ନବରଙ୍ଗପୁର: ନିଛାଟିଆ ସ୍ଥାନରେ ଆକ୍ରମଣ କରି ଲୁଟ୍ ମାମଲାରେ ନବରଙ୍ଗପୁର ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ଗୋଟିଏ ଗ୍ୟାଙ୍ଗର ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ନାବଳକ ରହିଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରୋହିତ ସୁନା (୧୮) ଓ ସନ୍ନ୍ୟାସୀ ହିଆଲ (୧୯)। କିନ୍ତୁ ପୁଲିସକୁ ଚକମା ଦେଇ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଇଲୁ ନାଗ ଓ ବିକାଶ ନାୟକ ଫେରାର ହୋଇଯାଇଛନ୍ତି। ଆଜି ନବରଙ୍ଗପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସଡିପିଓ ରବିନ୍ଦ୍ର କୁମାର ଜେନା ଓ ଥାନା ଅଧିକାରୀ ପ୍ରଭାଶଙ୍କର ନାୟକ ପୂରା ଘଟଣାର ପର୍ଦାଫାସ କରିଥିଲେ। କହିଥିଲେ ଯେ, ଗତ ମାସ ୨୪ତାରିଖ ଦିନ ରାତି ପ୍ରାୟ ୯ଟାରେ ଶାସନ ନିକଟରେ ହୋମଗାର୍ଡ ଦେବ ଦିଶାରୀଙ୍କୁ କିଛି ଯୁବକ ଅଟକାଇ ନିସ୍ତୁକ ମାଡ ମରି ଟଙ୍କା ଓ ମୋବାଇଲ ଛଡାଇ ନେଇ ଯାଇଥିଲେ। ଏନେଇ ଦେବ ଥାନାରେ ଏତଲା ଦେବାରୁ ପୁଲିସ କେସ ନମ୍ବର ୨୫୨ରେ ଅନୁଯାୟୀ ତଦନ୍ତ କରୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଚଳିତ ମାସ ୬ ତାରିଖରେ ନବରଙ୍ଗପୁରରୁ ଜଣେ ଶିକ୍ଷକ ପି.ଧନଞ୍ଜୟ ରାତି ୮ଟାରେ ପୋଡାଲଗୁଡା ଅଭିମୁଖେ ଯିବା ସମୟରେ ଅନୁରୂପ ଘଟଣା ଘଟିଥିଲା। ଦୁର୍ବୃତ୍ତ ମାଡ ମରି ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ। ପୁଲିସ ପୁଣି ଏକ ମାମଲା ରୁଜୁ କରିଥିବା ବେଳେ ଉଭୟ ଘଟଣା ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ନିଛାଟିଆ ସ୍ଥାନରେ ବାରମ୍ବାର ଏମିତି ଘଟଣା ଲୋକଙ୍କୁ ବି ଆତଙ୍କିତ କରିଥିଲା। ଏହାପରେ ଥାନା ଅଧିକାରୀ ପ୍ରଭା ଶଙ୍କର ନାୟକ ଏବଂ ଷ୍ଟାଫ ଏକ ନିର୍ଧିଷ୍ଟ ଅଞ୍ଚଳରେ ଚଢାଉ କରି ୪ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା।
ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୧୪ଟି ଦାବି ମୋବାଇଲ ସହ ୮ଟି ସାଧାରଣ ମୋବାଇଲ ଜବତ କରାଯାଇଥିଲା। ଜବତ ମୋବାଇଲ ମଧ୍ୟରେ ଲୁଟ୍ ହୋଇଥିବା ଦୁଇଟି ମୋବାଇଲ ଚିହ୍ନଟ କରାଯାଇ ସାରିଲାଣି। ଅନ୍ୟ ଗୁଡିକର ଯାଞ୍ଚ ଚାଲିଛି। ସେହିପରି ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି। ତଦନ୍ତ ଜାରି ରହିଛି ଏବଂ ଚେର କେତେ ଦୂର ଲମ୍ବିଛି ତଦନ୍ତ ଶେଷ ପରେ ସ୍ପଷ୍ଟ ହେବ। ଏହାବ୍ୟତୀତ ନବରଙ୍ଗପୁର ଥାନା ଅଞ୍ଚଳରେ ୩ମାସ ତଳେ ହୋଇଥିବା ଗୋଟିଏ ରାହାଜାନି ଏବଂ ମାଝିଗୁଡା ନିକଟରେ ହୋଇଥିବା ଡକାୟତି ମାମଲାର ମଧ୍ୟ ତଦନ୍ତ ଚାଲିଥିବାରୁ ପୁଲିସକୁ ଏଥିରେ ସଫଳତା ମିଳିବ ବୋଲି ଏସଡିପିଓ ଶ୍ରୀ ଜେନା କହିଛନ୍ତି।