ବୃଦ୍ଧାଙ୍କୁ ଦଳି ଦେଲା ହାତୀ: ଘଟଣାସ୍ଥଳରେ ମୃତ୍ୟୁ

ଲାଠୋର/ଧଣ୍ଡାମୁଣ୍ଡା: ହାତୀ ଆକ୍ରମଣରେ ବଲାଙ୍ଗୀର ଜିଲ୍ଲା ମହରାପଦର ପଞ୍ଚାୟତ ବାଘଝରନ ଗାଁରେ ଜଣେ ବୃଦ୍ଧାଙ୍କର ପ୍ରାଣହାନି ଘଟିଛି।ଗତ ରାତି ୯ଟା ୧୫ ମିନିଟରେ ଏହି ବ୍ଲକ୍ ଅନ୍ତର୍ଗତ ମହରାପଦର ପଞ୍ଚାୟତ ବାଘଝରନ ଗାଁରେ ହାତୀ ଆକ୍ରମଣରେ ବାସନ୍ତୀ ଅଙ୍ଗରିଆ ନାମ୍ନୀ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିଲେ। ବାସନ୍ତୀ ଅଙ୍ଗରିଆଙ୍କୁ ଡାକ୍ତରଖାନାକୁ ନେବାକୁ ଉଦ୍ୟମ କରାଯାଉଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ମୃତକଙ୍କ ପରିବାରକୁ ସରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦିଆଯିବା ସହିତ ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ଦିଆଯିବ ବୋଲି ଜଣା ପଡିଛି।  ଦୁଇଟିକିଆ ହାତୀ ପଲକୁ ବନବିଭାଗ ଘଉଡ଼ାଇବାରେ ଲାଗିଛନ୍ତି ବୋଲି ଜଣା ପଡିଛି।

ସୂଚନା ଅନୁସାରେ, ଲାଠୋର ଗାଁର ମୁଖ୍ୟ ରାସ୍ତାରେ ଶନିବାର ଭୋରରେ ହାତୀ ଦୁଇଟି ଯାଉଥିବା ଦେଖିବାକୁ ମିଳିଥିଲା। ନିକଟବର୍ତ୍ତୀ ନୂଆପଡ଼ା ଜିଲ୍ଲା ସୀମାନ୍ତ କୋମନା ଅଞ୍ଚଳରୁ ଦୁଇ ହାତୀ ଆସିଥିଲେ। ଲାଠୋର ଗ୍ରାମ ଭିତର ଦେଇ ରେଳ ଫାଟକ ଅତିକ୍ରମ କରିବା ପରେ ମୁଖ୍ୟ ରାସ୍ତାରେ ଯାଇଥିଲେ। ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ସୁରକ୍ଷିତ ଭାବେ ହାତୀ ଦୁଇଟିକୁ ଘଉଡ଼ାଇ ଥିଲେ। ହାତୀ ଆସିବା ଖବର ପାଇ ବିଦ୍ୟୁତ ବିଭାଗ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରିଥିଲା।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଶନିବାର ଭୋର୍ରୁ ରାତି ପର୍ଯ୍ୟନ୍ତ ଅଞ୍ଚଳରେ ଦୁଇ ହାତୀ ବୁଲୁଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଦିନ ବେଳେ ହାତୀ ଦୁଇଟି ଲାଠୋର ଗାଁର ମୁଖ୍ୟ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ରାତି ୯ଟା ୧୫ ମିନିଟରେ ଏହି ବ୍ଲକ୍ ଅନ୍ତର୍ଗତ ମହରାପଦର ପଞ୍ଚାୟତ ବାଘଝରନ ଗାଁରେ ହାତୀ ଆକ୍ରମଣରେ ବାସନ୍ତୀ ଅଙ୍ଗରିଆ ନାମ୍ନୀ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିଲେ।

 

ସମ୍ବନ୍ଧିତ ଖବର