ରେଳ ଚକ ତଳେ ଶ୍ରମିକ ଗୋଡ଼ ହରାଇବା ମାମଲା:ଘଟଣା ପରେ ଆରପିଏଫ୍‌ କର୍ମଚାରୀଙ୍କୁ ନିର୍ଧୁମ୍‌ ଛେଚା!

ସୋସିଆଲ ମିଡିଆରେ ଭାଇରାଲ

ଟିଟିଲାଗଡ଼: ଗତ ମଙ୍ଗଳବାର ଟିଟିଲାଗଡ଼ ରେଳ ଷ୍ଟେସନରେ ଯଶୋବନ୍ତପୁର- ହାଟିଆ ଏକ୍ସପ୍ରେସ ଟ୍ରେନରୁ ପଡି ବିନୋଦ ସିଂ ନାମକ ଜଣେ ଶ୍ରମିକଙ୍କ ଗୋଡ଼ କଟି ଯାଇଥିଲା। ଏହି ଦୁର୍ଘଟଣା ପାଇଁ ବିନୋଦଙ୍କ ସାଥୀ ଟିଟିଲାଗଡ଼ ଆରପିଏଫକୁ ଦାୟୀ କରିଥିଲେ। ଅଭିଯୋଗ ଅନୁସାରେ, ଝାଡ଼ଖଣ୍ଡ ରାଜ୍ୟର ଚାରିଜଣ ଶ୍ରମିକ ବେଙ୍ଗାଲୁରୁରୁ ରାଉରକେଲା ଯାଉଥିବା ବେଳେ ସେମାନେ ସାଧାରଣ ବଗିର ଗେଟ ପାଖରେ ଛିଡା ହୋଇଥିଲେ। ଟ୍ରେନ୍‌ ଟିଟିଲାଗଡ଼ ପହଞ୍ଚିବା ପରେ ଆରପିଏଫର ଯୱାନମାନେ ତାଙ୍କୁ ଜୋର ଜବରଦସ୍ତ ଟ୍ରେନରୁ ଓହ୍ଲାଇ ଆରପିଏଫ ପୋଷ୍ଟକୁ ଆଣିଥିଲେ। ସେଠାରେ ସେମାନଙ୍କୁ ମାରଧର କରିବା ସହ ତାଙ୍କୁ ଟଙ୍କା ମଧ୍ୟ ମାଗିଥିଲେ। ସେମାନେ ଟଙ୍କା ଦେଇ ନ ପାରିବାରୁ ଗାଡ଼ି ଛାଡ଼ିବା ସମୟରେ ତାଙ୍କୁ ଯିବା ପାଇଁ କୁହା ଯାଇଥିଲା। ଚଳନ୍ତା ଗାଡ଼ିରେ ଚଢ଼ିବା ସମୟରେ ବିନୋଦ ରେଳ ଚକ ତଳେ ପଡି ଗୋଡ଼ ହରାଇଥିଲେ। ଏହି ଘଟଣା ପରେ ଟ୍ରେନରେ ଓ ଷ୍ଟେସନରେ ଥିବା ଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ସେଠାରେ ଥିବା କିଛି ଆରପିଏଫ କର୍ମଚାରୀଙ୍କୁ ନିର୍ଧୁମ ପିଟିଥିବା ଜଣା ପଡ଼ିଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଭିଡିଓର ସତ୍ୟତା ବିଷୟରେ ଟିଟିଲାଗଡ଼ ରେଳବାଇ ଥାନା ଅଧିକାରୀ ମୋହନ ନାୟକ କହିଛନ୍ତି ଯେ, ଘଟଣା ସତ ଏବଂ ଭିଡିଓଟି ମଧ୍ୟ ସତ। ଏହାକୁ ନେଇ ସେ ଟିଟିଲାଗଡ଼ ରେଳବାଇ ଥାନାରେ ଏକ ଷ୍ଟେସନ ଡାଏରୀ ମଧ୍ୟ କରିଛନ୍ତି। ଗୋଡ ହରାଇଥିବା ବିନୋଦଙ୍କ ବିଷୟରେ ଟିଟିଲାଗଡ ରେଳବାଇ ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ଯେ ସେ ବର୍ତ୍ତମାନ ରାଞ୍ଚିରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ରହିଛି। ସେ ଟିଟିଲାଗଡ ଆସି ଘଟଣା ବିଷୟରେ ବିଧିବଦ୍ଧ ଅଭିଯୋଗ କଲେ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି। ଘଟଣା ଘଟିବା ଦିନଠାରୁ କିଛି ଆରପିଏଫ୍‌ ଯୱାନ ହଠାତ ଛୁଟି ନେଇ ଚାଲି ଯାଇଥିବା ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର