ରାଜସ୍ଥାନୀ ଯୁବକ ସମେତ ୩ ଗିରଫ

ସୌଖିନ୍‌ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌

ଗାର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ଲୁଟୁଥିଲେ

ଚନ୍ଦ୍ରଶେଖରପୁର : ଗାର୍ଲଫ୍ରେଣ୍ଡ୍‌କୁ ଆଭିଜାତ୍ୟପୂର୍ଣ୍ଣ ରେଷ୍ଟୁରାଣ୍ଟ୍‌କୁ ନେବା, ଦାମୀ ବାଇକ୍‌ ଚଲାଇବା, ଫିଲ୍ମ୍‌ ଷ୍ଟାଇଲ୍‌ରେ ବିଳାସପୂର୍ଣ୍ଣ ଜୀବନ ଜୀଇଁବା ପାଇଁ ମାଧ୍ୟମ ଥିଲା ଲୁଟ୍‌। ଯୌବନର ଆଦ୍ୟ ଅବସ୍ଥାରେ ପାଦ ଦେଇଥିବା ଯୁବକମାନଙ୍କର ଏପରି ଏକ ସୌଖିନ୍‌ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି ଚନ୍ଦ୍ରଶେଖରପୁର ପୁଲିସ୍‌। ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ସ୍ଥାନରୁ ଦାମୀ ମୋବାଇଲ୍‌ ଓ ପର୍ସ ଝାମ୍ପିନେଇ ପଳାଉଥିବା ଏକ ତିନିଜଣ ଲୁଟେରାଙ୍କୁ ଗିରଫ ପରେ ଏହି ଘଟଣା ପଦାକୁ ଆସିଛି। ଗିରଫ ହୋଇଥିବା ତିନି ଜଣ ଲୁଟେରାଙ୍କ ବୟସ ୨୦ ବର୍ଷରୁ ବି କମ୍‌। ଏହି ଗ୍ୟାଙ୍ଗ୍‌ରେ ଜଣେ ରାଜସ୍ଥାନୀ ଯୁବକଙ୍କ ସାମିଲ୍‌ ମଧ୍ୟ ପୁଲିସ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି। କାମ ଅନେ୍ଵଷଣରେ ଆସି ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ବାହାର ରାଜ୍ୟର ବ୍ୟକ୍ତିମାନେ ଏଭଳି ବିଭିନ୍ନ ଅପରାଧରେ ସାମିଲ ଥିବା ବିଷୟ ସାମ୍ନାକୁ ଆସିବା ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି।

ଧରାପଡ଼ିଥିବା ଏହି ଲୁଟେରାମାନେ ହେଲେ ସାଲିଆସାହି ନୟାଗଡ଼ସାହି ବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ଶରଣକୁଳର ମୂଳ ନିବାସୀ ନରେଶ ପ୍ରଧାନ ଓରଫ୍‌ ଲିପୁ(୨୦), ଶାରଳାନଗରରେ ରହୁଥିବା ଗଞ୍ଜାମ ଭଞ୍ଜନଗରର ମୂଳନିବାସୀ ଲଳିତ କୁମାର ବିଶୋଇ ଓରଫ୍‌ ଗୁଡ଼ୁ (୧୯) ଓ ବେହେରା ସାହିରେ ରହୁଥିବା ରାଜସ୍ଥାନ ଝୁନ୍‌ଝୁନ୍‌ର ମୂଳନିବାସୀ ଅରୁଣ କୁମାର(୧୯)। ବୁଧବାର ବିଳମ୍ବିତ ରାତିରେ ଏହି ସୌଖିନ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରିବା ସହ ସେମାନଙ୍କଠାରୁ ପୁଲିସ୍‌ ୬ଟି ଦାମୀ ମୋବାଇଲ୍‌ ମଧ୍ୟ ଜବତ କରିଛି।

ଅଳ୍ପ ବୟସର ଏହି ଯୁବକମାନେ ପ୍ରତିଦିନ ସନ୍ଧ୍ୟାରେ ଏକାଠି ବଜାର ବୁଲିବା ବାହାନାରେ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲାବୁଲି କରନ୍ତି। ଏମାନଙ୍କ ସମ୍ଭ୍ରାନ୍ତ ବେଶଭୁଷାକୁ ଦେଖିଲେ କେହି ମଧ୍ୟ ଏମାନଙ୍କୁ ଚୋର ବୋଲି ଭାବି ପାରିବେ ନାହିଁ। ମାତ୍ର ଚିକ୍କଣ ଚେହେରା ତଳେ ରହି ଏମାନେ ଅଜାଣତରେ ଲୋକଙ୍କ ହାତରୁ ମୋବାଇଲ୍‌ ଓ ପକେଟ୍‌ରୁ ପର୍ସ ଲୁଟ୍‌ କରିଥାଆନ୍ତି।

ଦୁଇ ଦିନ ପୂର୍ବେ ଜଣେ ଯୁବତୀଙ୍କ ହାତରୁ ମୋବାଇଲ୍‌ ଝାମ୍ପିନେଇଯିବା ମାମଲାରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ ଦେଇଥିଲେ। ଏନେଇ ପୁଲିସ୍‌ ମୋବାଇଲ୍‌ ଟ୍ରାକିଂ କରି ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଥିଲା। ବେଶ୍‌ କିଛି ମାସ ହେବ ସାଲିଆସାହିରେ ରହି ଏହି ଯୁବକମାନେ ବିଭିନ୍ନ ଲୁଟ୍‌ ମାମଲାରେ ଲିପ୍ତ ଥିବା ପୁଲିସ୍‌ ସୂତ୍ରରୁ ସୂଚନା ମିଳୁଛି। କମ୍‌ ବୟସରୁ ନିଜର ବିଳାସ ଚାହିଦାକୁ ପୂରଣ କରିବା ନିମନ୍ତେ ଏପରି ପନ୍ଥା ଅବଲମ୍ବନ କରିବା ସମାଜ ପାଇଁ ଚିନ୍ତାଜନକ। ଏହାସହିତ ବାହାରୁ ଆସି ରାଜଧାନୀରେ ରହି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଯୁବକମାନଙ୍କୁ ନେଇ ମଧ୍ୟ ପୁଲିସ୍‌ର ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର