ରଙ୍ଗମାଟିଆ ଲଣ୍ଡା ହତ୍ୟା ଘଟଣା: ଦଶାହ ପୂର୍ବରୁ ସବୁ ଅଭିଯୁକ୍ତ ଜେଲ୍‌ରେ

ଚନ୍ଦ୍ରଶେଖରପୁର: ରଙ୍ଗମାଟିଆ ଗ୍ରାମର ୨୨ବର୍ଷୀୟ ଯୁବକ ଦୀପକ ବେହେରା ଓରଫ ଲଣ୍ଡା ହତ୍ୟାକାଣ୍ଡର ୧୦ ଦିନ ମଧ୍ୟରେ ସମସ୍ତ ୮ ଅଭିଯୁକ୍ତକୁ ପୁଲିସ ଗିରଫ କରି ଜେଲ୍‌ ପଠାଇଛି। ମଞ୍ଚେଶ୍ବର ଥାନା ପୁଲିସ ମୋବାଇଲ୍ ଟ୍ରାକିଂ କରି ବ୍ରହ୍ମପୁର, କଟକ ଓ ନଖରା ଅଞ୍ଚଳରୁ ଗିରଫ କରିଥିବା ଅଭିଯୁକ୍ତମାନେ ଏବେ ଝାରପଡ଼ା ବିଚାର ବିଭାଗୀୟ ହାଜତର ୧୦୮ ନମ୍ବର ସେଲ୍‌ରେ। ପୂର୍ବରୁ କମିସନରେଟ୍‌ ପୁଲିସ ଅନ୍ୟ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଣଜିତ୍ ଚେମି ଓରଫ ଚାଇନା(୨୫)କୁ ଗତକାଲି ଗିରଫ କରିଛି।

ମଞ୍ଚେଶ୍ବର ଥାନା ପୁଲିସ୍ କହିବା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ବେହେରା (ଗୋପାଳ) ଓ ପରିଡ଼ା (ଖଣ୍ଡାୟତ) ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ କେନ୍ଦ୍ର କରି ମାସେ ତଳେ ଲଣ୍ଡା ରଙ୍ଗମାଟିଆ ଗ୍ରାମର ପିକନ୍ ଓ ଅନ୍ୟ ଜଣେ ଯୁବକକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ତେଣୁ ପ୍ର‌ତିଶୋଧ ନେବାକୁ ଯାଇ ହତ୍ୟାକାଣ୍ଡ ଦିନ ଅଭିଯୁକ୍ତମାନେ ଲଣ୍ଡାର ଦୁଇ ଗୋଡ଼କୁ ଖଣ୍ଡାରେ ୯ଥର ଚୋଟ ପକାଇ ପଙ୍ଗୁ କରିଦେଇଥିଲେ। ପରେ ମୁଣ୍ଡରେ ଖଣ୍ଡା ଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ପୁଲିସ ମୋବାଇଲ ଟ୍ରାକିଂ କରି ହତ୍ୟାକାଣ୍ଡ ଦିନ ପ୍ରଫୁଲ୍ଲ ପରିଡ଼ା(୫୩) ଓ ପ୍ରତାପ ପରିଡ଼ା(୪୨)କୁ ରଙ୍ଗମାଟିଆ ଗ୍ରାମରୁ ଗିରଫ କରିଥିଲା। ୧୨ ତାରିଖ ଦିନ ବ୍ରହ୍ମପୁରରୁ ପ୍ରମୋଦ ପରିଡ଼ା(୪୦) ଗିରଫ ହେବା ପରେ ସେ ଅନ୍ୟ ଅଭିଯୁକ୍ତମାନଙ୍କ ସଂପର୍କରେ ସୂଚନା ଦେଇ ପୁଲିସର କାମ ସହଜ କରିଦେଇଥିଲା। ପରେ କଟକ ଓ ନଖରାରୁ ୧୬ତାରିଖ ଦିନ ସୌମ୍ୟରଞ୍ଜନ ପରିଡ଼ା(୨୨), ସୁରେଶ ଚନ୍ଦ୍ର ସାହୁ(୨୩), ମଳୟ ରଞ୍ଜନ ତରାଇ(୧୯) ଓ ମନୋଜ ବେହେରା ଓରଫ ମନୁ(୨୦)କୁ ପୁଲିସ୍ ଗିରଫ କରିଥିଲା।

ସମ୍ବନ୍ଧିତ ଖବର