ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ୧ ନମ୍ବର ଫାଟକ ନିକଟ ନର୍ସରିରୁ ଆଜି ସାଢ଼େ ୫ଫୁଟର ନାଗ ଉଦ୍ଧାର କରାଯାଇଛି। ହକି ବିଶ୍ବକପ୍କୁ ନେଇ ଷ୍ଟାଡିୟମ୍ ପରିସରରେ ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା ବେଳେ ଏହି ସାପ ବାହାରିଥିଲା। ନର୍ସରି ପରିସର ଜେସିବିରେ ଖୋଳା ଚାଲିଥିବା ବେଳେ କର୍ମଚାରୀମାନେ ସାପଟିକୁ ଦେଖି ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ। ଖବର ପାଇ ଶୁଭେନ୍ଦୁ ମଲ୍ଲିକ ସାପକୁ ଉଦ୍ଧାର କରିଥିଲେ। ତେବେ ଜେସିବି କଣ୍ଟା ବାଜିଥିବାରୁ ସାପର ପେଟରେ ଗଭୀର କ୍ଷତ ହୋଇଥିଲା। ତାକୁ ଓୟୁଏଟିର ଭେଟେରିନାରିକୁ ନେଇ ଚିକିତ୍ସା କରାଯାଇଛି।
ହକି ବିଶ୍ବକପ୍କୁ ଆଉ ଦିନ କେଇଟା ବାକି ଥିବା ବେଳେ ଷ୍ଟାଡିୟମ୍ ପରିସରରୁ ସାପ ବାହାରିବା ଚିନ୍ତାର ବିଷୟ ହୋଇଛି। ସେଠାରେ କାମ କରୁଥିବା ଠିକା କର୍ମଚାରୀଙ୍କ କହିବା ମୁତାବକ, ଏହା ପରିସରରେ ଆହୁରି ଅନେକ ସାପକୁ ସେମାନେ ଦେଖିଛନ୍ତି। ଶ୍ରୀ ମଲ୍ଲିକଙ୍କ କହିବା ମୁତାବକ, ଯେହେତୁ ଏହା ମଧ୍ୟରେ ଏତେ ବଡ଼ ନାଗ ରହିଥିଲା, ତେଣୁ ପରିସରରେ ଆହୁରି ଯେ ସାପ ଥିବେ, ଏହାକୁ ଅସ୍ବୀକାର କରିହେବ ନାହିଁ। ଯଦି କ୍ରୀଡ଼ା ବିଭାଗ ଚାହିଁବେ, ତେବେ ପୂରା କଳିଙ୍ଗ ଷ୍ଟାଡିୟମ୍ ପରିସରରେ ସ୍କାନିଂ କରାଯିବ। ଆବଶ୍ୟକ ପଡ଼ିଲେ ‘ଫିଜିକାଲ୍ ବ୍ୟାରିୟର ଷ୍ଟ୍ରକ୍ଚର’ ନିର୍ମାଣ କରି ସାପମାନେ ଯେପରି ସମ୍ପୃକ୍ତ ବ୍ୟାରିୟର ମଧ୍ୟରୁ ବାହାରକୁ ବାହାରି ନ ପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଇପାରିବ ବୋଲି ସେ କହିଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର