ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଶିଳପୁଆରେ ଛେଚି ପତ୍ନୀଙ୍କୁ ହତ୍ୟା ଘଟଣା

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନ ଖାନ୍‌ ଚିକେନ ସେଣ୍ଟର ଗଳି ନାଲିଅନ୍ତା ପୋଖରୀ ନିକଟରେ ପତ୍ନୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିବା ଘଟଣା ଆଜି ରାୟ ପ୍ରକାଶ ପାଇଛି। ଖୋର୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ ଦାମୋଦର ରଥ ଅଭିଯୁକ୍ତ ପତିଙ୍କୁ ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଅଧିକ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବେ। ଦୋଷୀ ସାବ୍ୟସ୍ତ ହୋଇଥିବା ପତି ହେଲେ ହରଜିତ ସିଂହ। ଘର ପଞ୍ଜାବର ଅମୃତସରରେ। ୨୦୧୫ ମସିହା ନଭେମ୍ବର ୧୫ ତାରିଖ ରାତିରେ ସେ ତାଙ୍କ ପତ୍ନୀ ସସ୍ମିତା ସିଂହ ଓରଫ ଦାସଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିଲେ। ମାତ୍ର ୨ ବର୍ଷ ୫ ମାସ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ କୋର୍ଟର ଏଭଳି ରାୟକୁ ସାଧାରଣରେ ସ୍ୱାଗତ କରାଯାଇଛି। ଏଭଳି ତୁରନ୍ତ ରାୟ ପ୍ରକାଶ ପାଇଲେ ପୀଡ଼ିତଙ୍କ ପରିବାର ନ୍ୟାୟ ପାଇ ପାରିବେ ବୋଲି ଅନେକ ଆଇନଜୀବୀ ମତ ପୋଷଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ହରଜିତ ଭୁବନେଶ୍ୱର ଆସିବା ପରେ ସସ୍ମିତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଦୁହେଁ ବିବାହ କରିଥିଲେ। ବିବାହ ପରେ କିନ୍ତୁ ସମ୍ପର୍କ ବିଗିଡ଼ି ଯାଇଥିଲା। ବିଭିନ୍ନ ସମୟରେ ହରଜିତ ମଦ୍ୟପାନ କରି ପତ୍ନୀଙ୍କ ସହିତ ଗଣ୍ଡଗୋଳ କରିଥାନ୍ତି। ଘଟଣା ରାତିରେ ହରଜିତ ସସ୍ମିତାଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପରେ ସସ୍ମିତା ଶୋଇ ପଡ଼ିବା ପରେ ହରଜିତ ଶିଳପୁଆରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ରକ୍ତାକ୍ତ ଅବସ୍ଥାରେ ସସ୍ମିତା ଛଟପଟ ହେଉଥିବାବେଳେ ହରଜିତ ତାଙ୍କ ଶ୍ୱଶୁର ଘରକୁ ଯାଇ ଶଳା ଦୁଃଖୀରାମଙ୍କୁ କହିଥିଲା, ମୁଁ ତୁମ ଭଉଣୀକୁ ମାରି ଦେଇଛି। ଏ ନେଇ ଦୁଃଖୀରାମ ତୁରନ୍ତ ପୁଲିସକୁ ଜଣାଇବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କୋର୍ଟରେ ଆରମ୍ଭ ହୋଇଥିଲା। ୧୭ ଜଣ ସାକ୍ଷୀ ଓ ପ୍ରମାଣ ବଳରେ ମାନ୍ୟବର ବିଚାରପତି ଶ୍ରୀ ରଥ ହରଜିତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିଲେ ଆଇନଜୀବୀ ସୁରେଶ କୁମାର ବାରିକ। ମାମଲାର ତଦନ୍ତ କରୁଥିଲେ ଲକ୍ଷ୍ମୀସାଗର ଥାନା ତତ୍କାଳୀନ ଇନ୍ସପେକ୍ଟର ତଥା ଏବର ଏସିପି ଡିଆଇବି ରଜତ ରାୟ। ଆଜିର ଏହି ରାୟ ପରେ ତଦନ୍ତକାରୀ ଅଫିସର ଶ୍ରୀ ରାୟ କହିଛନ୍ତି, ‘ସସ୍ମିତାଙ୍କର ଦୁଇଟି ଛୋଟଛୋଟ ପିଲାଥିଲେ। ସେମାନଙ୍କୁ କେମିତି ନ୍ୟାୟ ମିଳିବ’ ମୁଁ ଅନେକ ଉଦ୍ୟମ କରିଥିଲି।

ସମ୍ବନ୍ଧିତ ଖବର