ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୭ରେ ହେବାକୁ ଥିବା ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ଟିକେଟ୍ ବିକ୍ରିେର କେଳେଙ୍କାରୀ ଅଭିଯୋଗ ଉଠିଲାଣି। ଅନ୍ତର୍ଜାତୀୟ ହକି ମହାସଂଘ ଏହି ଉତ୍ସବର ଟିକେଟ୍ ବିକ୍ରି ପାଇଁ ‘ଟିକେଟ୍ଜେନି’ ନାମକ ସଂସ୍ଥାକୁ ଦାୟିତ୍ବ ଦେଇଥିବା ବେଳେ ଅଧିକାଂଶ ଲୋକଙ୍କୁ ଟିକେଟ୍ ନମିଳିବା ଏବଂ ୱେବସାଇଟ୍ କ୍ରାସ୍ କରିଯିବା ଅନ୍ତର୍ଜାତୀୟ ହକି ମହାସଂଘ ଓ ଘରୋଇ ସଂସ୍ଥା ‘ଟିକେଟ୍ଜେନି’ର ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି। ସୋମବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ହକି ମହାସଂଘ ଠାରୁ ପ୍ରଥମ ଟିକେଟ୍ ୫୦୦ଟଙ୍କା ଦେଇ କିଣିବା ପରେ ଟୁଇଟ୍ କରି ଟିକେଟ କିଣିବାକୁ ଆହ୍ବାନ ଦେଇଥିଲେ। ଏହାପରେ ଟିକେଟ୍ ଆଶାୟୀମାନେ ଭାବିଥିଲେ ଉଦ୍ଘାଟନୀ ଉତ୍ସବ ଟିକେଟ୍ କଷ୍ଟ ହେଲେ ବି ମିଳିଯିବ। ଏଥିପାଇଁ ମଧ୍ୟାହ୍ନ ୧୨ଟାରୁ ଅନଲାଇନ୍ରେ ଟିକେଟ୍ ବିକ୍ରି ହେବାକୁ ଥିଲେ ହେଁ ପୂର୍ବାହ୍ନ ୧୧ଟାରୁ କମ୍ପ୍ୟୁଟର, ମୋବାଇଲ୍ରେ ଟିକେଟ୍ଜେନି ୱେବସାଇଟ୍ ଖୋଲି ବସିଥିଲେ। କିନ୍ତୁ ନିରାଶ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମଧ୍ୟାହ୍ନ ୧୨ଟାରୁ ଅନଲାଇନ୍ରେ ଟିକେଟ୍ ବିକ୍ରି ହେବ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ ଆଗୁଆ ଘୋଷଣା କରାଯାଇଥିଲା। ମଧ୍ୟାହ୍ନ ୧୨ଟା ବେଳକୁ ଟିକେଟ୍ ଆଶାୟୀମାନେ ବୁକିଂ ପାଇଁ ୱେବସାଇଟ୍ ଖୋଲିଥିଲେ ହେଁ ଏହା ଖୋଲି ନଥିଲା। ‘ଦିସ୍ ସାଇଟ୍ କ୍ୟାନନଟ୍ ବି ରିଚ୍ଡ’ ଲେଖା ଆସିଥିଲା। ୧୨ଟାରୁ ୧୨ଟା ୩୫ ପର୍ଯ୍ୟନ୍ତ ଏହିପରି ଚାଲିବା ପରେ ୧୨ଟା ୩୯ରେ ଲେଖିଲା ‘ବୁକିଂ କ୍ଲୋଜ୍ଡ’। କିନ୍ତୁ ୧୨ଟା ୪୦ ବେଳକୁ ବୁକିଂ ଅପ୍ସନ ଉପରେ କ୍ଲିକ୍ କରିବାରୁ ଲେଖା ଆସିଥିଲା ‘ୟୁ ଆର୍ ନାଓ ଇନ୍ ଲାଇନ୍’। ଏହାପରେ ଗ୍ରାହକଙ୍କୁ ଗୋଟିଏ ୟୁଜର ନମ୍ବର ମିଳିଥିଲା। କେତେ ଜଣ ବୁକିଂ ପାଇଁ ଅଛନ୍ତି ତା’ର କ୍ରମିକ ନମ୍ବର ଏଥିରେ ଥିଲା। ପ୍ରତି ମିନିଟ୍ରେ ଏହା ଅପ୍ ଟୁ ଡେଟ୍ ବି ହେଉଥିଲା। ଆପଣଙ୍କ ନମ୍ବର ପଡ଼ିଲେ ୱେବସାଇଟ୍ରେ ଲଗ୍ଇନ୍ କରିବାକୁ ୧୦ମିନିଟ୍ ସମୟ ମିଳିବ ବୋଲି ଲେଖାଥିଲା। ତେଣୁ ଟିକେଟ୍ ଆଶାୟୀମାନେ ଆଶା କରିଥିଲେ ବିଳମ୍ବ ହେଲେ ବି ଟିକେଟ୍ ପାଇଯିବେ। କିନ୍ତୁ ଏହା କେବଳ ଆଶାରେ ରହିଗଲା।
କ୍ରାସ୍ କଲା ୱେବ୍ସାଇଟ୍
ସନ୍ଦେହରେ ଅନ୍ତର୍ଜାତୀୟ ହକି ମହାସଂଘ, ଟିକେଟ୍ଜେନି
କ୍ରୀଡ଼ା ବିଭାଗ ଅଧିକାରୀ ମୁହଁ ଖୋଲୁ ନାହାନ୍ତି
୪୦ମିନିଟ୍ ବିଳମ୍ବରେ ବୁକିଂ ଆରମ୍ଭ ହେଲା, ଘଣ୍ଟାକରେ ସରିଗଲା
୫୦୦୦ ୟୁଜର୍ ନମ୍ବର ପର୍ଯ୍ୟନ୍ତ ଟିକେଟ୍ ମିଳିବା କଥା, ହଜାରେରୁ କମ୍ ୟୁଜର୍ ନମ୍ବରକୁ ବି ମିଳିଲାନି
ସର୍ଭର ଡାଉନ୍ ହୋଇଗଲା, ଅଧିକ ହିଟ୍ ହେଲା ବୋଲି କହି କିଛି କ୍ରୀଡ଼ା ବିଭାଗ ଅଧିକାରୀ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। କିନ୍ତୁ ଏହି ଟିକେଟ୍ ବିକ୍ରି ପଛରେ କେଳେଙ୍କାରୀ ଅଛି ତାହା ଆଜି ସ୍ପଷ୍ଟ ବାରି ହୋଇପଡ଼ିଥିଲା। କାରଣ କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଥିଲା ଅନଲାଇନ୍ରେ ୧୦ହଜାର ଟିକେଟ୍ ବିକ୍ରି ହେବ। ଜଣେ ଗୋଟିଏ ମେଲ୍ ଆଇଡିରେ ଦୁଇଟି ଟିକେଟ୍ କିଣିପାରିବେ। ଆଜି ବୁକିଂ ସମୟେର ଏହି ନିୟମ ବି ଅଧିକ କଡ଼ାକଡ଼ି ଥିଲା। କେବଳ ଗୋଟିଏ କମ୍ପ୍ୟୁଟର/ସର୍ଭରରେ ଜଣଙ୍କୁ ଦୁଇଟି ଟିକେଟ୍ କିଣିବାର ସୁବିଧା ଉପଲବ୍ଧ ହେବା କଥା। ଆଉ ଟିକେଟ୍ଜେନି ପକ୍ଷରୁ ଦିଆଯାଇଥିବା ୟୁଜର ନମ୍ବରରେ ୫ହଜାର କ୍ରମିକ ନମ୍ବର ପର୍ଯ୍ୟନ୍ତ ଥିବା ଗ୍ରାହକଙ୍କୁ ନିଶ୍ଚିତ ଟିକେଟ୍ ମିଳିବା କଥା। ବିଡମ୍ବନାର ବିଷୟ ୯୦୦, ୧୧୭୧ ଭଳି ୟୁଜର୍ ନମ୍ବର ପାଇଥିବା ଲୋକଙ୍କୁ ଟିକେଟ୍ ମିଳିଲାନି। ସେମାନଙ୍କ ନମ୍ବର ପଡ଼ିଲା ବେଳକୁ ୱେବସାଇଟ୍ ଖୋଲିନଥିଲା। ନଚେତ୍ ଟିକେଟ୍ ସୋଲ୍ଡ ଆଉଟ୍ ଲେଖିଥିଲା। କେବଳ ଏହି ୟୁଜର୍ ନମ୍ବର ଆମର ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ୫୦୦ରୁ ୬୦୦ ଭିତରେ ଓ ଦୁଇ ହଜାର ଭିତରେ ଥିବା ବହୁ ଲୋକଙ୍କୁ ଟିକେଟ୍ ମିଳିନି। ତେଣୁ ଅନ୍ତର୍ଜାତୀୟ ହକି ମହାସଂଘ, ଟିକେଟ୍ଜେନି କାହା ସହ ମିଶି ଏହି କେଳେଙ୍କାରୀ କଲେ ସେନେଇ ତଦନ୍ତ କରିବାକୁ ଦାବି ହେଲାଣି। ଯଦି ସର୍ଭର ଡାଉନ୍ ଯୋଗୁଁ ଟିକେଟ୍ ବିକ୍ରି ହୋଇପାରିନି ତେବେ ଆଉ କେଉଁ ଦିନ ବିକ୍ରି ହେବ ସେନେଇ କ୍ରୀଡ଼ା ବିଭାଗ ସ୍ପଷ୍ଟ କରିବାକୁ ଦାବି ହେଲାଣି। କ୍ରୀଡ଼ା ବିଭାଗ ଏବଂ ରାଜ୍ୟ ସରକାରଙ୍କ କେତେକ ଅଧିକାରୀ ଅନ୍ତର୍ଜାତୀୟ ହକି ମହାସଂଘ ସହ ମିଶି ଏହି କେଳେଙ୍କାରୀ କରିଥିବା ଏବେ ଲୋକ ଅଭିଯୋଗ କଲେଣି।
ସୂଚନାଯୋଗ୍ୟ ଯେ, ୧୫ତାରିଖରୁ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି ହେବ ବୋଲି ପ୍ରଚାର ହେବା ପରେ କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଶତାଧିକ ଲୋକ ଲମ୍ବା ଧାଡ଼ିରେ ରାତିତମାମ୍ ଛିଡ଼ା ହୋଇଥିଲେ। କିନ୍ତୁ ଟିକେଟ୍ ମିଳିନଥିଲା। ଏହାପରେ ସକାଳୁ ପୁଲିସ ଲାଠି ଚାଳନା କରି ଲୋକଙ୍କୁ ତଡ଼ି ଥିଲା। ଅଫଲାଇନ୍ରେ ଟିକେଟ ବିକ୍ରି ହେବନି କେବଳ ଅନଲାଇନ୍ରେ ଲୋକ ଟିକେଟ୍ କିଣିପାରିବେ ବୋଲି କ୍ରୀଡ଼ା ବିଭାଗ କହି ଲୋକଙ୍କୁ କିଛି ସମୟ ପାଇଁ ଆଶ୍ବସ୍ତ କରିଥିଲା। ହେଲେ ଆଜି ଲୋକଙ୍କୁ ଟିକେଟ୍ ନମିଳିବା କ୍ରୀଡ଼ା ବିଭାଗକୁ ବିବାଦକୁ ଟାଣିଛି। ଆଜିର ଅବ୍ୟବସ୍ଥା ନେଇ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣାଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ କିଛି ଉତ୍ତର ଦେଇନାହାନ୍ତି। ଅପରପକ୍ଷେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଏ.ଆର୍ ରେହମାନ ସୋ’ ପାଇଁ ଅନଲାଇନ୍ରେ ଟିକେଟ୍ ବିକ୍ରି ହେଉଛି।