ବିଷମକଟକ/ମୁନିଗୁଡା/ଅମ୍ବାଦଳା : ରାୟଗଡା ଜିଲ୍ଲା ବିଷମକଟକ ଓ ମୁନିଗୁଡା ବ୍ଲକର କିଛି ସ୍ଥାନରେ ସିପିଆଇ ଆଦିବାସୀ ସଂଘ ରାୟଗଡା ଡିଭିଜନ ନାଁରେ ପ୍ରଥମ ଥର ପାଇଁ ବ୍ୟାନର ଲଗାଯାଇଛି। ଏହି ବ୍ୟାନର ମାଧ୍ୟମରେ ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ବହିଷ୍କାରକୁ ବିରୋଧ କରାଯାଇଛି। ଡା.ରାଉତ ଆଦିବାସୀଙ୍କ ପାଇଁ ବହୁ କାର୍ଯ୍ୟ କରିଥିବା ନେଇ ମଧ୍ୟ ଉକ୍ତ ବ୍ୟାନରରେ ଉଲ୍ଲେଖ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ମାଲକାନଗିରି ଠାରେ ଆୟୋଜିତ ମାଲ୍ୟବନ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡା. ରାଉତ ବ୍ରାହ୍ମଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ରାଜ୍ୟ ସାରା ବ୍ରହ୍ମଣ ସମାଜ ପକ୍ଷରୁ ଡା. ରାଉତଙ୍କୁ ବିରୋଧ କରାଯାଇଥିଲା। ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିମନ୍ତ୍ରୀ ପଦବିରୁ ବହିଷ୍କାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସିପିଆଇ ଆଦିବାସୀ ସଂଘର ରାୟଗଡା ଡିଭିଜନ ବିରୋଧ କରିଛି। ଦାମୋଦର ରାଉତଙ୍କୁ ସସମ୍ମାନେ ତାଙ୍କ ପଦବି ଫେରାଇ ଦେବାକୁ ବ୍ୟାନର ଲଗାଇ ଦାବି ଜଣାଇଛି।
ଗରିବ ଆଦିବାସୀ ଚାଷୀ, ମୂଲିଆଙ୍କ ଅର୍ଥକୁ ହରିଲୁଟ କରିଥିବା ଚିଟ୍ଫଣ୍ଡ କଂପାନି ଗୁଡିକ ସହ ସଂଶ୍ଲିଷ୍ଟ ଥିବା ଦଳର ୩ଜଣ ହେବିେଓ୍ଵଟ ନେତା ଅରୁଣ ସାହୁ, ସଂଜୟ ଦାସ ବର୍ମା ଓ ଦେବାଶିଷ ସାମନ୍ତରାୟଙ୍କୁ କିଭଳି ଦଳରେ ରଖାଯାଇଛି ବୋଲି ଏହି ବ୍ୟାନରେ ପ୍ରଶ୍ନ କରାଯାଇଛି। ଏହି ୩ଜଣ ନେତାଙ୍କୁ ଯଦି ଆଗାମୀ ଦିନରେ ଦଳରୁ ବହିଷ୍କାର କରାନଯାଏ ତେବେ ଆଗକୁ ଆଦିବାସୀଙ୍କ ନେତା ତଥା ତାଙ୍କ ଭଗବାନ ଦାମୋଦର ରାଉତଙ୍କୁ ସମ୍ମାନ ଜଣାଇ ୬ହଜାର ଆଦିବାସୀ ଚାଷୀ ମୂଲିଆ ଏକତ୍ର ହୋଇ ନବୀନ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବେ। ବିଜେପି ଦଳରେ ସାମିଲ ହେବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ସେହିପରି ମାଓବାଦୀଙ୍କ ସହ ଜଡିତ ହେବୁ ବୋଲି କୁହାଯାଇଛି।
ଏହି ବ୍ୟାନର ମୁନିଗୁଡା ଏନଆରଏଲ ପେଟ୍ରୋଲ ପମ୍ପ, ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡାବାଲି ମସଜିଦ୍ ଓ ବିଷମକଟକ ଗେଟ୍ ନାଳ ନିକଟରେ ଲାଗିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୁଲିସ ଏହି ବ୍ୟାନର ଗୁଡିକୁ ଜବତ କରିଛି। ପ୍ରଥମ ଥର ପାଇଁ ସିପିଆଇ ଆଦିବାସୀ ସଂଘ ରାୟଗଡା ପକ୍ଷରୁ ଗୋଟିଏ ଦିନରେ ୩ଟି ସ୍ଥାନରେ ଏଭଳି ବ୍ୟାନର ଲଗାଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ବ୍ୟାନର କିଏ ଲଗାଇଛି ସେନେଇ ସ୍ପଷ୍ଟ ହୋଇପାରିନି।