ଜଳେଶ୍ୱରରେ ପୁଣି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ଵର: ଜଳେଶ୍ଵର ପୁଲିସ ଆଜି ପୁଣି ଜଳେଶ୍ଵର ମ୍ୟୁନିସିପାଲଟି ଅଧିନସ୍ଥ ଝାଡେଶ୍ବରପୁର ଗ୍ରାମରୁ ୩ ଶହ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଅଟକ ରଖିଛି। ଅଟକ ଯୁବକ ଜଣକ ହେଲେ ମହମ୍ମଦ ସମୀର।
ସୂଚନା ଅନୁଯାୟୀ ଜଳେଶ୍ୱର ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଭୋର ସମୟରେ ଝାଡ଼େଶ୍ୱରପୁର ବସ୍ତିର ସମିତୁଲା ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉର ନେତୃତ୍ବ ନେଇଥିଲେ ଜଳେଶ୍ଵର ଏସଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ରୋଜାଲିନ ବେହେରା। ଚଢ଼ାଉ ସମୟରେ ୩ ଶହ ଗ୍ରାମରୁ ଅଧିକ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି। ସେହିପରି ସମିତୁଲାର ପୁଅ ମହମ୍ମଦ ସମିର ଓରଫ ସମୀରକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏବେ ବ୍ରାଉନସୁଗାର ବେପାର ପାଇଁ ହବ ପାଲଟିଛି। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଅବାଧରେ ବ୍ରାଉନସୁଗାର ସଡକପଥ ନହେଲେ ରେଳପଥରେ ଜଳେଶ୍ଵରକୁ ଅଣାଯାଇ ଏଠାରୁ ତମାମ ରାଜ୍ୟକୁ ପଠାଯାଉଛି। ମାତ୍ର କିଛି ବର୍ଷ ମଧ୍ୟରେ ସହର ମଧ୍ୟରେ ଥିବା ବହୁ ଚୋରା ବ୍ୟବସାୟୀ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ତେବେ ଏହି ଚୋରା ବ୍ରାଉନସୁଗାର କାରବାର ଜଳେଶ୍ୱର ପୁଲିସ ଏବଂ ଅବକାରୀ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ପୁଲିସ ଏବଂ ଏବଂ ଅବକାରୀ ବିଭାଗ ବିଭନ୍ନ ସମୟରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରି ବେପାରୀଙ୍କୁ ଗିରଫ କରୁଥିଲେ ମଧ୍ୟ ଏଥିରେ ରୋକ ଲଗାଯାଇ ପାରୁନାହିଁ।

ସମ୍ବନ୍ଧିତ ଖବର