭିତରେ। ଉଭୟ ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ଅବିଭାଜିତ ବାଲେଶ୍ୱର ଜିଲ୍ଲାର ଦୁଇଜଣ ଜନପ୍ରିୟ ନେତା। ସ୍ୱାଧୀନତା ପୂର୍ବରୁ ୧୯୪୬ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ନିର୍ବାଚନ ଜିଣି ସରକାର ଗଠନ କରିଥିଲା। ନୀଳମଣି ରାଉରରାୟ ମାତ୍ର ୨୮ ବର୍ଷ ବୟସରେ ୧୯୪୮ ମସିହାରେ ଦକ୍ଷିଣ-ବାଲେଶ୍ୱର ଆସନରୁ ଉପ-ନିର୍ବାଚନ ଜିଣି ଏହି ବିଧାନସଭାକୁ ଆସିଥିଲେ। ୧୯୫୨ରେ ଧାମନଗର, ୧୯୫୭ରେ ଚାନ୍ଦବାଲି (ଯୁଗ୍ମଆସନ) ଓ ୧୯୬୧ରେ ବାସୁଦେବପୁର ବିଧାନସଭା ଆସନରୁ ଜିଣି ନୀଳମଣି ଏହି ଅଞ୍ଚଳରେ ତାଙ୍କର ସ୍ଥିତି ଏଭଳି ଜମାଇ ସାରିଥିଲେ ଯେ, ତାଙ୍କୁ ହରାଇବା ଦୁଃସାଧ୍ୟ ମନେହେଉଥିଲା।

ସେହି ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ ଡକ୍ଟର ହରେକୃଷ୍ଣ ମହତାବ ସେତେବେଳକୁ ଜଣେ ରାଷ୍ଟ୍ରୀୟ ସ୍ତରର ନେତା। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ତଥା ବମ୍ବେର ରାଜ୍ୟପାଳ ପଦରେ ମଧ୍ୟ ରହିସାରିଥାନ୍ତି। ୧୯୬୭ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରୁ ବାହାରିଯାଇ ନିଜର ଜନକଂଗ୍ରେସ ଦଳ ଗଢ଼ିଥାନ୍ତି। ତେଣୁ କଂଗ୍ରେସର ନେତୃତ୍ବ ନେଉଥିବା ନୀଳମଣିଙ୍କୁ ବାସୁଦେବପୁରରେ ହରାଇବା ପାଇଁ ସେ ଏକ ଟାଣୁଆ ନେତାଙ୍କ ସନ୍ଧାନରେ ଥିଲେ। କିନ୍ତୁ ସେଭଳି ଯୋଗ୍ୟପ୍ରାର୍ଥୀ ନ ମିଳିବାରୁ ଶେଷ ମୁହୂର୍ତ୍ତରେ ସେ ନିଜେ ଭୁବନେଶ୍ୱର ଓ ବାସୁଦେବପୁର ଦୁଇଟି ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କଲେ। ବାସୁଦେବପୁରବାସୀ ନିଜ ଅଞ୍ଚଳର ଦୁଇ ତୁଙ୍ଗନେତା ମହତାବ ଓ ନୀଳମଣିଙ୍କ ମଧ୍ୟରେ ଏକ ଅଭୂତପୂର୍ବ ଲଢ଼େଇ ଦେଖିବାର ସୁଯୋଗ ପାଇଲେ।

୧୯୬୧ର କଂଗ୍ରେସ ସରକାର ବିରୁଦ୍ଧରେ ଥିବା ବ୍ୟାପକ ଦୁର୍ନୀତି ଅଭିଯୋଗ ନିର୍ବାଚନର ଏକ ମୁଖ୍ୟ ପ୍ରସଙ୍ଗ ଥିଲେ ମଧ୍ୟ ବାସୁଦେବପୁରରେ ନୀଳମଣିଙ୍କ ବ୍ୟକ୍ତିଗତ ଜନପ୍ରିୟତା କାରଣରୁ ତାଙ୍କ ସପକ୍ଷରେ ଅନେକ ସ୍ଥାନୀୟ ନେତା ଓ ସ୍ୱେଚ୍ଛାସେବୀ ଏକାଠି ହୋଇଥାନ୍ତି। ମାତ୍ର ନିର୍ବାଚନରେ ହଠାତ୍‌ ଦୋକ୍ତା, ରସଗୋଲା ଓ ଇଲିଶିମାଛ ପ୍ରସଙ୍ଗ ଆସି ସବୁକିଛି ଓଲଟ ପାଲଟ କରିଦେଲା। ନୀଳମଣି ରାଉତରାୟ ତାଙ୍କ ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ରେ ଏହି ପ୍ରସଙ୍ଗ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି।

‘‘ନିର୍ବାଚନ ପୂର୍ବରୂ ହଠାତ୍‌ ସମୁଦ୍ରରେ ଇଲିଶିମାଛ ଉଠିଥିଲେ। ନିର୍ବାଚନ ମଣ୍ଡଳୀଟିର ଦୀର୍ଘ ସମୁଦ୍ର ଉପକୂଳରେ ବହୁସଂଖ୍ୟକ ଧୀବର ବାସକରନ୍ତି। ଏଥର ଏତେ ମାଛ ଉଠିଥିଲେ ଯେ ଏଭଳି କେବେ ଦେଖାନଥିଲା। ପ୍ରଚାର କରିଦିଆଗଲା ଯେ, ହରେକୃଷ୍ଣ ମହତାବ ଜଣେ ମହାପୁରୁଷ। ଏଠାରେ ନିର୍ବାଚନରେ ତାଙ୍କ ଆବିର୍ଭାବ ହେତୁ ଏଭଳି ପ୍ରଚୁର ମାଛ ଧରିବାକୁ ମିଳୁଛି।… ମହତାବଙ୍କ ସାନଭାଇ ଗୋପୀନାଥ ଦାସ କହିବାକୁ ଲାଗିଲେ ଯେ, ବଡ଼ଭାଇଙ୍କ ବାମଚକ୍ଷୁରୁ ଗୋଟିଏ ଜ୍ୟୋତି ନିର୍ଗତ ହେଉଛି। ତାଙ୍କୁ ଦେଖିବା ପାଇଁ ସଭାସମିତିରେ ଲୋକ ଭିଡ଼ ଜମାଇଲେ।’’ ପୁଣି ଆସିଲା ଦୋକ୍ତା ଓ ରସଗୋଲା ପ୍ରସଙ୍ଗ।

‘‘ସେତେବେଳେ ଦୋକ୍ତା ଦର ବଢ଼ିଥାଏ। କିଲୋକର ଦାମ୍‌ ଥିଲା ନଅ ଟଙ୍କା। ମାତ୍ର ରସଗୋଲାର କିଲୋପ୍ରତି ଦର ଥିଲା ଛଅ ଟଙ୍କା। ପାଟିରେ ଦୋକ୍ତା ଜାକିବା ଗାଉଁଲି ଲୋକଙ୍କର ଗୋଟିଏ ଅଭ୍ୟାସ। ଦୋକ୍ତା ଦର ସେମାନଙ୍କୁ ବାଧୁଥାଏ। …. ତା’ର ସୁଯୋଗ ନେଇ ନିର୍ବାଚନ ସଭାମାନଙ୍କରେ ବୁଝାଇଦିଆଗଲା ଯେ, ଆମର ମା’ ବୁଢ଼ୀମାନେ ପାଟିରେ ଟିକେ ଟିକେ ଦୋକ୍ତା ଜାକନ୍ତି, ସେତିକି କଂଗ୍ରେସ ସରକାର ବରଦାସ୍ତ କରିପାରିଲେ ନାହିଁ…., ଯୋଗାଣମନ୍ତ୍ରୀ ନୀଳମଣି ରାଉତରାୟ ସକାଳେ ରସଗୋଲା ଜଳଖିଆ ଖାଆନ୍ତି ତେଣୁ ତା’ର ଦାମ କିଲୋ ପ୍ରତି ୬ଟଙ୍କା ହୋଇଛି।’’

ପରିଶେଷରେ କିନ୍ତୁ ମହତାବଙ୍କ ବ୍ୟକ୍ତିତ୍ବ ହିଁ ନିର୍ଣ୍ଣାୟକ ଭୂମିକା ନେଲା। ସେ ଇଲିଶି ମାଛର ମାୟା ହେଉ ବା ଦୋକ୍ତା-ରସଗୋଲାର ଅଦ୍ଭୁତ ତୁଳନା ବା କଂଗ୍ରେସ ସରକାର ବିରୋଧରେ ଜମାଟବନ୍ଧା ଜନଅସନ୍ତୋଷ, ଏ ସବୁର ପ୍ରଭାବରେ ନୀଳମଣି ନିର୍ବାଚନ ଜିତିପାରିଲେ ନାହିଁ। ଏହାଥିଲା ତାଙ୍କ ପାଇଁ ପ୍ରଥମ ପରାଜୟ। ଏହି ନିର୍ବାଚନରେ ଡକ୍ଟର ମହତାବ ୩୬୩୦୯ ଖଣ୍ଡ ଭୋଟ ପାଇଥିଲାବେଳେ ନୀଳମଣି ୧୫୭୬୫ ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.