ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଟଙ୍କା ହଡ଼ପ ଘଟଣା: ରାକେଟ୍ରେ ଏକାଧିକ ଘରୋଇ ହସ୍ପିଟାଲର କର୍ମଚାରୀ
ମାଷ୍ଟରମାଇଣ୍ଡ ପ୍ରଦୀପ ଧରାପଡ଼ିଲେ ଫିଟିବ ଗୁମର, ଆମ୍ରି ହସ୍ପିଟାଲ୍ର କମ୍ପ୍ୟୁଟର ଜବତ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଟଙ୍କାକୁ ହଡ଼ପ ଉଦ୍ୟମ କରି ଧରାପଡ଼ିଥିବା ଆମ୍ରି ହସ୍ପିଟାଲ୍ର ସହକାରୀ ମ୍ୟାନେଜର ଦିଲ୍ଲୀପ କୁମାର ବେହେରାକୁ ଜେରା ବେଳେ ପୁଲିସ ହାତରେ ଏଭଳି ହେରଫେର୍ ସଂପର୍କିତ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ନକଲି ରୋଗୀଙ୍କ ନାଁରେ ଅସଲି ବିଲ୍ ତିଆରି କରି ଲୁଟୁଥିବା ଏହି ଦଲାଲ୍ ରାକେଟ୍ର ମାଷ୍ଟରମାଇଣ୍ଡ୍ ପ୍ରଦୀପ ମଲ୍ଲିକ ଖାଲି ଆମ୍ରି ନୁହେଁ; ରାଜଧାନୀର ଅନେକ ଘରୋଇ ହସ୍ପିଟାଲ୍ରେ ତା’ର ନେଟ୍ଵର୍କ ଚଳାଇଥିଲା ବୋଲି ଜଣାପଡ଼ିଛି। ଅସଲି ରୋଗୀଙ୍କ ସହିତ ନକଲି ରୋଗୀଙ୍କ ତାଲିକା ତିଆରି କରୁଥିବା ପ୍ରଦୀପଙ୍କୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀପ ଭେଟିଥିଲେ। ଡିଲ୍ ଆରମ୍ଭ କରିବା ପୂର୍ବରୁ ଅନେକ ଘରୋଇ ସଂସ୍ଥାରେ ସେ ଏହିଭଳି ନକଲି ରୋଗୀଙ୍କ ଜାଲ୍ କାଗଜପତ୍ର ତିଆରି କରି ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ଟଙ୍କା ହଡ଼ପ କରିଥିବା କହି ତାଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଦୀପ ଏହି ରାକେଟ୍ରେ ସାମିଲ ହେଉଥିବା ହସ୍ପିଟାଲ୍ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଟଙ୍କା କେମିତି ଆସିବ ତାହା ଭଲ ଭାବେ ବୁଝାଇବା ସହିତ ଏହି ସ୍କିମ୍କୁ ସେ ହିଁ ମୁଖ୍ୟତ ପରିଚାଳନା କରୁଥିବା କହିଥିଲା। ଏପରିକି ତା’ର ବିନା ଅନୁମୋଦନରେ ଏହି ପାଣ୍ଠିରୁ ରୋଗୀ ଟଙ୍କା ପାଇବା ଏକ ପ୍ରକାରର ଅସମ୍ଭବ ବୋଲି କହିଥିଲା। ସେହି ଭରସାରେ ଘରୋଇ ହସ୍ପିଟାଲ୍ କର୍ମଚାରୀମାନେ ଏହି ହେରଫେର କାମରେ ପ୍ରଦୀପ ସହିତ ସାମିଲ ହୋଇଥିଲେ। ତେବେ ଏହାର ତନାଘନା ହେବା ପରେ ଦିଲ୍ଲୀପ ଓ ପ୍ରଦୀପକୁ ଗିରଫ ପାଇଁ କିଛି ଦିନ ତଳେ ଭରତପୁର ପୁଲିସର ଏକ ସ୍ପେସାଲ୍ ଟିମ୍ ପୁରୀ ଓ ସେଠାରୁ ନୟାଗଡ଼ ଯାଇଥିଲା। ପୁଲିସ ଚଢ଼ଉ କରୁଥିବା ଖବର ପାଇ ଉଭୟ ନୟାଗଡ଼ରେ ଦିଲ୍ଲୀପଙ୍କ ଜଣେ ସମ୍ପର୍କୀୟ ଘରେ ଆତ୍ମଗୋପନ କରିଥିଲେ। ମାତ୍ର ଗତକାଲି ନୟାଗଡ଼ରେ ଚଢ଼ଉ ସମୟରେ ଦିଲ୍ଲୀପ ଧରାପଡ଼ିଯାଇଥିବା ବେଳେ ପ୍ରଦୀପ ଓ ତା’ର କିଛି ସହଯୋଗୀ ଫେରାର୍ ହୋଇଯାଇଥିଲେ।
ଅପରପକ୍ଷରେ ପୁଲିସ ଦିଲ୍ଲୀପ ହସ୍ପିଟାଲ୍ରେ ନକଲି କାଗଜପତ୍ର ବନାଇବା ପାଇଁ ବ୍ୟବହାର କରୁଥିବା କମ୍ପ୍ୟୁଟରକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। କମ୍ପ୍ୟୁଟର ଜବତ ହେଲେ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି; ନିର୍ଦ୍ଦିଷ୍ଟ ଭାବେ କେତେ ଜଣ ଲୋକଙ୍କୁ ନକଲି ରୋଗୀ ସଜାଇ ଟଙ୍କା ହେର୍ଫେର୍ କରାଯାଇଛି ତା’ର ପର୍ଦ୍ଦାଫାସ୍ ହେବ ବୋଲି ପୁଲିସ ଆଶା ପ୍ରକଟ କରିଛି।