ପାଣ୍ଡିଆନ୍ଙ୍କ ଘର ସମ୍ମୁଖରୁ ମହିଳାଙ୍କୁ ପୁଲିସ ଉଠାଇନେବା ଘଟଣା : ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କଲେ ସୋନାଲିକା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ଙ୍କ ଘର ସମ୍ମୁଖରୁ ସୋନାଲିକା ମହାନ୍ତି ନାମକ ଜଣେ ମହିଳାଙ୍କୁ ପୁଲିସ ଉଠାଇନେବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ପୁଲିସ ତାଙ୍କୁ ଭୁବନେଶ୍ୱରର ବିଭିନ୍ନ ଥାନା ବୁଲାଇବା ପରେ କଟକସ୍ଥିତ ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲା। ସେଠାରେ ନିର୍ଯାତନା ଦେବା ସହ କାହା ନିର୍ଦେଶରେ ପାଣ୍ଡିଆନଙ୍କ ଘରକୁ ଆସିଥିଲ ବୋଲି ପ୍ରଶ୍ନ କରିଥିଲା। ଏପରିକି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଥାରେ ଏଠାକୁ ଆସିଥିବା ଏବଂ ତାଙ୍କଠାରୁ ଟଙ୍କା ନେଇଥିବା ମାନିବା ନିମନ୍ତେ ବାଧ୍ୟ କରାଯାଇଥିଲା। ମାଷ୍ଟର କ୍ୟାଣ୍ଟିନ୍ସ୍ଥିତ ହୋଟେଲ ଯଯାତି ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ବିରୋଧରେ ଏପରି ବିଷ ଉଗାଳିଛନ୍ତି ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଆସୁଥିବା ସୋନାଲିକା। ଏ ଦିିଗରେ ଦୃୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୁଲିସ କମିସନର୍ଙ୍କୁ ଅନୁରୋଧ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୋନାଲିକା କହିଥିଲେ, ନ୍ୟାୟ ପାଇଁ ଦୀର୍ଘ ଦିନ ହେବ ଥାନାରୁ କୋର୍ଟ, କୋର୍ଟରୁ ଥାନା ଦୌଡ଼ି ନୟାନ୍ତ ହୋଇଗଲେଣି। ହେଲେ କେଉଁଠି ବି ତାଙ୍କୁ ନ୍ୟାୟ ମିଳୁନାହିଁ। ନିରାଶ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ପାଇଁ ସ୍ଥିର କରିଥିଲେ। ତେଣୁ ଗତ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ସମୟ ନେବା ପାଇଁ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ସରକାରୀ ବାସଭବନକୁ ଯାଇଥିଲେ। ଅନ୍ୟପକ୍ଷେ ଡିସିପି ଅନୁପ ସାହୁ କହିଛନ୍ତି ଯେ ସୋନାଲିକା ଆଣିଥିବା ଅଭିଯୋଗ ଭିତ୍ତିହୀନ ଏବଂ କପୋଳକଳ୍ପିତ।