୮୦୦ ଅତ୍ୟାବଶ୍ୟକ ଔଷଧ ଦାମ ବଢ଼ିବ, ଏପ୍ରିଲ୍‌ରୁ ୧୦.୭% ଅଧିକ ଗଣିବେ ଗ୍ରାହକ

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲ୍‌ପିଜି, ଖାଇବା ତେଲ ଆଦି ପରେ ଏବେ ଔଷଧ ମହଙ୍ଗା ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ପହିଲାରୁ ୮୦୦ ଅତ୍ୟାବଶ୍ୟକ ଔଷଧର ଦାମ୍ ପ୍ରାୟ ୧୦.୭ ପ୍ରତିଶତ ବଢ଼ିବ। ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଫଳରେ ଦେଶରେ ଅତ୍ୟାବଶ୍ୟକ ଔଷଧ ତାଲିକାରେ ଥିବା ୮୦୦ ତାଲିକାଭୁକ୍ତ ଔଷଧର ଦାମ ବଢ଼ିଯିବ। ଜର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତ ଚାପ, ଚର୍ମ ରୋଗ ଏବଂ ରକ୍ତହୀନତା ଭଳି ରୋଗର ଚିକିତ୍ସାରେ ଉପଯୋଗ ହେଉଥିବା ଅନେକ ଔଷଧ ଦାମ ବଢ଼ିଯିବ। ସେହି ଔଷଧ ଗୁଡ଼ିକ ମଧ୍ୟରେ ପାରାସିଟାମଲ, ଫେନୋବାରବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରୋଫ୍ଲୋକ୍ସେସିନ ହାଇଡ୍ରୋକ୍ଲୋରାଇଡ, ମେଟ୍ରୋନାଇଡେଜୋଲ ଆଦି ଔଷଧ ରହିଛି। ପାଇକାରୀ ମୂଲ୍ୟ ସୂଚୀ ତଥ୍ୟ ଆଧାରରେ ଔଷଧ ମୂଲ୍ୟରେ ଏହି ବୃଦ୍ଧି ଘୋଷଣା କରାଯାଇଛି। ସରକାରଙ୍କ ପକ୍ଷରୁ ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ପାଇକାରୀ ମୁଦ୍ରାସ୍ଫୀତିରେ ହୋଇଥିବା ବୃଦ୍ଧି ଆଧାରରେ ଔଷଧଗୁଡ଼ିକର ମୂଲ୍ୟ ବଢ଼ାଯାଇଛି ବୋଲି ଏନ୍‌ପିପିଏ କାର୍ଯ୍ୟାଳୟ ପକ୍ଷରୁ କୁହାଯାିଛି। ଏଥିସହିତ ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର-୨୦୧୩ ବ୍ୟବସ୍ଥା ଅନୁଯାୟୀ ସମସ୍ତ ପକ୍ଷ ପଦକ୍ଷେପ ନେବାଲାଗି ଏନପିପିଏ କହିଛି।

ଉଲ୍ଲେଖଯୋଗ୍ୟ, ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର-୨୦୧୩ର କ୍ଲଜ ୧୬ ଅନୁଯାୟୀ, ବାର୍ଷିକ ପାଇକାରୀ ମୂଲ୍ୟସୂଚୀ ଆଧାରରେ ଔଷଧ ମୂଲ୍ୟ ବୃଦ୍ଧି କରାଯାଇଛି। ଫାର୍ମା ଶିଳ୍ପ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି। ବର୍ଷବର୍ଷ ପରେ ତାଲିକାଭୁକ୍ତ ଔଷଧ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି। ଭାରତୀୟ ଔଷଧ ନିର୍ମାତା ସଂଘର ମହାସଚିବ ଦାରା ବି ପଟେଲ କହିଛନ୍ତି ତାଲିକାଭୁକ୍ତ ଔଷଧ ପାଇଁ ଏହା କରାଯାଇଛି ଏବଂ ଏସବୁ ଦର ପୂର୍ବରୁ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଅବଶ୍ୟ ଏଥିଯୋଗୁ ଗ୍ରାହକଙ୍କ ଉପରେ କିଛିଟା ବୋଝ ପଡ଼ିବ। କିନ୍ତୁ ଆମକୁ ଏହା ବୁଝିବାକୁ ହେବ ଯେ ଅନେକ ଔଷଧ ନିର୍ମାତା ଅଛନ୍ତି ଏବଂ ଭିନ୍ନ ଭିନ୍ନ ଫର୍ମୁଲେସନ ମଧ୍ୟ ରହିଛି। ତେଣୁ ସ‌ମ‌ସ୍ତେ ଯେ ୧୦ ପ୍ରତିଶତ ମୂଲ୍ୟବୃଦ୍ଧି କରିବେ ସେମିତି କିଛି ଆବଶ୍ୟକ ନାହିଁ। କିନ୍ତୁ ଏଭଳି ସୁଯୋଗକୁ ମଧ୍ୟ କେହି ହାତଛଡ଼ା ନକରି ପାରନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର