ଜଙ୍ଗଲ ଭିତର ରାସ୍ତା କାମକୁ ନେଇ ଅସ‌େନ୍ତାଷ :ବ୍ୟବହାର ହେଉଛି ହାତ ପିଟା ମେଟାଲ୍‌

ଦେଓଗାଁ: ରାସ୍ତା ନିର୍ମାଣରେ କୋହଲ ନୀତି ଅବଲମ୍ବନ କରାଯାଉଛି। ସରକାରୀ କାଗଜ ପତ୍ରରେ କ୍ରସର ମେଟାଲ ବ୍ୟବହାର ଓ ସ୍ବୀକୃତିପ୍ରାପ୍ତ କ୍ରସରରୁ ବିଲ ଭାଉଚର ଆଣି ବିଲ କରାଯାଉଛି। ହେଲେ ପ୍ରକୃତରେ ପାହାଡ଼ ଉପରେ ଶ୍ରମିକମାନଙ୍କ ଦ୍ବାରା କମ ଟଙ୍କାରେ ହାତରେ ପିଟା ଯାଇଥିବା ମେଟାଲକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଜେଇମାନେ ଲେଆଉଟ ଦେବା, ତଦାରଖ କରିବା ଓ ବିଲ କରିବା ଦାୟିତ୍ବରେ ଥିବା ବେଳେ ଏହି ହାତ ପିଟା ମେଟାଲକୁ କାହିଁକି କାମରେ ଲଗାଇବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ବନ୍ଧପଡ଼ା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଦେଓଗାଁ ବ୍ଲକ ବନ୍ଧପଡ଼ାରୁ ଚାଲିଥିବା ରାସ୍ତା କାମରେ ମେଟାଲିଙ୍ଗ କରିବା ପାଇଁ ରାସ୍ତା କଡ଼ରେ ପକାଯାଇଛି ହାତ ପିଟା ମେଟାଲ। ଏନେଇ ଏହି ଅଞ୍ଚଳବାସୀ ମଧ୍ୟ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସଂପୃକ୍ତ ଜେଇଙ୍କୁ ପଚାରିବାରୁ ମାଟିରେ ହାତ ପିଟା ମେଟାଲ ଦେଲେ କ୍ଷତି ନାହିଁ ବୋଲି ସେ କହିଥିଲେ। ଅନେକ ଠିକାଦରଙ୍କୁ ମନା କରୁଥିବା ବେଳେ ଏହି କାମରେ କାହିଁକି ଅନୁକମ୍ପା ଦେଖାଯାଉଛି ବୋଲି ଅନେକଙ୍କ ପ୍ରଶ୍ନ? ଏହି କାମ କିଏ ତଦାରଖ କରୁଛନ୍ତି ବୋଲି ପଚାରିବାରୁ ଜେଇ ଜିଲ୍ଲା ପରିଷଦ ସଭ୍ୟଙ୍କ ନିଜ ଲୋକ କରୁଛନ୍ତି ବୋଲି କହିଥିଲେ। ଅନ୍ୟପକ୍ଷରେ ରାସ୍ତା ନିର୍ମାଣ କାମ କରିବା ପୂର୍ବରୁ ସୂଚନା ଫଳକ ଦେବା ନିୟମ ଥିବାରୁ ଏଥିରେ କାହିଁକି ବ୍ୟତିକ୍ରମ ହୋଇଛି ତାହାକୁ ନେଇ ଅଧିକ ସନ୍ଦେହ କରାଯାଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର