ଗୁରୁଗ୍ରାମ ହତ୍ୟା: ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ଗିରଫ କଲା ସିବିଆଇ

ଗୁରୁଗ୍ରାମ: ଗୁରୁଗ୍ରାମର ରିୟାନ୍‌ ଇଣ୍ଟରନେସନାଲ୍‌ ସ୍କୁଲ୍‌ର ଶୌଚାଳୟରେ ଗତ ସେପ୍ଟେମ୍ବର ୮ ତାରିଖରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ର ପ୍ରଦ୍ୟୁମ୍ନର ହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି। ଏହି ମାମଲାର ତଦନ୍ତ କରି ସିବିଆଇ ଉକ୍ତ ସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ଗିରଫ କରିଛି। ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ଖୁବ୍‌ ଶୀଘ୍ର ଏହି ମାମଲା ନେଇ ଅଧକ ତଥ୍ୟ ସାମ୍ନାକୁ ଆଣିବ ବୋଲି ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ, ସ୍କୁଲ୍‌ ପରିସରରେ ପ୍ରଦ୍ୟୁମ୍ନର ମୃତ ଶରୀର ମିଳିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌କୁ ପଠାଯାଇଥିଲା। ପ୍ରଦ୍ୟୁମ୍ନର ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ତା’ର ବେକକୁ କେହି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛି। ଏହି ମାମଲାରେ ରିୟାନ୍‌ ଇଣ୍ଟରନେସନାଲ୍‌ ସ୍କୁଲ୍‌ର ବସ୍‌ କଣ୍ଡକ୍ଟରଙ୍କୁ ପୁଲିସ୍‌ ଗିରଫ କରିଥିଲା। ସୁରକ୍ଷା ମାନଦଣ୍ଡର ଉଲଂଘନ କରିଥିବାରୁ ସ୍କୁଲ୍‌ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଗିରଫ ପର ଦିନ କଣ୍ଡକ୍ଟର ଅଶୋକ କୁମାର ନିଜେ ପ୍ରଦ୍ୟୁମ୍ନର ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ମାତ୍ର ଏହାକୁ ଅବିଶ୍ୱାସ କରିଥିଲେ ପ୍ରଦ୍ୟୁମ୍ନର ବାପା। କଣ୍ଡକ୍ଟର ତାଙ୍କ ପୁଅର ହତ୍ୟା କରିବାର କୌଣସି କାରଣ ନାହିଁ ବୋଲି କହିବା ସହ ତାଙ୍କ ପୁଅର ହତ୍ୟା କରିବା ପାଇଁ ଏହା ହେଉଛି କାହାର ଷଡ଼ଯନ୍ତ୍ର ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର