ଜାତୀୟ ଏମଏସଏମ୍ଇ ପ୍ରତିଷ୍ଠାନ ଓ ଏଏସବିଏମ୍ ବିଶ୍ଵବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ବର:  ଭାରତ ସରକାରଙ୍କର ଜାତୀୟ ଏମ୍ ଏସ୍ ଏମ୍ ଇ ପ୍ରତିଷ୍ଠାନ ଓ  ଏଏସ୍ ବି ଏମ୍ ବିଶ୍ଵବିଦ୍ୟାଳୟ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି।

ଏ ଏସ୍ ବି ଏମ୍ ବିଶ୍ଵବିଦ୍ୟାଳୟର ସେଣ୍ଟ୍ରାଲ ଅଡିଟରିଅମ ରେ ଜାତୀୟ ଏମ୍ ଏସ ଏମ୍ ଇ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ଗ୍ଲୋରୀ ସ୍ୱରୂପା ଓ ଏ ଏସ୍ ବି ଏମ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ୍ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଚୁକ୍ତିପତ୍ର ବିନିମୟ କରିଥିଲେ।

ଏହି ବୁଝାମଣା ଅନୁଯାୟୀ ଆଗାମୀ ଶିକ୍ଷାବର୍ଷରୁ ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟ ଦୁଇ ବର୍ଷିଆ ଏମ୍ ବି ଏ   ଏମ୍ ଏସ ଏମ୍ ଇ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଜାତୀୟ ଏମ୍ ଏସ ଏମ୍ ଇ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଆରମ୍ଭ କରିବ।

ପ୍ରକାଶ ଥାଉ କି ଏହା ଦେଶରେ ପ୍ରଥମ ଏମ୍ ଏସ ଏମ୍ ଇ ମ୍ୟାନେଜମେଣ୍ଟରେ ପାଠ୍ୟକ୍ରମ। ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଅଧ୍ୟୟନ କରିବା ସଙ୍ଗେ ଦ୍ୱିତୀୟ ବର୍ଷ ଜାତୀୟ ଏମ୍ ଏସ ଏମ୍ ଇ ପ୍ରତିଷ୍ଠାନ ହାଇଦରାବାଦରେ ଅଧ୍ୟୟନ କରିବେ।

ଏହି ଅବସରରେ ଡକ୍ଟର ସ୍ୱରୂପା ଏ ଏସ ବି ଏମ୍ ର ଆନ୍ତର୍ଜାତିକ ଗୁଣବତ୍ତାକୁ ପ୍ରଶଂସା କରି କହିଲେ ଯେ ଏହି ପାଠ୍ୟକ୍ରମ ଦ୍ଵାରା ଏମ୍ ଏସ ଏମ୍ ଇ ଅଭିବୃଦ୍ଧି ଓ ଷ୍ଟାର୍ଟଅପର ବିକାଶ ହୋଇପାରିବ ଯାହା ଭାରତ ସରକାରଙ୍କର ଏକ ମୁଖ୍ୟ ଆଭିମୁଖ୍ୟ। ପ୍ରଫେସର ପଟ୍ଟନାୟକ କହିଲେ ଯେ ଭାରତ ସରକାରଙ୍କର ଏମ୍ ଏସ ଏମ୍ ଇ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଏହି ଏମ୍ ବି ଏ ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗୀ ହେବାରେ ସାହାଯ୍ୟ କରିବା ସହ ଏମ୍ ଏସ ଏମ୍ ଇ ର ପ୍ରାବନ୍ଧିକ ପରିଚାଳନା କ୍ଷେତ୍ରରେ କର୍ମ ନିଯୁକ୍ତି ସୃଷ୍ଟି କରିବ।

ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ମହାଦେବ ସ୍ବାଗତ ଭାଷଣ ଦେବା ସହ ଉପକୁଳପତି ପ୍ରଫେସର ଫଲ୍ଗୁ ନିରଞ୍ଜନା ଅତିଥି ପରିଚୟ କରାଇଥିଲେ। ବିଜିନେସ ସ୍କୁଲର ଡିନ ପ୍ରଫେସର ମନ୍ମଥ ସାମନ୍ତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟର ଭାଇସପ୍ରେସିଡେଣ୍ଟ ପ୍ରଫେସର କଲ୍ୟାଣ ଶଙ୍କର ରାୟ, ଡିନମାନେ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନଙ୍କ ସହ ଆମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର