ଅଭାବନୀୟ ଘଟଣା: ମୋବାଇଲ ପାଇଁ ସାନ ଭାଇର ଜୀବନ ନେଇଗଲା ବଡ଼ ଭାଇ

ରାୟଗଡ଼ା: ମୋବାଇଲକୁ ନେଇ କାଶୀପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ମୋବାଇଲ ପାଇଁ ଦୁଇ ଭାଇଙ୍କମଧ୍ୟରେ ଝଗଡା ହେଇଥିଲା। ଶେଷରେ କଥା ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ବଡ଼ ଭାଇର ଠେଙ୍ଗା ମାଡରେ ସାନ ଭାଇର ଜୀବନ ଚାଲି ଯାଇଥିବା ଖବର ମିଳିଛି।

ସୂଚନା ଅନୁଯାୟୀ; ଉକ୍ତ ଘଟଣା କାଶୀପୁର ସଦର ମହକୁମା ପଣସଗୁଡା ଗାଁ ଠାରେ ଘଟିଛି। ପଣସଗୁଡା ଗ୍ରାମର ଲାଲୁ ମାଝିଙ୍କର ବଡ଼ ପୁଅ ପପୁ ମାଝି(୨୭)ଏବଂ ସାନ ପୁଅ ହେଉଛି ପିଣ୍ଟୁ ମାଝି (୨୩) । ଉଭୟ ବର୍ଷ ତମାମ ଦାଦାନ ଖଟିବାକୁ ଯାଇ କେରଳ ପ୍ରଦେଶ ରୁହନ୍ତି । ହେଲେ ମହାମାରୀ କରୋନା ସଂକ୍ରମଣ ସମୟରେ ସରକାରଙ୍କ ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଅଣାଯାଇଥିଲା।

ଘରକୁ ଆସିବାକୁ ମନସ୍ଥ କରି ଉଭୟ ସରକାରୀ ବ୍ୟବସ୍ଥିତ ଟ୍ରେନ ଯୋଗେ ଘରେ ପହଞ୍ଚିଥିଲେ । କାଶୀପୁର ଠାରେ ପ୍ରଶାସନର ନିୟମ ଅନୁଯାୟୀ ନାମ ପଞ୍ଜିକୃତ ପରେ ଦୁଇଭାଇ କାଶୀପୁର ସଦର ମହକୁମାରେ ଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ୧୬ ଦିନ ରହିଥିଲେ । ସଙ୍ଗରୋଧ ଅବଧି ଶେଷ ହେବା ପରେ ଉଭୟ ଭାଇ ଦୁଇଦିନ ପୂର୍ବେ ନିଜ ଘର ପଣସଗୁଡାରେ ପହଞ୍ଚିଥିଲେ। ଏତେଦିନ ପରେ ଘରେ ପହଞ୍ଚିଥିବାରୁ ଦୁଇଦିନ ଖୁବ୍‌ ମଜାମଜଲିସ କରିଥିଲେ। କିନ୍ତୁ କୌଣସି କାରଣରୁ ଗତବୁଧବାର ବିଳମ୍ବିତ ରାତିରେ ମୋବାଇଲ ପାଇଁ ଦୁଇଭାଇ ମଧ୍ୟରେ ବଚସା ଆରମ୍ଭ ହେଇଯାଇଥିଲା । ଏଥିରେ ବଡ଼ ଭାଇର ଠେଙ୍ଗା ମାଡରେ ସାନ ଭାଇର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର