ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଅଟୋ ଡ୍ରାଇଭରର ପୁଅ ଝିଅ ଆଇଆଇଟିରେ ଅର୍ଜନ କଲେ ସୁନାମ!
ପିଲାମାନଙ୍କ ଭବିଷ୍ୟତକୁ ନେଇ ବାପା ମା’ ଅନେକ ସ୍ୱପ୍ନ ଦେଖିଥାନ୍ତି। କିଏ ନିଜ ପିଲାମାନଙ୍କୁ ଡାକ୍ତର କରିବାକୁ ଚାହାନ୍ତି ତ ଆଉ କିଏ ଇଞ୍ଜିନିୟର, ଓକିଲ ଇତ୍ୟାଦି । ଏପରି ପରିସ୍ଥିତିରେ ଏକ ଅଟୋ ଡ୍ରାଇଭର ତାର ଚାରି ଚାରୋଟି ପିଲାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ଖୁବ କଷ୍ଟକର ହୋଇଥାଏ। କିନ୍ତୁ ଏହାକୁ ସଫଳ କରାଇଛନ୍ତି ଗ୍ଵାଲିୟରରେ ବାସ କରୁଥିବା ଜଣେ ଅଟୋ ଡ୍ରାଇଭର ସୋହନଲାଲ ବର୍ମା।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ଵାଲିୟରରେ ବାସ କରୁଥିବା ଏକ ଅଟୋ ଡ୍ରାଇଭର ସୋହନଲାଲ ବର୍ମାଙ୍କ ୫ଟି ପିଲା ଅଛନ୍ତି। ଏହି ୫ ଜଣଙ୍କ ମଧ୍ୟରୁ ତିନି ଝିଅ ଏବଂ ଜଣେ ପୁଅ ଇଞ୍ଜିନିୟର ହେବାରେ ସଫଳତା ହାସଲ କରିଛନ୍ତି । ବଡ ଝିଅ ଆଇଆଇଟି ରୁଡକୀରେ ପ୍ରୋଜେକ୍ଟ ଆସୋସିଏଟ ହୋଇ ପାରିଛନ୍ତି। ଆଉ ଜଣେ ଝିଅ ଏବେ ବିଟେକ କରୁଥିବା ବେଳେ ଏକମାତ୍ର ପୁଅ ସୁର୍ଯ୍ୟକାନ୍ତ ଚଳିତ ବର୍ଷ ରୁଡକୀରୁ ବିଟେକ ଶେଷ କରି ବାଙ୍ଗାଲୋରରେ ମାସକୁ ୧୦ ଲକ୍ଷ ଦରମା ପ୍ୟାକେଜରେ ତାଙ୍କର ପ୍ରଥମ ଚାକିରି ଆରମ୍ଭ କରିଛନ୍ତି ଏବଂ ସବୁଠୁ ସାନ ଝିଅ ଦଶମ ଶ୍ରେଣୀରେ ପାଠପଢି ପରୀକ୍ଷାରେ ୮୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
ସୋହନଲାଲଙ୍କ ପୁଅ ସୂର୍ଯ୍ୟକାନ୍ତ କହନ୍ତି, ବାପାଙ୍କ ପାଖରେ ଏତେ ଟଙ୍କା ନଥିଲା କି ସେ ଆମର କୋଚିଂ ଫି ଦେଇପାରିବେ। କିନ୍ତୁ ବାପା ବହୁ କଷ୍ଟ କରି ଟଙ୍କା ସଞ୍ଚୟ କରି ପାଠ ପଢାଇଛନ୍ତି । ଯାହାଫଳରେ ଆଜି ମୁଁ ୧୦ ଲକ୍ଷ ଟଙ୍କା ଦରମାରେ ମୁଁ ମୋର ପ୍ରଥମ କ୍ୟାରିୟର ଆରମ୍ଭ କରିପାରିଛି। ବାପା ମା ଆମ ପାଇଁ ଦିନ ରାତି ବହୁ କଷ୍ଟ କରିଛନ୍ତି। ବାପା ନିଜେ ବହୁ କଷ୍ଟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ଆମକୁ ଟ୍ୟୁସନ କରିଛନ୍ତି। ସକାଳେ ଅଟୋ ନେଇ କାମକୁ ଯାଆନ୍ତି ଏବଂ ରାତିରେ ଘରକୁ ଫେରି ଆମକୁ ଟ୍ୟୁସନ କରନ୍ତି। ମା’ ପାଠ ନପଢିଥିବାରୁ ଆମ ପାଠ ପଢାର ସମସ୍ତ ଦାୟିତ୍ୱ ବାପା ନେଉଥିଲେ।
ସେ ଏହା ମଧ୍ୟ କହିଛନ୍ତି ଆମେ ସବୁ ଭାଇ ଭଉଣୀ ପ୍ରଥମରୁ ଓଡିଆ ମିଡିୟମରେ ପଢି ଆସିଛୁ। ସେଥିପାଇଁ ପ୍ରଥମରୁ ବାପା ଆମକୁ ଗଣିତ, ଇଂରାଜୀ ଏବଂ ବିଜ୍ଞାନ ପଢାଇ ଆମର ମୂଳଦୁଆକୁ ମଜବୁତ କରିଥିଲେ। ଯାହା ଫଳରେ ଆଗକୁ ଯାଇ ଆମ ପାଇଁ ସବୁକିଛି ସହଜ ହୋଇଯାଇଥିଲା। ଏବେ ସୂର୍ଯ୍ୟକାନ୍ତ ଗରିବ ଲୋକଙ୍କ ପିଲାମାନଙ୍କୁ ଆଇଆଇଟିରେ ପ୍ରବେଶ କରାଇବା ପାଇଁ ଗ୍ଵାଲିୟରରେ ଏକ କୋଚିଂ ସେଣ୍ଟରର ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଯାହା ଫଳରେ ଗାଁର ଅନେକ ପିଲା ଉପକୃତ ହୋଇପାରିବେ।