ନୟାଗଡ଼ରେ ପୁଣି ବେଆଇନ ଭ୍ରୂଣହତ୍ୟା: କ୍ଲିନିକ୍‌ ମାଲିକ, ଦଲାଲ୍‌ ସମେତ ୫ ଗିରଫ

ପ୍ରଶାସନ ପକ୍ଷରୁ ରାତିଅଧିଆ ଚଢ଼ଉ

ନୟାଗଡ଼: କିଛିମାସର ବ୍ୟବଧାନ ପରେ ପୁଣି ନୟାଗଡ଼ରୁ ଏକ ବେଆ‌ଇନ ଗର୍ଭପାତ ଖବର ଆସିଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛରେ ଥିବା ‘ଆନନ୍ଦ ଭବନ ଆଦିତ୍ୟ ହସ୍ପିଟାଲ୍‌ ଆଣ୍ଡ୍‌ କ୍ଲିନିକ୍‌’ରେ ଏହି ବେଆଇନ କାର୍ଯ୍ୟ ଚାଲିଥିଲା। ବେଆ‌ଇନ ଗର୍ଭପାତ ସଂପୃକ୍ତି ଅଭିଯୋଗରେ ଟାଉନ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମା‌ନେ ହେଲେ; କ୍ଲିନିକ୍‌ ମାଲିକ ସତ୍ୟପ୍ରିୟ ସ୍ବାଇଁ, ଖଣ୍ଡପଡ଼ା ଖଳିସାହି ଅଞ୍ଚଳର ଦଲାଲ ରାଜକିଶୋର ସାହୁ, ଫୁଲବାଣୀ ଅଞ୍ଚଳର ନର୍ସ ବବିତା ରାଉତ, ରଣପୁର କୁଳାସରର ସଙ୍ଗୀତା ମହାନ୍ତି ଓ ମହିଳାଙ୍କ ସ୍ବାମୀ ଗଣେଶ ପ୍ରଧାନ। ଗର୍ଭପାତ କରାଯାଇଥିବା ସଂପୃକ୍ତ ମହିଳାଙ୍କ ଘର ବାହାଡ଼ାଝୋଲା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ, ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ଉ କରାଯାଇଥିଲା। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶକ୍ତିପ୍ରସାଦ ମିଶ୍ର ଏକ ଟିମ୍‌ ଗଠନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞ ଅରବିନ୍ଦ ମହାପାତ୍ର, ଲିଗାଲ୍‌ ଆଫାୟାର୍ସ ସହକାରୀ ମ୍ୟାନେଜର ଜୟକୃଷ୍ଣ ସାହୁ ପ୍ରମୁଖଙ୍କୁ ଉକ୍ତ କ୍ଲିନିକ୍‌କୁ ପଠାଯାଇଥିଲା। ନୟାଗଡ଼ ତହସିଲଦାର ଭିକାରି ସାହୁଙ୍କ ଉପସ୍ଥିତିରେ ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି ଓ ତାଙ୍କ ଟିମ୍‌ ଉକ୍ତ କ୍ଲିନିକ୍‌ରେ ଚଢ଼ଉ କରିଥିଲେ। ଗର୍ଭପାତ ପରେ ମହିଳା ଚିକିତ୍ସାଧୀନ ଥିବାରୁ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ପ୍ରାୟ ୪ ମାସର ଗର୍ଭବତୀ ଥିଲେ। ତେବେ ତାଙ୍କ ପେଟରେ ବଢ଼ୁଥିବା‌ ପିଲାର ସ୍ବାସ୍ଥ୍ୟ ବିଷୟରେ ଜାଣିବାକୁ ସେ ନୟାଗଡ଼ର ସନ୍‌ ଆପୋଲୋ କ୍ଲିନିକ୍‌ରେ ଗର୍ଭ ପରୀକ୍ଷା କରାଇଥିଲେ। ତଦନ୍ତ ସମୟରେ ମହିଳାଙ୍କ ପକ୍ଷରୁ ଉକ୍ତ ରିପୋର୍ଟ ଦେଖାଯାଇଥିବା ଡ. ମହାପାତ୍ର କହିଛନ୍ତି। ସେଥିରୁ ମହିଳାଙ୍କ ଗର୍ଭରେ ଥିବା ଭ୍ରୂଣ ପୁଅ କି ଝିଅ ଜାଣିବା ଏହି ସମୟ‌ରେ ଅସମ୍ଭବ। କିନ୍ତୁ ଗର୍ଭରେ ବଢ଼ୁଥିବା ପିଲାଟି ‘ସ୍କେଲିଡାଲ୍‌ ଡିସ୍‌ପ୍ଲାସିଆ’ ରୋଗ ଅର୍ଥାତ୍‌ ବାମନ ହେବାର ଆଶଙ୍କା ରହିଥିଲା। ସେହି ଦୃଷ୍ଟିରୁ ଉକ୍ତ ଦମ୍ପତି ଗର୍ଭପାତ କରାଇବାକୁ ଚାହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ, ଏଭଳି ଗର୍ଭପାତ ଆଇନସମ୍ମତ ଭାବେ କରାଇବାର ଆବଶ୍ୟକତା ରହିଥିଲା ବୋଲି ସେ କହିଛନ୍ତି।

ଏ ନେଇ ୩୧୨, ୩୧୩, ୪୧୭ ଓ ୩୪ ଦଫା ସମେତ ପ୍ରେଗ୍‌ନାନ୍‌ସି ଆକ୍ଟ ୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ଉକ୍ତ କ୍ଲିନିକ୍‌ ସିଲ୍‌ ହୋଇନଥିବା ‌ବେଳେ, ଖୁବ୍‌ଶୀଘ୍ର ସିଲ୍ ହେବ ବୋଲି ଆଇଆଇସି ଶ୍ରୀ ମହାନ୍ତି କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ ଜୁନ୍‌ ମାସରେ ଉକ୍ତ କ୍ଲିନିକ୍‌ ନିକଟସ୍ଥ ନୟାଗଡ଼ ଡାଇଗ୍ନୋସିସ୍‌ରେ ଏକ ବେଆଇନ ଗର୍ଭପାତ ମାମଲା ସାମ୍ନାକୁ ଆସିଥିଲା। ଏଥିନେଇ ଜଣେ କ୍ବାକ୍‌ ଓ ତାଙ୍କ ସହଯୋଗୀ ଗିରଫ ହୋଇଥିଲେ। ଏହ‌ାପୂର୍ବରୁ ୨୦୧୬ରେ ମଧ୍ୟ ନୟାଗଡ଼ରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। କନ୍ୟାଭ୍ରୂଣ ହତ୍ୟା, ବେଆଇନ ଗର୍ଭପାତ ଭଳି ଘଟଣା ପାଇଁ ନୟାଗଡ଼ ବଦ୍‌ନାମ ହେଉଥିବାବେଳେ, ଏହାର ପ୍ରତିକାର ପାଇଁ ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର