୪ ଦୁର୍ଦାନ୍ତ ଡକାୟତ ଗିରଫ, ୨ ଫେରାର୍‌

କମିସନରେଟ୍‌ ପୁଲିସ ଟାର୍ଗେଟରେ ଡକାୟତ ଗ୍ୟାଙ୍ଗ୍‌

ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ରୂପରେ କମିସନରେଟ୍‌ ପୁଲିସ। ଏବେ ଟାର୍ଗେଟ୍‌ରେ ଡକାୟତ ଓ ଲୁଟେରା ଗ୍ୟାଙ୍ଗ୍‌। ୫ଦିନ ତଳେ ଖାରବେଳନଗର ଥାନା ପୁଲିସ ଏକ ଡକାୟତ ଗ୍ୟାଙ୍ଗ୍‌ର ୬ ଜଣଙ୍କୁୁ ଧରିଥିଲା। ଅନୁରୂପ ଭାବେ ଗତକାଲି ପୁଣିଥରେ ଖାରବେଳନଗର ଥାନା ପୁଲିସ ସତ୍ୟନଗର ଓଭରବ୍ରିଜ୍‌ ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଦେଇଛି। ଗ୍ୟାଙ୍ଗର ୪ ଜଣ ଦୁର୍ଦାନ୍ତ ଡକାୟତଙ୍କୁ ପୁଲିସ ଗିରଫ କରିଥିବାବେଳେ ସେମାନଙ୍କର ୨ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ଗିରଫ ଡକାୟତମାନେ ହେଲେ କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୬ ଅଞ୍ଚଳ ସଡ଼କବସ୍ତିର ସୁଶାନ୍ତ ବାରିକ(୧୯), ସୁଦର୍ଶନ ନାୟକ ଓରଫ ପପୁ(୨୮), ତାରିଣୀବସ୍ତିର ସାଗର ନାଏକ(୨୧) ଓ ସହିଦନଗର ପଥରବନ୍ଧ ବସ୍ତିର ବାପି ସବର(୩୭)। ପୁଲିସ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଗୁଳି, ୨ଟି କଟୁରି, ୨ଟି ବାଇକ୍‌, ୫ଟି ମୋବାଇଲ୍‌ ଫୋନ୍‌ ଓ ଏକ ହଜାର ଟଙ୍କା ଜବତ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଫେରାର୍‌ ଥିବା ଅନ୍ୟ ୨ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ସୁଶାନ୍ତ, ସୁଦର୍ଶନ, ସାଗର, ବାପି ଓ ସେମାନଙ୍କ ସହଯୋଗୀମାନେ ସତ୍ୟନଗର ଓଭରବ୍ରିଜ୍‌ ତଳେ ଥିବା ଏକ ଅନ୍ଧାରିଆ ଜାଗାରେ ବସି ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ତେଣୁ ସେମାନଙ୍କୁ କାବୁ କରିବା ପାଇଁ ଯୋଜନା ମୁତାବକ ପ୍ରଥମେ ବାଇକ୍‌ରେ ଦୁଇ ଜଣ ପୁଲିସ ସାଦା ପୋଷାକରେ ଯାଇଥିଲେ। ପଛେ ପଛେ ଖାରବେଳନଗର ଥାନା ପୁଲିସ ଟିମ୍‌ ୨ଟି ଭ୍ୟାନ୍‌ରେ ଯାଇଥିଲା। ବାଇକ୍‌ରେ ଯାଉଥିବା ପୁଲିସ କର୍ମଚାରୀମାନେ ଡକାୟତମାନେ ବସିଥିବା ସ୍ଥାନ ଆଡ଼କୁ ମାଡ଼ିଯିବାରୁ ଡକାୟତମାନେ ନିକଟକୁ ଚାଲିଆସି ସେମାନଙ୍କୁ ଅଟକାଇଥିଲେ। ଏତିକିବେଳେ କିଛି ଦୂରରେ ୨ଟି ଭ୍ୟାନ୍‌ରେ ଜଗିଥିବା ପୁଲିସ ଟିମ୍‌ ତୁରନ୍ତ ଡକାୟତମାନଙ୍କୁ ଆଗ ଓ ପଛରୁ ଘେରିଯାଇଥିଲେ। ପୁଲିସକୁ ଦେଖି ଡକାୟତମାନେ ଖସିପଳାଇବାକୁ ଉଦ୍ୟମ କରିଥିଲେ। ଏମିତିକି ପୁଲିସ ସହ ଧସ୍ତାଧସ୍ତି ବି କରିଥିଲେ। ପୁଲିସ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅନ୍ୟ ୨ଜଣ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର