ରାଉରକେଲା: ବ୍ରାହ୍ମଣୀ ନଦୀରୁ ଆଜି ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ରାଉରକେଲା ଛେଣ୍ଡ୍ କଳିଙ୍ଗ ବିହାରର ଜଣେ ନାବାଳିକା (୧୭)। ସେ ସ୍ଥାନୀୟ ଅଞ୍ଚଳର ଏକ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ। ସେ ଗତକାଲିଠାରୁ ନିଖୋଜ ଥିଲେ। ଏନେଇ ପରିବାରବର୍ଗ ଛେଣ୍ଡ୍ ଥାନାରେ ଏତଲା ବି ଦେଇଥିଲେ। ଆଜି ସକାଳେ ନାବାଳିକାଙ୍କ ମୃତ ଦେହ ପାନପୋଷ ଓଭରବ୍ରିଜ୍ ତଳେ ଏକ ଶୁଖିଲା ଅଞ୍ଚଳ କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସୂଚନା ଦିଆଯିବାପରେ ରଘୁନାଥପଲ୍ଲୀ ପୁଲିସ ମୃତ ଦେହ ଉଦ୍ଧାର କରିଛି। ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ଭାସି ଆସି ସେଠାରେ ଲାଗିଥିବା ପୁଲିସ ଅନୁମାନ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରିବାରବର୍ଗଙ୍କ ସୂଚନାଅନୁସାରେ, ଗତକାଲି ସକାଳ ଯାଏଁ ନାବାଳିକା ବେଶ୍ ଖୁସି ଥିଲେ। ସକାଳ ପ୍ରାୟ ୭ଟାରେ ଜଣେ ପରିବାର ସଦସ୍ୟଙ୍କୁ ଫ୍ଲିପ୍କାର୍ଟରେ ନୂଆ ପୋଷାକ କିଣିବାକୁ କହିଥିଲେ। ଫଳରେ ସଂପର୍କୀୟ ଅନଲାଇନ୍ରେ ପୋଷାକ ଅର୍ଡର ବି କରିଥିଲେ। ଦିନ ପ୍ରାୟ ଗୋଟାଏରେ ନାବାଳିକା ଛେଣ୍ଡ୍ ବଜାରକୁ ଯାଇଥିଲେ। ମାତ୍ର ସଂଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ନ ଫେରିବାରୁ ପରିବାର ଲୋକ ଛେଣ୍ଡ୍ ଥାନାରେ ଏତଲା ଦେଇଥିଲେ।
ଉଦ୍ଧାର ହୋଇଥିବା ମୃତଦେହର ସ୍ଥିତି ମୃତ୍ୟୁର କାରଣ ବିଷୟରେ କିଛିଟା ଦ୍ବନ୍ଦ ସୃଷ୍ଟି କରୁଛି। ଝିଅ ପାଣିରେ ବୁଡ଼ିଯାଇଥିଲେ ଶରୀର ଫୁଲିଯାଇଥାନ୍ତା। ପୁଣି ମୃତଦେହର ନାକରୁ ବି ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା। ଏଣୁ ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ଥିବା ପରିବାରବର୍ଗ ସନ୍ଦେହ ପ୍ରକାଶ କରିଛନ୍ତି ଓ ଘଟଣାର ପ୍ରକୃତ ତଦନ୍ତ କରିବାକୁ ଦାବି କରିଛନ୍ତି।