ଗହୀରମଥାରେ ଅଣ୍ଡା ଦେଲା ଧାତବ ଫଳକବନ୍ଧା, ଏଯାଏ ଅଣ୍ଡା ଦେଲେଣି ୪ ଲକ୍ଷ ୯୫ ହଜାର ୩୧୭

ରାଜନଗର: ରହସ୍ୟମୟ ଅଲିଭରିଡ୍‌ଲେ କଇଁଛଙ୍କୁ ଜୀବନଶୈଳୀ ଏବେ ବି ରହସ୍ୟରେ। ସେମାନଙ୍କ ଗତିବିଧି ଜାଣିବା ପାଇଁ ଗହୀରମଥାରେ ସମୂହ ଅଣ୍ଡାଦାନରେ ସାମିଲ ହେଉଥିବା କଇଁଛଙ୍କ ଗୋଡ଼ରେ ଧାତବ ଫକଳ ଲଗାଯାଇଥିଲା। ପୂର୍ବ ବର୍ଷରେ ଧାତବ ଫଳକ ବନ୍ଧା ଯାଇଥିବା ଗୋଟିଏ ଅଲିଭ୍‌ରିଡଲେ ଏ ବର୍ଷ ଗହୀରମଥାର ନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛି। ଗତକାଲି ୩ୟ ଦିନ ସମୂହ ଅଣ୍ଡାଦାନ ସମୟରେ ଏହି ଧାତବ ଫଳକ ବନ୍ଧା ଅଲିଭ୍‌ରିଡଲେକୁ ବନବିଭାଗ କର୍ମଚାରୀମାନେ ଠାବ କରିଥିଲେ। ଗତବର୍ଷ ଗହୀରମଥାରେ ‘ଡବ୍ଲୁଜି’ ଓ ଋଷିକୂଲ୍ୟାରେ ‘ଡବ୍ଲୁଆର ଲେଖା ହୋଇ ନମ୍ବର ଲେଖାଯାଇ ଧାତବ ଫଳକ ବନ୍ଧା ଯାଇଥିଲା। ମାତ୍ର ଏ ବର୍ଷ ଗହୀରମଥାରେ ଠାବ ହୋଇଥିବା ଧାତବ ଫଳକ ବନ୍ଧା ଅଲିଭ୍‌ରିଡଲେ ଗୋଡ଼ରେ ଡବ୍ଲୁଆର କି ଡବ୍ଲୁଜି ଲେଖା ନ ଥିବା ବେଳେ କେବଳ ନମ୍ବର ଲେଖା ରହିଛି। କେବଳ ନମ୍ବର ଲେଖା ହୋଇଥିବାରୁ ଏହି ଧାତବ ଫଳକ କେବେ ଓ କେଉଁଠି ଲଗାଯାଇଥିଲା ତାହା ଜାଣିବା ପାଇଁ ବନବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗହୀରମଥାର ନାସୀ-୨ରେ ଚଳିତ ୨୫ ତାରିଖଠାରୁ ବିରଳ ଅଲିଭରିଡଲେ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ଆଜି ସୁଦ୍ଧା ୪ ଲକ୍ଷ ୯୫ ହଜାର ୩୧୭ କଇଁଛ ଅଣ୍ଡା ଦେଇ ସାରିଲେଣି। ୨୫ ତାରିଖ ଦିନ ୨ ଲକ୍ଷ ୪୫ ହଜାର ୧୮୮ ଓ ୨୬ ତାରିଖ ଦିନ ୧ ଲକ୍ଷ ୮୪ ହଜାର ୯୯୪ ଅଲିଭରିଡଲେ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ଗତକାଲି ୬୪ ହଜାର ୯୫୮ କଇଁଛ ସାମିଲ ହୋଇଛନ୍ତି। ଗତକାଲି ଅଣ୍ଡାଦାନ ବେଳେ ଧାତବ ଫଳକ ବନ୍ଧା ଯାଇଥିବା ଏହି କଇଁଛ ଠାବ କରାଯାଇଛି।

ସୂଚନାଯୋଗ୍ୟ ଯେ ବିରଳ ଅଲିଭରିଡଲେ କଇଁଛଙ୍କ ଗତିବିଧି ଜାଣିବା ପାଇଁ କଇଁଛଙ୍କ ଗୋଡରେ ଧାତବ ଫଳକ ବନ୍ଧା ବା ଟ୍ୟାଗିଂ କରାଯାଇଥାଏ। ଗତବର୍ଷ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ କଇଁଛଙ୍କ ପାଦରେ ଟ୍ୟାଗିଂ କରାଯାଇଥିଲା। ଗତବର୍ଷ ଗହୀରମଥାରେ ୮୨୫ କଇଁଛଙ୍କ ଗୋଡରେ ଧାତବ ଫଳକ ଲଗା ଯାଇଥିଲା। ଅଲିଭରିଡଲେ କଇଁଛଙ୍କ ଆଗ ଦୁଇ ଗୋଡରେ ଦୁଇଟି ଧାତବ ଫଳକ ଟ୍ୟାଗିଂ କରାଯାଇଥିଲା। ଧାତବ ଫଳକର ଗୋଟିଏ ପାର୍ଶ୍ୱରେ ସଂଖ୍ୟା ଓ ଅନ୍ୟ ପାର୍ଶ୍ୱରେ ଠିକଣା ଲେଖା ଯାଇଥିଲା। ଅପରପକ୍ଷରେ ୧୯୯୭ ଓ ୨୦୧୧-୧୨ରେ କଇଁଛଙ୍କ ଗୋଡରେ ଧାତବ ଫଳକ ବନ୍ଧା ଯାଇଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ କଇଁଛ ଗତ ବର୍ଷ ଗହୀରମଥାରେ ଅଣ୍ଡାଦେବା ବେଳେ ଠାବ କରାଯାଇଥିଲା। ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଓ ଓ୍ୱାଇଲ୍ଡ ଲାଇଫ ଇନଷ୍ଟିଚୁ୍ୟଟ ଅଫ୍ ଇଣ୍ଡିଆରେ ଚଳିତ ବର୍ଷ ଠାବ କରାଯାଇଥିବା କଇଁଛର ଧାତବ ଫଳକର ନମ୍ବର ଓ ଠିକଣା ମିଳାଯିବ। ଏହାପରେ ଠାବ ହୋଇଥିବା ଏହି କଇଁଛ ଗୋଡରେ କେବେ ଓ କେଉଁଠାରେ ଟ୍ୟାଗିଂ କରାଯାଇଥିଲା ଓ କେତେ ବର୍ଷ ପରେ କଇଁଛଟି ଗହୀରମଥା ପୁର୍ନବାର ଆସିଲା, ସେ ନେଇ ସ୍ପଷ୍ଟ ହେବ ବୋଲି ଡିଏଫଓ ଡ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି। ସ୍ମରଣଯୋଗ୍ୟ ଯେ ୧୯୯୭ ମାର୍ଚ୍ଚରେ ଗହୀରମଥାରେ କଇଁଛ ପାଦରେ ଫଳକ ବନ୍ଧାଯାଇ ସମୁଦ୍ର ଜଳରାଶିରେ ଛଡା ଯାଇଥିଲା। ସେହି କଇଁଛଟି ଶ୍ରୀଲଙ୍କା ଉପକୂଳରେ ଜଣେ ଧିବରଙ୍କ ଦ୍ୱାରା ସେହି ବର୍ଷ ଏପ୍ରିଲ୍‌ ୨୭ରେ ଚିହ୍ନଟ ହୋଇଥିଲା। ସେତେବେଳକୁ କଇଁଛଟି ସିଧା ସଳଖ ୧୫ଶହ କିମି ପଥ ଅତିକ୍ରମ କରି ଶ୍ରୀଲଙ୍କାରେ ପହଞ୍ଚି ସାରିଥିଲା।

ସମ୍ବନ୍ଧିତ ଖବର