କାହାଣୀ କରୋନା; ଜୀବନ-ଜୀବିକାର ଦୋଛକିରେ ଅମୂଲ୍ୟ

ଗରଦପୁର: କରୋନା କଷଣରେ ପେଷି ହୋଇପଡ଼ିଛନ୍ତି ଅମୂଲ୍ୟ ବିଶ୍ବାଳ। ଘର ମାର୍ଶାଘାଇ ବ୍ଲକ୍ ମାଣ୍ତିଆ ଗ୍ରାମରେ। ପତ୍ନୀ ମିନତୀ, ୧୬ ବର୍ଷର ଝିଅ ସ୍ବାଗତିକା ଓ ୧୪ ବର୍ଷର ପୁଅ ଚନ୍ଦନକୁ ନେଇ ଛୋଟ ସଂସାର। ଘରଢିହକୁ ମିଶାଇ ମାତ୍ର ୩ ଗୁଣ୍ଠ ଜମି। ଗଲା ୨୦ ବର୍ଷ ହେଲା ଅମୂଲ୍ୟ ସଂସାର ଚଳାଇବାକୁ ଗୁଜୁରାଟ ସୁରତରେ ଏକ ଲୁଗା କଳରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ଯାହା ପାରିଶ୍ରମିକ ମିଳୁଥିଲା ପରିବାର ପ୍ରତିପୋଷଣ ହେଉଥିଲା। କରୋନା ତାଙ୍କ ଜୀବିକା ବାଟରେ କଂଟା ସାଜିଲା। ସୁରତରେ ଚାଲୁଥିବା ଲୁଗାକଳ ସବୁ ବନ୍ଦ ହୋଇଗଲା। ଅନେକ ଲୋକ କରୋନା ଆକ୍ରାନ୍ତ ହେଲେ। ଜୀବନ ହାରିଲେ।

ଅମୂଲ୍ୟ ଜୀବନ ବଂଚାଇ ଗାଁକୁ ଚାଲି ଆସିଲେ। ଜୀବନ ସିନା ବଂଚିଗଲା, ଜୀବିକା କିନ୍ତୁ ଚାଲିଗଲା। ବଂଚିବା ଅନ୍ବେଷଣରେ ନୂଆ ଜୀବିକା ସନ୍ଧାନରେ ଲାଗି ପଡ଼ିଛନ୍ତି ଅମୂଲ୍ୟ। ଦେଢ ବର୍ଷ ଧରି ଗ୍ରାମରେ ରହି କେତେବେଳେ ମଜୁରି ଖଟୁଛନ୍ତି ତ କେତେବେଳେ ଭାଗ ଚାଷ କରୁଛନ୍ତି। ସେଥିରେ ପେଟ ନ ପୂରିବାରୁ ଗଲା ଦି’ ମାସ ହେବ ପାଟକୁରା ବଜାରରେ ଏକ ଚା’ ପାନ ଦୋକାନ ଖୋଲିଛନ୍ତି। ଘରଭଡ଼ା ନେଇ ଦୋକାନ ଖୋଲିଥିଲେ ମଧ୍ୟ ବିକ୍ରିକଟା ସେମିତି ହେଉନାହିଁ। ଦିନକୁ ଶହେ ଟଙ୍କା ଘର ଚଳିବା ପାଇଁ ଦୋକାନରୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ସେଥିପାଇଁ ସେ ଚିନ୍ତିତ।

ଝିଅ ସ୍ବାଗତିକା ମାଟ୍ରିକ ପାସ କରିଛନ୍ତି। କଲେଜରେ ନାଁ ଲେଖାଇବ, ପୁଅର ୨ ମାସର ଟ୍ୟୁସନ ଦରମା ଭରଣା କରିବାକୁ ଅମୂଲ୍ୟଙ୍କ ପାଖରେ ଅର୍ଥ ନାହିଁ। ଏପରିକି ଜବ୍‌କାର୍ଡ଼ କରି ମାଣ୍ତିଆ ଗ୍ରାମରେ ଗଲା ଜୁନ୍‌ରେ ମନରେଗା ଯୋଜନାରେ ହୋଇଥିବା ମାଟି ବନ୍ଧ କାମ କରିଥିଲେ। ଆଜି ସୁଦ୍ଧା ତାଙ୍କୁ କାମର ମଜୁରି ମିଳି ନ ଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଚାଳ ଛପର ଘରେ ରହୁଥିଲେ ମଧ୍ୟ ଇନ୍ଦିରା ଆବାସ ଘର ଖଣ୍ଡେ ହୋଇ ପାରୁନାହିଁ। ଭାଗ୍ୟ ଓ ଭଗବାନଙ୍କ ଉପରେ ଭରସା କରି ଦିନ କାଟୁଥିବା କହିଛନ୍ତି ସେ। ସରକାର ତାଙ୍କ ଗରିବ ପରିବାରକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

ପ୍ରଥମ ଲହର ଥମି ଆସୁଥିଲା। ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ମହାମାରୀର ଦ୍ବିତୀୟ ଲହର ମାଡ଼ି ଆସିଲା ବିଭିଷୀକା ସାଜି। ପୁଣି ତଳିତଳାନ୍ତ କରିଦେଲା ଗରିବ, ମଧ୍ୟବିତ୍ତଙ୍କୁ। ଭାତହାଣ୍ଡି ଉଜାଡ଼ିଦେଲା। ଛଡ଼ାଇ ନେଲା ଜୀବନ, ଜୀବିକା ବି। ସବୁଠି ପୀଡ଼ା, ବେଦନା, କଷଣ ଆଉ ଯନ୍ତ୍ରଣାର ଛାପ। ଆପଣାର ମଣିଷକୁ ହରାଇ କାହା ଛାତିରେ କୋହ ତ ଦାନା ଗଣ୍ଡେ ପାଇଁ ଆଉ କୋଉଠି ଅହରହ ସଂଘର୍ଷ।

ସମ୍ବନ୍ଧିତ ଖବର