ବାରିପଦା: ବାଇକରେ ଆସିଲେ, ଦୁଇଟି ସ୍ଥାନରୁ ୨.୪୮ ଲକ୍ଷ ଲୁଟି ଫେରାର ହୋଇଗଲେ

ବାରିପଦା: ବାରିପଦା ସହରରେ କିଛି ଦିନରେ ନୀରବତା ପରେ ପୁଣି ଥରେ ଲୁଟେରାମାନେ ସକ୍ରିୟ ହୋଇ ପଡ଼ିଛନ୍ତି । ଲୁଟେରାମାନେ ବାଇକରେ ଆସି  ଜନଗହଳି ପୂର୍ଣ୍ଣ ସ୍ଥାନରୁ ପଲକ ମାତ୍ରକେ ଲୁଟି ଫେରାର ହୋଇଯାଉଛନ୍ତି । ଏହିଭଳି ପୃଥକ ପୃଥକ ଭାବେ ଦୁଇଟି ଘଟଣା ଆଜି ଜୁନ ପୂର୍ବାହ୍ନରେ ବାରିପଦା ସହରରେ ଘଟିଯାଇଥିବାର ବାରିପଦା ଟାଉନ ଥାନାରେ ହୋଇଥିବା ମାମଲାରୁ ଜଣାପଡ଼ିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜୁନ ୨୫ ପୂର୍ବାହ୍ନ ସମୟରେ ମୟୂରଭଞ୍ଜ ଜିଲ୍ଲା ବରତନଟୀ ଥାନା ହାତୀକୋଟ ଗ୍ରାମର ବୁଦ୍ଧିଆ ସିଂ ରାସ୍ତାରେ ଯାଉଥିବା ସମୟରେ ବାରିପଦା ସହରର ବାବା ମାର୍ଟ ସମ୍ମୁଖରେ ଦୁଇ ଜଣ ଯୁବକ ମୁଣ୍ଡରେ ହେଲମେଟ ଲଗାଇ ବାଇକରେ ଆସି  ହାତରେ ଧରିଥିବା ୨୦ ହଜାର ଟଙ୍କା ଥିବା ବ୍ୟାଗକୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା ।

ଏହାକୁ ନେଇ ବୁଦ୍ଧିଆ ସିଂ ମଧ୍ୟାହ୍ନ ୧୨.୫୦ ସମୟରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଆଇପିସି ଧାରା ୩୭୯, ୩୪ ଅନୁସାରେ କେଶ ନମ୍ବର ୫୮୬/୨୫.୦୬.୨୦୨୧ରେ ଏକ ମାମଲା ରୁଜୁ କରାଯାଇ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ସେହିପରି ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳର ସତ୍ୟବାନ ସାହୁ ଦାମୋଦରପୁରସ୍ଥିତ ୟୁନିୟନ ବ୍ୟାଙ୍କରୁ ଜୁନ ୨୫ ପୂର୍ବାହ୍ନରେ ୨ଲକ୍ଷ ୨୮ ହଜାର ଟଙ୍କା ଉଠାଇ ନିଜର ବାଇକରେ ବାରିପଦା କଚେରୀକୁ ଆସୁଥିବା ସମୟରେ ମୁର୍ଗାବାଡ଼ି ଛକ ନିକଟରେ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ପହଁଞ୍ଚିଥିଲେ । ଏହି ସମୟରେ ପଛରୁ ଦୁଇ ଜଣ ଯୁବକ ବାଇକରେ ଆସି ସତ୍ୟବାନ ସାହୁ ନିଜ ବାଇକରେ ହେଣ୍ଡେଲରେ ଝୁଲାଇଥିବା ୨ ଲକ୍ଷ ୨୮ ହଜାର ଟଙ୍କା, ବ୍ୟାଙ୍କ ପାଶବୁକ ଓ ଚେକ ବୁକ ଭର୍ତ୍ତି ପଲିଥିନ ବ୍ୟାଗକୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ ।

ତେବେ ମୁର୍ଗାବାଡ଼ି ଛକ ନିକଟରେ ପ୍ରତ୍ୟେକ ଦିନ ୨କାଧିକ ପୁଲିସ କର୍ମଚାରୀମାନେ ଡିଉଟି କରୁଥିବା ବେଳେ ଲୁଟେରାମାନେ ପୁଲିସକୁ ଚକ୍ମା ଦେଇ ଲୁଟି  ଫେରାର ହୋଇଯାଇଥିଲେ । ଏହାକୁ ନେଇ ସତ୍ୟବାନ ସାହୁଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ଥାନାରେ ଆଇପିସି ଧାରା ୩୯୨, ୩୪ ଅନୁସାରେ କେଶ ନମ୍ବର ୫୮୭ ରେ ଏକ ମାମଲା ରୁଜୁ କରାଯାଇ ଲୁଟେରାଙ୍କୁ ଧରିବା ନିମନ୍ତେ ଉଦ୍ୟମ ଜାରି ରହିଛି ।

ସମ୍ବନ୍ଧିତ ଖବର