ବଲାଙ୍ଗୀର: ଲକ୍ଷ୍ମୀଜୋରରେ ନିଆଁ

ବଲାଙ୍ଗୀର: ବଲାଙ୍ଗୀର ସହରର ମଝିରେ ପ୍ରବାହିତ ହେଉଛି ଲକ୍ଷ୍ମୀଯୋର। ଏହି ପ୍ରାକୃତିକ ନାଳାରେ ପାଣି ଗଚ୍ଛିତ ରଖିବାକୁ ଅନେକ ଯୋଜନା ହୋଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଖର୍ଚ୍ଚ କେମିତି ହେଲା କେଜାଣି ଲକ୍ଷ୍ମୀଯୋରରେ ପାଣି ତ ରହୁନି, ବରଂ ଏବେ ନିଆଁ ଲାଗିବା ଆରମ୍ଭ ହେଲାଣି। ଶୁଖା ଲକ୍ଷ୍ମୀଯୋରରେ ଅନାବନା ଗଛ ସବୁ ଅଛି। ଖରାରେ ଗଛ ସବୁ ମରିଯାଇଥିବା ବେଳେ ଏବେ କେହି ସେଠାରେ ନିଆଁ ଲଗାଇ ଦେବାରୁ ତାହା ହୁତୁ ହୁତୁ ହୋଇ ଜଳିଛି। ଶୁକ୍ରବାର ସଂଧ୍ୟାରେ ଲକ୍ଷ୍ମୀଯୋରରେ ନିଆଁ ଲାଗିବା ନେଇ ଖବର ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା। ଖବର ନେବାରୁ ଜଣାପଡ଼ିଥିଲା ହାତୀଶାଳପଡ଼ା ଦେଇ ଯାଇଥିବା ନାଳାରେ ଅନାବନା ଶୁଖିଲା ଗଛ ସବୁ ନାଳ ଭିତରେ ଜଳୁଛି। ଧୂଆଁ ଉଠିବାରୁ କିଛି ସମୟ ସେହି ରାସ୍ତା ଦେଇ ଯିବାଆସିବା ବି ବନ୍ଦ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀଯୋରରେ ପାଖାପାଖି ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। କଂକ୍ରିଟ ଗାର୍ଡୱାଲ ଓ ଚେକଡ୍ୟାମ ହୋଇଥିଲା। ଉଭୟ ପାର୍ଶ୍ୱରେ ଚଲାପଥ କରାଯାଇ ସୌନ୍ଦର୍ଯ୍ୟୀକରଣ କରିବାକୁ ଯୋଜନା ହେଲା। କିନ୍ତୁ ସୌନ୍ଦର୍ଯ୍ୟୀକରଣ ଦୂରେ ଥାଉ, କାମ ଏମିତି ହେଲା ୨୦୧୯ ମସିହାରେ ବଲାଙ୍ଗୀରରେ ବନ୍ୟା ପାଇଁ ଲୋକେ ଲକ୍ଷ୍ମୀଯୋରକୁ ଦାୟୀ କରିଥିଲେ। ଏବେ ଲକ୍ଷ୍ମୀଯୋର ତାର ସତ୍ତା ହରାଇଛି। ବର୍ଷା ଦିନରେ ବନ୍ୟା ଭୟରେ ସବୁ ଚେକଡ୍ୟାମ ଗେଟ ଖୋଲା ରହୁଛି। ଫଳରେ ଖରା ଦିନେ ଆଉ ନାଳାରେ ପାଣି ରହୁନି। ଏପରିକି ଧୀରେ ଧୀରେ ଏହି ନାଳ ପୋତି ହେବାରେ ଲାଗିଛି।

ସମ୍ବନ୍ଧିତ ଖବର