ଓଲଟିଲା ଯାତ୍ରୀବାହୀ ବସ୍‌, ୨୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଆଜି ପୂର୍ବାହ୍ନରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ୨୦ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପରେ ବସ୍‌ର ଚାଳକ ଓ ହେଲପର ଭୟରେ ଘଟଣାସ୍ଥଳରୁ ଫେରାର ମାରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟାରେ ‘ସତ୍ୟଭାମା’ ନାମକ ଏକ ଘରୋଇ ବସ (ଓଆର୦୯ଏନ୍‌-୭୧୦୭) ବଡ଼ବିଲରୁ ବାହାରି ରି‌ମୁଡ଼ି ଦେଇ ଚମ୍ପୁଆକୁ ଆସୁଥିଲା। କାଳିକାପ୍ରସାଦ ନିକଟସ୍ଥ ତାରିଣୀ ମନ୍ଦିର ପାଖରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇ ଚମ୍ପୁଆସ୍ଥିତ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇ ପୁଲିସ ଦୁର୍ଘଟଣାସ୍ଥଳକୁ ‌ପହଂଚିବା ବେଳକୁ ବସ୍‌ର ଉଭୟ ଚାଳକ ଓ ହେଲପର ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର