୩ଦିନ ମଧ୍ୟରେ ୟୁ-ଟର୍ନ ମାରିଲେ ମସ୍କ, ବରଖାସ୍ତ କରିଥିବା କର୍ମଚାରୀଙ୍କୁ ଫେରିବାକୁ କହିଲେ

ନୂଆଦିଲ୍ଲୀ: ଟ୍ବିଟରକୁ କିଣିବା ପରେ ଏହାର ପ୍ରାୟ ଅଧାଅଧି କର୍ମଚାରୀଙ୍କୁ ନୂଆ ମାଲିକ ଏଲନ ମସ୍କ ଛଟେଇ କରିଥିଲେ। ନିଜର ଏହି ନିଷ୍ପତ୍ତିକୁ ନେଇ ମସ୍କ କହିଥିଲେ ଯେ, ଦୁର୍ଭାଗ୍ୟବଶତଃ ଏଭଳି ଛଟେଇ କରିବା ଛଡ଼ା ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା। କମ୍ପାନି ଦିନକୁ ୪ ନିୟୁତ ଡଲାରରୁ ଅଧିକ କ୍ଷତି କରୁଛି। ଭାରତୀୟ ମୁଦ୍ରାରେ ଏହି କ୍ଷତି ଦିନକୁ ପାଖାପାଖି ୩୩ କୋଟି ଟଙ୍କା ହେବ। ତେବେ ଏଭଳି ନିଷ୍ପତ୍ତି ନେବାର ୩ଦିନ ପରେ ଏବେ ୟୁ-ଟର୍ନ ମାରିଛନ୍ତି ମସ୍କ। ଛଟେଇ କରିଥିବା କର୍ମଚାରୀଙ୍କୁ ସେ ପୁଣି ଥରେ ଯୋଗ ଦେବାକୁ କହୁଥିବା ସାମ୍ନାକୁ ଆସିଛି। ଏହି ଖବର ଆସିବା ପରେ ଏଲନ ମସ୍କ ନିଜର ଭୁଲ ବୁଝିପାରିଥିବା ଚର୍ଚ୍ଚା ହେଉଛି।

ବିଜନେସ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କ ଟ୍ୱିଟରରୁ ବରଖାସ୍ତ ହୋଇଥିବା କିଛି କର୍ମଚାରୀଙ୍କୁ କାମକୁ ଫେରିବା ପାଇଁ ନିବେଦନ କରିଛନ୍ତି। କମ୍ପାନି ବରଖାସ୍ତ କରିଥିବା କର୍ମଚାରୀଙ୍କୁ ଫେରିବାକୁ ଅନୁରୋଧ କରି ‘ପ୍ଲିଜ୍ କମ ବ୍ୟାକ୍’ ଲେଖି ମେଲ୍ ପଠାଇଥିବା କୁହାଯାଉଛି। ହେଲେ ମସ୍କ କେତେ ଜଣ କର୍ମଚାରୀଙ୍କୁ କାମକୁ ଫେରିବାକୁ କହିଛନ୍ତି ତାହା ରିପୋର୍ଟରେ ପ୍ରକାଶ କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ଟ୍ବିଟରର ମାଲିକ ବନିବା ପରେ ପ୍ରଥମେ ‌ସେ ଭାରତୀୟ ବଂଶୋଦ୍ଭବ ତଥା ଟ୍ବିଟରର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୩ଜଣ ଶୀର୍ଷ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ। ପରେ ମସ୍କ କମ୍ପାନିର ସମସ୍ତ ବୋର୍ଡ ସଦସ୍ୟଙ୍କୁ ହଟାଇବା ପରେ ଭାରତ ସମେତ ସାରା ବିଶ୍ବରେ କମ୍ପାନି ପାଖାପାଖି ୩୮୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ହେଲେ ଏବେ ମସ୍କ ନିଜ ଭୁଲ ବୁଝିପାରି କିଛି କର୍ମଚାରୀଙ୍କୁ ଫେରିବାକୁ କହୁଥିବା ଚର୍ଚ୍ଚା ହେଉଛି।

 

ସମ୍ବନ୍ଧିତ ଖବର