ଫିଲ୍ମ ଟିକେଟ କିଣିବା ପାଇଁ ଟଙ୍କା ନ ଦେବାରୁ ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ
ଭେଲୋର(ତାମିଲନାଡୁ): ତାମିଲନାଡୁର ଭେଲୋରରେ ଜଣେ ପୁଅ ନିଜ ବାପାକୁ ଜିଅନ୍ତା ଜାଳିଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ତାମିଲ ଷ୍ଟାର ଅଜିତ୍ଙ୍କ ଫିଲ୍ମ ବିଶ୍ୱାସମ୍ ରିଲିଜ୍ ହେବା ପରେ ଅଭିଯୁକ୍ତ ପୁଅ ଫିଲ୍ମ ଟିକେଟ କିଣିବା ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା । କିନ୍ତୁ ପୀଡ଼ିତ ମନା କରିବାରୁ ଅଭିଯୁକ୍ତ ପୁଅ ନିଜ ବାପାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ଘଟଣା ଘଟିବାର ତୁରନ୍ତ ପରେ ପୀଡ଼ିତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପାଣ୍ଡିଆନ୍ ନିଜ ସ୍ତ୍ରୀଙ୍କ ସହ ଝଗଡ଼ା କରି ଘର ଠାରୁ କିଛି ଦୂରରେ ଥିବା ଏକ ବନ୍ଦ ଦୋକାନ ବାହାରେ ଶୋଇଥିଲେ । ଗୁରୁବାର ସକାଳୁ ତାଙ୍କ ପୁଅ ଅଜିତ୍ ତାଙ୍କ ପାଖକୁ ଯାଇ ଫିଲ୍ମ ଟିକେଟ ପାଇଁ ଟଙ୍କା ମାଗିଥିଲେ । ପାଣ୍ଡିଆନ୍ ଦିନ ମଜୁରିଆ ହୋଇଥିବାରୁ ସେ ଟଙ୍କା ନଥିବା କହି ମନା କରି ଦେଇଥିଲେ । ରାଗରେ ଅଜିତ୍ ଘରୁ କିରୋସିନ ନେଇ ପାଣ୍ଡିଆନ୍ଙ୍କ ଦେହରେ ଢ଼ାଳି ନିଆଁ ଲଗାଇ ସେଠାରୁ ଫେରାର ହୋଇ ଯାଇଥିଲେ । ପାଣ୍ଡିଆନ୍ଙ୍କ ଚିତ୍କାର ଶୁଣି ଲୋକମାନେ ନିଆଁ ଲିଭାଇବା ସହ ଭେଲୋରରେ ଥିବା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଅନ୍ୟ ପକ୍ଷରେ ଏ ବିଷୟରେ ଜଣା ପଡ଼ିବା ପରେ ଅଜିତ୍କୁ ଅଟକ ରଖି ପୁଲିସ ପଚାଉଚରା ଆରମ୍ଭ କରିଥିବା ଜଣା ପଡ଼ିଛି ।