ବିଚ୍‌ ରାସ୍ତାରେ ବନ୍ଧୁକ ଦେଖାଇ ୨ଲକ୍ଷ ୨୪ ହଜାର ଲୁଟ୍‌

ବୟାଳିଶମୌଜା: କଟକ ସଦର ଥାନା ଅନ୍ତର୍ଗତ ୪୨ମୋଜା ଝିଙ୍କିରିଆ ଗ୍ରାମର ରାସ୍ତାରେ ଗତକାଲି ଦିନ ଦ୍ୱିପହରରେ ଲୁଟ୍‌ ହୋଇଛି। ବକ୍ସି ବଜାର ଓ ସୂତାହାଟରୁ କୁକୁଡ଼ା ପଇସା ସଂଗ୍ରହ କରି ୨ ଲକ୍ଷ ୨୪ହଜାର ଟଙ୍କା ନେଇ ଯାଉଥିବା ଦୁଇଜଣ କର୍ମଚାରୀଙ୍କୁ ୩ ଜଣ ଦୁର୍ବୃତ୍ତ ବଂଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପିଣ୍ଟୁ ମହାନ୍ତି ଏବଂ ଜୟ ଟ୍ୟାଙ୍କ ନାମକ ଦୁଇ ଯୁବକ ୪୨ମୋଜା ସିଟି ଫିଡ୍‌୍‌ସି କୁକୁଡ଼ା ଫାର୍ମକୁ ଟଙ୍କା ନେଇ ହିରୋ ହୋଣ୍ଡା ବାଇକ୍‌ରେ ଆସୁଥିବା ବେଳେ ୩ ଦୃର୍ବୁତ୍ତ ଏକ ପ୍ୟାସନ୍‌ ବାଇକ୍‌ରେ ସେମାନଙ୍କୁ ପିଛା କରି ଝିଙ୍କିରିଆ ଗ୍ରାମ ରାସ୍ତାରେ ଅଟକାଇଥିଲେ। ସେମାନଙ୍କୁ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇ ଟଙ୍କା ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଜୟ ଟ୍ୟାଙ୍କ ଟଙ୍କା ବ୍ୟାଗ ନଦେବାରୁ ୩ ଦୃର୍ବୁତ୍ତଙ୍କ ମଧ୍ୟରୁ ଜଣେ ଏକ ଛୁରାରେ ଜୟ ଟ୍ୟାଙ୍କଙ୍କ ମୁହଁକୁ ଏକ ଚୋଟ ପକାଇ ଥିଲେ। ଏଥିରେ ଜୟ ଟ୍ୟାଙ୍କ ଗୁରୁତର ଆହତ ହୋଇ ବ୍ୟାଗ ଛାଡ଼ି ଦେଇଥିଲେ। ୩ ଦୃର୍ବୁତ୍ତ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉକ୍ତ କର୍ମଚାରୀଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ପଠାଇଥିଲେ। ଏହି ଘଟଣାକୁ ନେଇ ୪୨ମୋଜା ସିଟି ଫିଡ୍‌ସ କୁକୁଡ଼ା ଫାର୍ମର ମାଲିକ କିଶୋରଚନ୍ଦ୍ର ରାଉତ ଫାଣ୍ଡିରେ ଏ ସଂକ୍ରାନ୍ତରେ ଏକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର