ଦୁଇ ଥର ଅନଲାଇନ୍ ଠକେଇର ଶିକାର ହେବା ପରେ ହାକର ପ୍ରେମରେ ପଡ଼ିଲେ ଯୁବକ, ଜାଣିବା ପରେ ଛାଡ଼ପତ୍ର ଦେଲା ସ୍ତ୍ରୀ
ବେଙ୍ଗାଲୁରୁ: ସ୍ବାମୀ ଦୁଇ ଥର ଅନଲାଇନ୍ ଠକେଇର ଶିକାର ହେବା ପରେ ସ୍ତ୍ରୀ ଛାଡ଼ପତ୍ର ଦେବା ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଠକେଇର ଶିକାର ହେବା ପରେ ମଧ୍ୟ ହାକର ସହ ପ୍ରେମାଳପ କରୁଥିବାରୁ ସ୍ତ୍ରୀ ରାଗରେ ଛାଡ଼ପତ୍ର ଦେଇଥିବା ଜଣାପଡ଼ିଛି। ସ୍ବାମୀ ଜଣେ ସପ୍ଟୱେର ଇଞ୍ଜିନିୟର ହୋଇ ମଧ୍ୟ ଏଭଳି ଦୁଇ ଥର ଅନଲାଇନ୍ ଠକେଇର ଶିକାର ହେବା ଖବରକୁ ସହଜରେ ଗ୍ରହଣ କରିପାରି ନଥିଲେ ମହିଳା। ପରେ ହାକର ସହ ପ୍ରେମାଳପ କରୁଥିବା ଜାଣି ସଂପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇ ସାରିଥିବା ବେଳେ ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ସୁରେଶ ଏବଂ ଶ୍ରେୟା ୨୦୧୯ରେ ମାତା-ପିତା ବନିଥିଲେ । ଏହା ପରେ ସୁରେଶ ପରିବାର ସହ ବିଦେଶରେ ଚାକିରି କରି ରହିବା ପାଇଁ ମନସ୍ଥ କରିଥିଲେ। ଚାକିରି କରିବା ପାଇଁ ସୁରେଶ ଇଣ୍ଟରନେଟ୍ ଜରିଆରେ ବିଦେଶରେ ଚାକିରି ଖୋଜିବା ଆରମ୍ଭ କରିଥିଲେ। କିଛି ମାସ ପରେ ଦୁବାଇର ଏକ ସପ୍ଟୱେର କମ୍ପାନି ସୁରେଶଙ୍କୁ ଚାକିରି ଅଫର କରିଥିଲା। ପରେ କମ୍ପାନିରେ ତାଙ୍କ ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ କମ୍ପାନି ପକ୍ଷରୁ ସୁରେଶଙ୍କୁ ୨୫ଲକ୍ଷ ଟଙ୍କା ମଗାଯାଇଥିଲା। ବିଦେଶରେ ଚାକିରି କରିବାର ନିଶା ପାଇଁ ସୁରେଶ ଋଣ କରି କମ୍ପାନିକୁ ୨୫ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ଯେଉଁ ଅନଲାଇନ୍ ୱେବସାଇଟ୍ ତାଙ୍କୁ ଚାକିରି ଅଫର କରିଥିଲା, ତାହା ଉଭାନ ହୋଇଯାଇଥିଲା। ଏପରି ହେବା ପରେ ଠକେଇର ଶିକାର ହୋଇସାରିଥିବା ଜାଣିଥିଲେ ସୁରେଶ। ଏତେ ସବୁ ଘଟିସାରିଥିବା ବିଷୟରେ ଜାଣି ନଥିଲେ ଶ୍ରେୟା।
ଠକେଇର ଶିକାର ହୋଇ ସୁରେଶ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ପୁଲିସ ତଦନ୍ତ କରୁଥିଲେ ମଧ୍ୟ ସୁରେଶ ଦୁଇ ଜଣ(ଜଣେ ପୁରୁଷ ଓ ଜଣେ ମହିଳା) ହାକରଙ୍କୁ ତଦନ୍ତ କରିବା ଦାୟିତ୍ବ ଦେଇଥିଲେ। ଦୁଇଜଣଙ୍କ ମଧ୍ୟରୁ ମହିଳା ହାକରଙ୍କୁ ତଦନ୍ତ ପାଇଁ ୧୨ଲକ୍ଷ ଟଙ୍କା ଦେବା ସହ ତାଙ୍କ ସହ ପ୍ରେମାଳପ କରିବା ଆରମ୍ଭ କରିଥିଲେ ସୁରେଶ। ଟଙ୍କା ନେଇ ମଧ୍ୟ ମହିଳାଜଣଙ୍କ ତଦନ୍ତ ନକରି ସୁରେଶଙ୍କୁ ପ୍ରେମ ଜାଲରେ ଫସାଇବାରେ ଲାଗିଥିଲେ। ଏ ମଧ୍ୟରେ ଶ୍ରେୟା ସୁରେଶଙ୍କ ଫୋନ ଚେକ୍ କରି ମହିଳା ହାକରଙ୍କ ସହ ହୋଇଥିବା କଥା ସବୁ ହ୍ବାଟସଆପରେ ଦେଖିଥିଲେ। ଯାହା ପରେ ସୁରେଶ ୨୫ଲକ୍ଷ ଟଙ୍କା ହରାଇଥିବା ଜାଣିବାକୁ ପାଇଥିଲେ ଶ୍ରେୟା। ଜଣେ ସପ୍ଟୱେର ଇଞ୍ଜିନିୟର ହୋଇ ଏଭଳି ଦୁଇ ଦୁଇ ଥର ଠକେଇର ଶିକାର ହେବା ଏବଂ ହାକରଙ୍କ ସହ ପ୍ରେମାଳପ କରିବା ବିଷୟରେ ଜାଣି ଶ୍ରେୟା ଏବେ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।