ଆମେରିକାର ବିଶିଷ୍ଟ ଲେଖକ ମାର୍କ ଟ୍ବେନ୍ ଥରେ କହିଥିଲେ ଲୋକଙ୍କୁ ବୋକା ବନାଇବା ଅତି ସହଜ; କିନ୍ତୁ ସେମାନେ ଯେ ବୋକା ବନି ଯାଇଛନ୍ତି ଏହା ସେମାନଙ୍କ ମୁଣ୍ଡରେ ଢୁକାଇବା ଏକ ଅତ୍ୟନ୍ତ କଷ୍ଟକର ବ୍ୟାପାର। ଏହାର ଅର୍ଥ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ଲୋକଙ୍କ ମନରୁ ବିଭ୍ରାନ୍ତି ଦୂର କରିବା ଏକ ଭୀଷଣ କଷ୍ଟସାଧ୍ୟ କାର୍ଯ୍ୟ। କିନ୍ତୁ, ବିଡ଼ମ୍ବନାଟି ହେଲା ମନୁଷ୍ୟର ଏହି ଦୁର୍ବଳତାକୁ ଠଉରାଇ ପାରିଥିବା କିଛି ବ୍ୟକ୍ତି ବା ଗୋଷ୍ଠୀ ବା ସଂଗଠନ ଏହାର ଫାଇଦା ନିଅନ୍ତିି ଏବଂ ଲୋକଙ୍କୁ ‘ମାଲୁଣୀର ମେଣ୍ଢା’ରେ ପରିଣତ କରି ଦିଅନ୍ତି, ଯେଉଁ ମୋହାଚ୍ଛନ୍ନ ଅବସ୍ଥାରୁ ଲୋକେ ସହଜରେ ମୁକ୍ତିି ପାଇ ନ ଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉେଲ୍ଲଖ ଥାଉ କି ୧୮୫୭ ମସିହା ପୂର୍ବରୁ ଆମ ଦେଶରେ ସାଂପ୍ରଦାୟିକ ବିଦ୍ବେଷର ଭାବ ନ ଥିଲା। ଭାରତରେ ନିଜର ସ୍ଥିତିକୁ ଦୃଢ଼ କରିବା ଲାଗି ବ୍ରିଟିସ ସରକାର ଭାରତୀୟମାନଙ୍କ ମଧ୍ୟରେ ଧର୍ମୀୟ ବା ସାଂପ୍ରଦାୟିକ ବିଭାଜନ ସୃଷ୍ଟି କଲେ, ଯାହା ‘ଡିଭାଇଡ୍ ଏଣ୍ଡ୍ ରୁଲ୍’ ନୀତି ଭାବେ ଜଣାଶୁଣା। କହିବା ବାହୁଲ୍ୟ ଯେ ସେହି ଔପନିବେଶିକ ଶାସକ ବୁଣିଥିବା ସାଂପ୍ରଦାୟିକତାବାଦର ବିଷ ମଞ୍ଜି କ୍ରମେ ଏକ ବୃକ୍ଷରେ ପରିଣତ ହେଲା, ଯାହା ରାଷ୍ଟ୍ର ବିଭାଜନରୁ ଆରମ୍ଭ କରି ଭାରତୀୟ ସମାଜର ବିଭାଜନ ପର୍ଯ୍ୟନ୍ତ ସମ୍ଭବ କଲା। କିନ୍ତୁ ଏ ପ୍ରସଙ୍ଗରେ ଦୁର୍ଭାଗ୍ୟଜନକ ବିଡ଼ମ୍ବନାଟି ହେଲା, ଦେଶ ସ୍ବାଧୀନ ହେବା ପରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ କ୍ଷମତା ଦଖଲ ଲୋଭରେ ସେହି ‘ଡିଭାଇଡ୍ ଏଣ୍ଡ ରୁଲ୍’ ନୀତିକୁ ବଳବତ୍ତର ରଖିବା ସହିତ ଅଧିକ ଦୋରସ୍ତ ମଧ୍ୟ କରି ଚାଲିଛନ୍ତି।
ଏହି ପୃଷ୍ଠଭୂମିରେ ଆମେ ଦୁଇଟି ଚଳଚ୍ଚିତ୍ରର ଉଦାହରଣକୁ ପରଖିବା। ଏଥିରୁ ଗୋଟିଏ ହେଉଛି ଏକ ଫିଚର ଫିଲ୍ମ ଏବଂ ଅନ୍ୟଟି ଏକ ଡକୁମେଣ୍ଟାରି ବା ବୃତ୍ତଚିତ୍ର। ଗଲା ବର୍ଷ ମୁକ୍ତିଲାଭ କରିଥିବା ‘କାଶ୍ମୀର ଫାଇଲ୍ସ’ ନାମକ ଫିଚର ଫିଲ୍ମଟିରେ କାଶ୍ମୀର ଉପତ୍ୟକାରେ ହିନ୍ଦୁ ପଣ୍ଡିତମାନଙ୍କ ଗଣହତ୍ୟା ବାବଦରେ ଦର୍ଶାଯାଇଥିଲା ଏବଂ ଏବେ ବି.ବି.ସି. ଦ୍ବାରା ପ୍ରସ୍ତୁତ ଓ ନିକଟେର ପ୍ରସାରିତ ଶଂସିତ ବୃତ୍ତଚିତ୍ରରେ ୨୦୦୨ ମସିହାର ଗୁଜରାଟ ଦଙ୍ଗାରେ ମୁସଲମାନଙ୍କ ଗଣସଂହାରରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ସଂପୃକ୍ତିକୁ ଉଜାଗର କରିବାର ଉଦ୍ୟମ କରାଯାଇଛି, ଯିଏ ସେହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେବେ, ଗୋଟିଏ ପଟେ ‘କାଶ୍ମୀର ଫାଇଲ୍ସ’ର ପ୍ରଚାର ଓ ପ୍ରସାର ଦିଗରେ କେନ୍ଦ୍ରର ବିଜେପି ସରକାର ସଘନ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିବା ବେଳେ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଏହାର ବିରୋଧ କରିଥିଲେ, ଅଥଚ ବି.ବି.ସି. ଡକୁମେଣ୍ଟାରି କ୍ଷେତ୍ରରେ ଏହାର ଠିକ୍ ବିପରୀତ ପ୍ରତିକ୍ରିୟା ଦେଖିବାକୁ ମିଳିଛି, ଯହିଁରେ ବିରୋଧୀ ଦଳ ଏହାକୁ ସମର୍ଥନ କରୁଥିବା ବେଳେ ଶାସକ ଦଳ ଏହାର ବିରୋଧ କରୁଛି। କିନ୍ତୁ ସ୍ଥିର ଚିତ୍ତରେ ବିଚାର କଲେ ହୃଦ୍ବୋଧ ହୋଇଥାଏ ଯେ ଏ ଦୁଇଟି ଯାକ ବିଷୟରେ ରାଜନୈତିକ ଦଳଗୁଡ଼ିକର ପ୍ରତିକ୍ରିୟା ସ୍ଫୃହଣୀୟ ନୁହେଁ।
ବି.ବି.ସି. ଭଳି ଏକ ବିଦେଶୀ ଗଣମାଧ୍ୟମ ସଂସ୍ଥା ଦ୍ବାରା ପ୍ରସ୍ତୁତ ଏହି ବୃତ୍ତଚିତ୍ର ପ୍ରକାରାନ୍ତରେ ଭାରତ ଭଳି ଏକ ସାର୍ବଭୌମ ଗଣତନ୍ତ୍ରର ସର୍ବୋଚ୍ଚ ଅଦାଲତଙ୍କ ଗରିମାକୁ କ୍ଷୁଣ୍ଣ କରିବାର ଉଦ୍ୟମ କରିଛି। କାରଣ ୨୦୧୨ ମସିହାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଗଠିତ ‘ସ୍ପେସାଲ ଇନ୍ଭେଷ୍ଟିଗେଟିଭ୍ ଟିମ୍’ ବା ‘ଏସ୍.ଆଇ.ଟି.’ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଯେଉଁ ରିପୋର୍ଟ ପ୍ରଦାନ କରିଥିଲା, ତାରି ଆଧାରରେ ନରେନ୍ଦ୍ର ମୋଦୀଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ ବୋଲି ଘୋଷଣା କରାଯାଇଥିଲା ଏବଂ ସେହି ସମୟରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର କ୍ଷମତାସୀନ ଥିଲା। ସେମିତି ‘କାଶ୍ମୀର ଫାଇଲ୍ସ’ରେ ମଧ୍ୟ ସାଂପ୍ରଦାୟିକ ହିଂସାକୁ ପ୍ରଦର୍ଶନ କରିବାରେ ଅତିରଂଜନର ଆଶ୍ରୟ ନିଆଯାଇଥିବାର ଅଭିଯୋଗ ହୋଇଥାଏ। ସୁତରାଂ, ଉଭୟ କ୍ଷେତ୍ରରେ ଆପଣା ପ୍ରତିକ୍ରିୟା ପ୍ରକାଶରେ ରାଜନୈତିକ ଦଳମାନେ ସଂଯମ ଅବଲମ୍ବନ କରିଥିଲେ, ତାହା ସାବ୍ୟସ୍ତ କରନ୍ତା ଯେ ଦଳଗୁଡ଼ିକ ସଂକୀର୍ଣ୍ଣ ରାଜନୈତିକ ଲାଭରୁ ଊର୍ଦ୍ଧ୍ବକୁ ଉଠି ରାଷ୍ଟ୍ର ହିତ ବିଷୟରେ ଅଧିକ ସମ୍ବେଦନଶୀଳ।
ଏହି ଆଲୋଚନା ବେଳେ ‘ଫାଇନାଲ ସଲ୍ୟୁସନ୍’ ନାମକ ଏକ ବୃତ୍ତଚିତ୍ର ସ୍ମରଣକୁ ଆସିଥାଏ, ଯାହାର ନିର୍ମାତା ଥିଲେ ରାକେଶ ଶର୍ମା ଏବଂ ଏହା ମଧ୍ୟ ଗୁଜରାଟ ଦଙ୍ଗାକୁ କେନ୍ଦ୍ର କରି ଗଢ଼ି ଉଠିଥିଲା। ସେମିତି ୧୯୯୨ରେ ଆନନ୍ଦ ପଟୱର୍ଦ୍ଧନଙ୍କ ଦ୍ବାରା ନିର୍ମିତ ‘ରାମ କେ ନାମ’ ମଧ୍ୟ ଏକ ବିବାଦୀୟ ବୃତ୍ତଚିତ୍ର ଥିଲା, ଯାହା ରାମ ମନ୍ଦିର ନିର୍ମାଣ ଅଭିଯାନ ଉପରେ ଆଧାରିତ। ୨୦୧୦ରେ କାଶ୍ମୀର ପରିସ୍ଥିତିକୁ ନେଇ ଅଶ୍ବିନ କୁମାରଙ୍କ ଦ୍ବାରା ନିର୍ମିତ ‘ଇନସାଅଲ୍ଲା ଫୁଟ୍ବଲ୍’ ନାମକ ବୃତ୍ତଚିତ୍ର ସାଂପ୍ରଦାୟିକ ବିଭାଜନକୁ ଦେଖାଇବାର ଉଦ୍ୟମ କରିଥିଲା। ଏହିସବୁ ବୃତ୍ତଚିତ୍ର ନିର୍ମାଣ କାରିଗରି ଦୃଷ୍ଟିରୁ ଉଚ୍ଚକୋଟୀର ହୋଇଥିଲେ ସୁଦ୍ଧା ସେଗୁଡ଼ିକ ଯେ ଏକ ରକ୍ତସ୍ରାବୀ ସ୍ପର୍ଶକାତର କ୍ଷତକୁ ଆହୁରି ଉଖାରିବାର ଚେଷ୍ଟା କରିଥିଲା, ଏଥିରେ ସନ୍ଦେହ ନାହିଁ। ସୁତରାଂ, ଭାରତରେ ସେଗୁଡ଼ିକ ବିଭିନ୍ନ ପ୍ରକାର କଟକଣା ଓ ନିଷେଧାଦେଶର ସମ୍ମୁଖୀନ ହୋଇଥିଲେ। କିନ୍ତୁ ପ୍ରଶ୍ନ ଉଠିଥାଏ ଯେ ଧାର୍ମିକ ବିଭାଜନକୁ ନେଇ ଉତ୍ତେଜନାମୂଳକ ସିନେମା ବା ବୃତ୍ତଚିତ୍ର ନିର୍ମାଣ କରିବାର ଆଗ୍ରହାତିଶଯ୍ୟର କାରଣ କ’ଣ? ଏହାର କାରଣ ସମ୍ଭବତଃ ସ୍ଥୂଳ ଭାବେ ହେଉ ବା ସୂକ୍ଷ୍ମ ଭାବେ ସଂପ୍ରଦାୟିକ ବିଭାଜନକୁ ଜୀବନ୍ତ କରି ରଖିବା। ସେଥିଲାଗି ଦେଶକୁ ଆକ୍ରାନ୍ତ କରିଥିବା ଦାରିଦ୍ର୍ୟ, କୁପୋଷଣ, ବେକାରି ଭଳି ପ୍ରକୃତ ସମସ୍ୟାଗୁଡ଼ିକ ତୁଳନାରେ କିଏ କ’ଣ ଖାଇବ ବା କିଏ କ’ଣ ପିନ୍ଧିବ ବା କିଏ କ’ଣ କହିବ; ଏଭଳି ଗୌଣ ପ୍ରସଙ୍ଗମାନ ଅଧିକ ଗୁରୁତ୍ବ ଲାଭ କରୁଛି ଏବଂ ଏହାକୁ ନେଇ ତୀବ୍ର ବିବାଦମାନ ସୃଷ୍ଟି ହେବାରେ ଲାଗିଛି। ସତ କହିଲେ ଶିଳ୍ପାୟନ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ଭାରତ ସକାଶେ ଉପର ବର୍ଣ୍ଣିତ ସାଂପ୍ରଦାୟିକ ପ୍ରସଙ୍ଗମାନ ଆଦୌ ମହତ୍ତ୍ବପୂର୍ଣ୍ଣ ହେବା କଥା ନୁହେଁ।
ଭାରତର ଭବିଷ୍ୟତ୍କୁ ଏଭଳି ପ୍ରସଙ୍ଗମାନ ଯେ ଅନ୍ଧକାରାଚ୍ଛନ୍ନ କରି ରଖିବ, ତାହା ନିଃସନ୍ଦେହ। କିନ୍ତୁ ସତ କହିଲେ ସଂକୀର୍ଣ୍ଣ ଲାଭ ଲାଗି ରାଜନୈତିକ ଦଳଗୁଡ଼ିକ ବ୍ରିଟିସମାନଙ୍କ ଦ୍ବାରା ଅନୁସୃତ ‘ଡିଭାଇଡ୍ ଏଣ୍ଡ୍ ରୁଲ୍’ ଭଳି ନୀତିକୁ ଆପଣାଉଥିବା ଏକ ଘୋର ବିଡ଼ମ୍ବନା। କିନ୍ତୁ ଟ୍ବେନ୍ ସାହେବ କହିଥିଲା ଭଳି ଥରେ ‘ମାଲୁଣୀର ମେଣ୍ଢା’ରେ ପରିଣତ ହୋଇଗଲେ ଚୈତନ୍ୟର ଉଦୟ ଘଟିବା ଏକ କାଠିକର ବ୍ୟାପାର।