ନାକ୍ଚି ଗଣଦୁଷ୍କର୍ମ ମାମଲା : ଅନୁଗୁଳରେ ହଜିଲେ, ଜଗତସିଂହପୁରରେ ଠାବ
ସ୍ୱାମୀଙ୍କୁ ଧରି ଭଉଣୀ ଘରକୁ ଗଲା ପୁଲିସ, ୭ ଜଣଙ୍କ ସଂପୃକ୍ତି, ଜଣେ ନାବାଳକ
କିଶୋରନଗର/ଅନୁଗୁଳ : ଗୁରୁବାର ରାତିରୁ କିଶୋରନଗର ନାକ୍ଚିରୁ ନିଖୋଜ ଥିବା ମହିଳାଙ୍କ ପତ୍ତା ମିଳିଛି। ଜଗତ୍ସିଂହପୁର ଟାଉନ୍ରେ ନିଜ ଭଉଣୀ ଘରେ ସଂପୃକ୍ତ ମହିଳାଙ୍କୁ ଠାବ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ୩୨ବର୍ଷିୟା ଏହି ପୀଡ଼ିତା ମହିଳାଙ୍କ ଶାଶୂ ଘର ଜଗତ୍ସିଂହପୁରର ଆଳି ପିଙ୍ଗଳରେ ହୋଇଥିବା ବେଳେ ତାଙ୍କ ସ୍ୱାମୀ ସମ୍ବଲପୁରରେ ଗାଡ଼ି ବ୍ୟବସାୟ କରନ୍ତି। ସେମାନେ ଗତ ଗୁରୁବାର ଛୋଟ ଝିଅକୁ ଧରି ସମ୍ବଲପୁରରୁ ନିଜ କାର୍ରେ ଗାଁକୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ବେଳେ କିଶୋରନଗର ନାକ୍ଚିଠାରେ ମହିଳାଜଣକ ପରିସ୍ରା କରିବାକୁ କାର୍ରୁ ଓହ୍ଲାଇଥିଲେ। କିନ୍ତୁ ଧୋଇ ହେବା ପାଇଁ ପାଣି ବୋତଲ ନେବାକୁ ଭୁଲି ଯାଇଥିଲେ। ପରେ କାର୍ରୁ ପାଣି ବୋତଲ ନେଇ ଡୋର୍ ବନ୍ଦ କରିଥିଲେ। ଡୋର୍ ବନ୍ଦ ଶବ୍ଦରେ ପତ୍ନୀ କାର୍ରେ ବସିଗଲେ ଭାବି ସ୍ୱାମୀ କାର୍ ଚଳାଇ ପଳାଇଥିଲେ। ସ୍ୱାମୀ କାର୍ ନେଇ ପଳାଇବା ପରେ ପତ୍ନୀ କାନ୍ଦି କାନ୍ଦି ରାସ୍ତାରେ କୁଆଡ଼େ ଚାଲି ଚାଲି ଯାଉଥିଲେ। ନାକ୍ଚିରେ କିଛି ଲୋକ ଏଭଳି ଅବସ୍ଥା ଦେଖି ସଂପୃକ୍ତ ମହିଳାଙ୍କୁ କାନ୍ଦିବାର କାରଣ ପଚାରିଥିଲେ। କିନ୍ତୁ ସେ କିଛି ନକହି ଆଗକୁ ବଢ଼ିଥିଲେ। ହାତରେ ପାଣି ବୋତଲ ଧରି ପ୍ରାୟ ଦେଢ଼ କିଲୋମିଟର୍ ବାଟ ଚାଲି ଆସିବା ପରେ କମରେଇ ନିକଟରେ ଏକ ଠିକାସଂସ୍ଥା କ୍ୟାମ୍ପରେ ଭୋଜି କରୁଥିବା କିଛି ଯୁବକ ତାଙ୍କୁ ଦେଖି ଅଟକାଇଥିଲେ। ବିଳମ୍ବିତ ରାତିରେ ମହିଳାଙ୍କୁ ଏକୁଟିଆ ଦେଖି ସେମାନେ ତାଙ୍କୁ ଦେହଜୀବୀ ବୋଲି ଭାବିଥିଲେ। ତାଙ୍କୁ ପଚାରିବା ପରେ ସେ ଦେହଜୀବୀ ନୁହନ୍ତି ବୋଲି କୁଆଡ଼େ ମନା କରିଥିଲେ। ଏହାପରେ ସେମାନେ ତାଙ୍କୁ ବଳପୂର୍ବକ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ମହିଳାଜଣକ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ସେଠାରେ ସେ ଏକରକମର ଅଚେତ ହୋଇପଡ଼ିଥିଲେ। ଫଳରେ ଅଭିଯୁକ୍ତମାନେ ବଡ଼ଡଙ୍ଗିଆଣିର ଜଣେ ଅଟୋ ଚାଳକକୁ ଫୋନ୍ କରି ସେଠାକୁ ଡକାଇଥିଲେ। ଅଟୋ ପହଂଚିବା ପରେ ପୀଡ଼ିତା ମହିଳାଙ୍କୁ ସେଥିରେ ବସାଇ ହଣ୍ଡପା ଥାନାଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ବଏଷଣାଠାରେ ଛାଡ଼ି ପଳାଇଥିଲେ। ସେଠାରୁ ମହିଳାଜଣକ ଏକ ତେଲ ଟ୍ୟାଙ୍କର୍ ଗାଡ଼ିରେ ଚଢ଼ିଛନ୍ତି, ଯାହାର ଦୃଶ୍ୟ ସିସି କ୍ୟାମେରାରେ କଏଦ୍ ହୋଇଛି। ପୁଲିସ ବଏଷଣାରେ ଏକ ସାର ଗୋଦାମରେ ଲାଗିଥିବା ସିସି କ୍ୟାମେରାରୁ ଏହି ଦୃଶ୍ୟ ଦେଖିଛି। ମାତ୍ର ପୀଡ଼ିତା ସ୍ୱଇଚ୍ଛାରେ ଟ୍ରକ୍ ଅଟକାଇ ଚଢ଼ିଥିଲେ ନା ଚାଳକ ବଳପୂର୍ବକ ତାଙ୍କୁ ସେଠାରୁ ଉଠାଇ ନେଇଥିଲା, ତାହା ଫୁଟେଜ୍ରୁ ସ୍ପଷ୍ଟ ହୋଇପାରୁନାହିଁ।
ନାକ୍ଚି ସରପଞ୍ଚ ପ୍ରଶାନ୍ତ ଦିଆଣି କହିଛନ୍ତି ଯେ ମହିଳାଜଣକ କାନ୍ଦି କାନ୍ଦି ଯାଉଥିବା ଦେଖିବା ପରେ କ’ଣ ହୋଇଛି ବୋଲି ସେ ପଚାରିଥିଲେ। କିନ୍ତୁ ସେ କିଛି ଜବାବ୍ ଦେଇନଥିଲେ। ସନ୍ଦେହ ହେବାରୁ ତାଙ୍କ ପଛରେ ଦୁଇ ପିଲାଙ୍କୁ ପଠାଇଥିଲେ। ସେମାନେ କିଛି ବାଟ ମହିଳାଙ୍କ ପିଛା କରି ଅସୁବିଧା ସଂପର୍କରେ ବାରମ୍ବାର ପଚାରିଥିଲେ। କିନ୍ତୁ ସେ କିଛି ନକହିବାରୁ ସେମାନେ ପଳାଇ ଆସିଥିଲେ।
ଏଭଳି ସ୍ପର୍ଶକାତର ଘଟଣାରେ କୌଣସି ପୁଲିସ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଜଗତ୍ସିଂହପୁରରେ ମହିଳା ଥିବା ସୂଚନା ମିଳିବା ପରେ ଏକ ଟିମ୍ ସେଠାକୁ ଯାଇଛି। ତାଙ୍କୁ ଅଣାଯିବା ପରେ ପୂରା ଘଟଣାର ଖୁଲାସା କରାଯିବ।