ଜେସିବି ଓ ଟ୍ରକ ସାହାଯ୍ୟରେ ୬୦ଫୁଟ ଲମ୍ବର ପୋଲ ଚୋରି କରି ନେଇଗଲେ ଚୋର!

ନୂଆଦିଲ୍ଲୀ: ଚୋରିର ଅନେକ ଅଜବ ଘଟଣା ସାମ୍ନାକୁ ଆସିଥାଏ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଚୋରମାନେ ପୋଲ ଚୋରି କରି ନେଇଥିବାର ଘଟଣା। ଚୋରିର ଏହି ଅଜବ ଘଟଣା ବିହାରର ରୋହତାସ ଜିଲ୍ଲାରୁ ସାମ୍ନାକୁ ଆସିଛି। ଚୋରମାନେ ଏଠାରେ ଯେଭଳି ଭାବେ ଚୋରି କରିଛନ୍ତି ତାହା ଜାଣିବା ପରେ ଆପଣ ମୁଣ୍ଡରେ ହାତ ଦେବେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୋରମାନେ ୬୦ ଫୁଟ ଲମ୍ବର ପୋଲ ଚୋରି କରି ନେଇଯାଇଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିହାରର ରୋହତାସ ଜିଲ୍ଲାର ନାସରିଗଞ୍ଜ ବ୍ଲକ ଅମିୟାଭର ଅଞ୍ଚଳରେ ଏକ କେନାଲ ଅଛି। ଏହି କେନାଲ ଉପରେ ନିର୍ମିତ ଲୁହା ପୋଲ ରାତାରାତି ଅଦୃଶ୍ୟ ହୋଇଯାଇଥିଲା| ପୋଲ ଅଦୃଶ୍ୟ ହେବାର ଖବର ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଯେତେବେଳେ ଲୋକମାନେ ଯାଇ ଦେଖିଲେ, କେନାଲ ଉପରେ ନିର୍ମିତ ୬୦ ଫୁଟ ଲମ୍ବ, ଦଶ ଫୁଟ ଚଉଡା ଏବଂ ବାର ଫୁଟ ଉଚ୍ଚ ସେତୁ ନିଖୋଜ ଥିଲା। କୁହାଯାଉଛି ଯେ ଚୋରମାନେ ଜେସିବି ସାହାଯ୍ୟରେ ଏହି ପୋଲକୁ ଉଚ୍ଛେଦ କରି ଟ୍ରକ ଉପରେ ଲୁହାକୁ ଲଦି ସାଙ୍ଗରେ ନେଇ ଯାଇଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି ଚୋରମାନେ ରାତିସାରା ଏତେ ବଡ ଘଟଣା ଘଟାଇଥିଲେ ମଧ୍ୟ ପ୍ରଶାସନ ଏ ବିଷୟରେ ଜାଣି ପାରି ନଥିଲା।

ଗ୍ରାମବାସୀ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଅନେକ ଥର ଚୋରମାନେ ପୋଲ ଭାଙ୍ଗି ସେଥିରୁ ଲୁହା ବାହାର କରି ପିକଅପ୍ ଉପରେ ଲୋଡ୍ କରି ନେଇଯାଇଥିଲେ। ତେବେ ଏଥର ଚୋରମାନେ ୬୦ ଫୁଟ ଲମ୍ବର ପୋଲ ଚୋରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଚୋରମାନେ ପୋଲକୁ ଭାଙ୍ଗି ଲୁହା ‌କେଉଁଆଡେ ନେଇଛନ୍ତି ତାହା ଜଣା ପଡିନାହିଁ।

ସମ୍ବନ୍ଧିତ ଖବର