ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ, କଲେଜ କର୍ତୃପକ୍ଷଙ୍କୁ ଦାୟୀ କଲା ପରିବାର

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ଏକ ଘରୋଇ ମେଡିକାଲ କଲେଜର ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ରବିବାର ପୁଲିସ ଜବତ କରିଛି। ତାଙ୍କ ନାଁ ନିହାର ରଞ୍ଜନ ରାଉତ (୨୧)। ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ସେ ତୃତୀୟ ବର୍ଷର ଏମ୍‌ବିବିଏସ୍‌ ଛାତ୍ର। ଏନେଇ ପୁଲିସ ଏକ ମାମଲା ରଜୁ କରି ମୃତଦେହକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ସାଙ୍ଗମାନେ ରାତ୍ରିଭୋଜନ ପାଇଁ କ୍ୟାଣ୍ଟିନକୁ ଯାଇଥିବା ବେଳେ ନିହାର ରୁମ୍‌ରେ ଏକାକୀ ଥିଲେ। ଏହି ସୁଯୋଗରେ ସେ ଫ୍ୟାନ୍‌ରେ ରଶି ଦେଇ ଝୁଲି ପଡ଼ିଥିଲେ। ସହପାଠୀମାନେ ନିହାରଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ କଲେଜ କର୍ତ୍ତୃପକ୍ଷ ମଞ୍ଚେଶ୍ୱର ଥାନା ପୁଲିସକୁ ଜଣାଇଥିଲେ। ପୁଲିସଠାରୁ ଖବର ପାଇ ନିହାରଙ୍କ ପରିବାର ଲୋକ ଆଜି ଏଠାରେ ପହଞ୍ଚିଥିଲେ। କିନ୍ତୁ ନିହାରଙ୍କ ଆତ୍ମହତ୍ୟା ଘଟଣାକୁ ସେମାନେ ସହଜରେ ହଜମ କରିପାରୁନାହାନ୍ତି। ନିହାରଙ୍କ ମୃତ୍ୟୁ ପାଇଁ କଲେଜ କର୍ତୃପକ୍ଷ ଦାୟୀ ବୋଲି ନିହାରଙ୍କ ବାପା ନରେନ୍ଦ୍ର ରାଉତ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ କଲେଜ ଫି’ ବାବଦକୁ ୮ ଲକ୍ଷ ଟଙ୍କା ବାକି ଥିବାରୁ ନିହାରଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିଲା। ଏପରିକି ତାଙ୍କୁ ପରୀକ୍ଷାରୁ ବଞ୍ଚିତ କରିବା ପାଇଁ ଧମକ ମଧ୍ୟ ଦିଆଯାଉଥିଲା। ସେଥିପାଇଁ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷେ କଲେଜ କର୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। ନିହାରଙ୍କ ସେମିଷ୍ଟର୍‌ ପରୀକ୍ଷା ଖରାପ ହୋଇଥିଲା। ଫଳରେ ସେ ଦୀର୍ଘ ଦିନ ଧରି ଚାପରେ ରହୁଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ଏପରି କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ନିହାରଙ୍କ ମୋବାଇଲ୍‌କୁ ଜବତ କରି ବିଭିନ୍ନ ଦିଗ ଉପରେ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର