ବ୍ୟାପିଛି ଫାଟୁଆ ରୋଗ: ୧୦ହଜାରୁ ଅଧିକ ଗୋ ସମ୍ପଦ ଆକ୍ରାନ୍ତ

ମଲେଣି ଛେଳି, ମେଣ୍ଢା ଓ ଛୋଟ ବାଛୁରୀ

କୋରାପୁଟ:‌ କୋରାପୁଟ ଜିଲ୍ଲା ମହାଦେଇପୁଟରେ ବ୍ୟାପିଛି ବର୍ଷାଦିନିଆ ରୋଗ ଫାଟୁଆ। ଦିନକୁ ଦିନ ଏହି ରୋଗ ମହାମାରୀ ରୂପ ନେଉଥିବାବେଳେ ଚେଇଁ ଶୋଇଛି ପ୍ରାଣୀଧିନ ବିଭାଗ। ମାସେ ତେଳେ କାଁଭାଁ କେଉଁ ଗାଁରେ ଏହି ରୋଗ ଦେଖିବାକୁ ମିଳିଥିବାବେଳେ ଏବେ ସରାଚର ମାଡି ସାରିଲେଣି। ଏହି ପଞ୍ଚାୟତର କେନ୍ଦାର, ଜେରଟି, ମଙ୍ଗାରା, ବେଲାପୁଟ, କରଞ୍ଜୀଗୁଡା, ପୁଟପାଣ୍ଡି, ଏକାଡେଲି, ଦଳେଇପୁଟ, ରେଙ୍ଗାଗୁଡା, ହିରିଡିପୁଟ ଓ ନରେଙ୍ଗା ଗାଁରେ ବ୍ୟାପିଛି ଫାଟୁଆ। ଏବେ ଯ‌ାଏଁ ପ୍ରାୟ ୧୦ହଜାର ଗୋରୁଗାଈଙ୍କୁ ଏହି ରୋଗ ମାଡି ବସିଥିବାବେଳେ ସେପରି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ।

ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲାର ମହାଦେଇପୁଟରେ ପ୍ରତିବର୍ଷ ବର୍ଷାଦିନିଆ ରୋଗ ବ୍ୟାପେ। ଏହାପୂର୍ବରୁ ଏହିଠାରେ ଟିକାକରଣ କରାଯାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗାଁରେ ଟିକାକରଣ କରାଯାଇଥିଲା। ପ୍ରତି ଛଅ ମାସରେ ଏହି ଗାଁରେ ଟିକାକରଣ କରାଯିବାକୁ ରହିଥିବାବେଳେ ବର୍ଷ‌େ ହେଲା ଏହି ଗାଁକୁ ମାଟି ମାଡିନି ପ୍ରାଣୀଧିନ ବିଭାଗ। ଏହି ପଞ୍ଚାୟତ‌ରେ ପ୍ରାୟ ୧୭ ହଜାର ଗୋ ସମ୍ପଦ ରହିଥିବାବେଳେ ୧୦ହଜାର ଗୋ ସମ୍ପଦଙ୍କୁ ଏହି ରୋଗ ବ୍ୟାପି ସାରିଲାଣି। ଏହା ବାୟୁ ଦ୍ବାରା ବ୍ୟାପୁଥିବାରୁ ଦିନ କେଇଟାରେ ଏହି ପଞ୍ଚାୟତରେ ସଫା ହୋଇଯିବେ ବାକି ରହିଥିବା ଗୋ ସମ୍ପଦ। ଏପରି ଗୁରୁତ୍ବପୁର୍ଣ୍ଣ ସମୟରେ କିନ୍ତୁ ପ୍ରାଣୀଧିନ ବିଭାଗ ଯେପରି ଭାବେ ତତ୍ପରତା ଦେଖାଇବା କଥା ଦେଖାଉ ନାହିଁ। ଗ୍ରାମବାସୀ ଏନେଇ ଏଲଆଇଙ୍କୁ ଯୋଗାଯୋଗ କରି ସୂଚନା ଦେଉଥିଲେ ମଧ୍ୟ ଏହାକୁ ଶୁଣିବାକୁ ଉକ୍ତ ଏଲଆଇ ଶୁଣିବାକୁ ନାରାଜ। ଫୋନ ଯୋଗେ ଆଜି ଆସିବି କାଲି ଆସିବି କହି ଚାଲିଥିବାବେଳେ ପଞ୍ଚାୟତରେ ଶତାଧିକ ଛୋଟା ବାଛୁରୀ, ମେଣ୍ଢା ଓ ଛେଳି ପ୍ରାଣ ହରାଇ ସାରିଲେଣି।

Sambad

ଏନେଇ ଗାଁର ସୁରେନ୍ଦ୍ର ମସ୍ତି କହିଛନ୍ତି ଯେ ମହାଦେଇପୁଟ କାହିଁକି ପଞ୍ଚାୟତର ଏକାଧିକ ଗାଁରେ ଏହି ରୋଗ ବ୍ୟାପିଛି। ଗୋରୁଗାଈଙ୍କ ପାଟୁ ଧଳା ଫେଣ ବାହାରିବା ସହ ଖୁରାରେ ଘାଁ ହୋଇଥିବାରୁ ଚାଲିବୁଲି ପାରୁନାହାଁନ୍ତି। ଆକ୍ରାନ୍ତ ହେବାର ଦୁଇରୁ ତିନିଦିନ ମଧ୍ୟରେ ମରିଯାଉଛନ୍ତି। ଏନେଇ ସ୍ତାନୀୟ ଏଲଆଇଙ୍କୁ ବହୁବାର ଜଣାଇଥିଲେ ମଧ୍ୟ ଦିନ ଗଡାଇ ଚାଲିଛନ୍ତି। ଆଜି ଆସିବି କାଲି ଆସିବି କହୁଥିବାରୁ ଗାଁରେ ବହୁ ଗୋରୁଗାଈ ମୃତ୍ୟୁ ମୁଖରେ ପଡିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସିଡିଭିଓ ଗିରିଜା ଶତପଥୀ କହିଛନ୍ତି ଯେ ବର୍ଷ‌େ ତଳେ ଏହି ଗାଁରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଆସୁ ନ ଥିବାରୁ ଟିକା ପ୍ରଦାନ କରାଯାଇନି। ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। ଟିକା ଆସିବା ପରେ ଟିକାକରଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର