ସାହାରା ଅଫିସରେ ତାଲା ପକାଇଲେ ଜମାକାରୀ

ଜଳେଶ୍ଵର: ଜଳେଶ୍ଵର ଷ୍ଟେସନ ବଜାର କାଳି ମନ୍ଦିର ସନ୍ନିକଟ ସାହାରା ଅଫିସରେ ଆଜି ଜଣେ ଜମାକାରୀ ତାଲା ପକାଇ ଦେଇଥିବା ଜଣାପଡ଼ିଛି। ଜମାକାରୀ ଜଣକ ହେଉଛନ୍ତି ସ୍ଥାନିତ ରାଜପୁର ପଞ୍ଚାୟତ ମିଲିଟାରୀ ବଜାର ଗାଁ ର ଚନ୍ଦନ ସାହୁ। ଚନ୍ଦନ ୨୦୧୭ ମସିହା ଅକ୍ଟୋବର ମାସ ୨୬ ତାରିଖରେ ସାହାରା କ୍ରଡିଟ କୋପେଟିଭ ସୋସାଇଟି ଲିମିଟେଡର ଜଳେଶ୍ଵର ଶାଖାରେ ତାଙ୍କ ମା ଶିବାନୀ ସାହୁଙ୍କ ନାମରେ ଏମଆଇଏସ (ମନ୍ଥଲି ଇନକମ ସ୍କିମ)ରେ ଦଶବର୍ଷ ପାଇଁ ୧ ଲକ୍ଷ ଟଙ୍କା ଜମା ରଖିଥିଲେ।ତାଙ୍କୁ ପ୍ରତି ମାସରେ ସୁଧ ବାବଦରେ ଏହି ସ୍କିମରୁ ୧ ହଜାର ଟଙ୍କା ଲେଖାଏଁ ମିଳିବା କଥା। ତେବେ ଦୁଇମାସ ଧରି ତାଙ୍କୁ ଟଙ୍କା ମିଳୁ ନଥିବା ବେଳେ ବ୍ୟାଙ୍କରୁ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ପାରୁ ନାହିଁ।

ସାହାରା ଶାଖାକୁ ବାରମ୍ବାର ଦୌଡି ଦୌଡି ନିରାଶ ହେବା ପରେ ଆଜି ଦିନ ପ୍ରାୟ ସାଢେ ୧୧ ଟା ସମୟରେ ଅଫିସ ଭିତରେ କର୍ମଚାରୀମାନେ ଥିବାବେଳେ ଚନ୍ଦନ ମୁଖ୍ୟ ଫାଟକକୁ ବାହାରୁ ତାଲା ପକାଇ ଦେଇଥିଲେ। ଚନ୍ଦନ ତାଲା ପକାଇବା ପରେ ତାଙ୍କୁ ଅନ୍ୟ କେତେକ ଜମାକାରୀ ମଧ୍ୟ ସମର୍ଥନ କରିଥିଲେ। ରାୟାଁରାମଚନ୍ଦ୍ରପୁର ଗ୍ରାମର ଉମାକାନ୍ତ ରାଉଳ, ସିଙ୍ଗଲା ଥାନା ପଥଦୁର୍ଗା ଗାଁର ଅବଦୁଲ ନାଶିରୁଦ୍ଦିନ ଖାଁ ପ୍ରମୁଖଙ୍କ ମଧ୍ୟ ସମାନ ଅବସ୍ଥା। ଏହି ଦୁଇ ଜମାକାରୀ ସେହି ଏମଆଇଏସ ସ୍କିମରେ ଟଙ୍କା ଜମା ରଖିଥିଲେ। ତେବେ ଅବଧି ପୁରିବା ପରେ କର୍ତ୍ତୃପକ୍ଷ ମ୍ୟାଚୁରିଟି ଟଙ୍କା ନଦେଇ ପୁଣି ଫିକ୍ସ ମାରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ତେବେ ଫିକ୍ସ ମରାଯାଇଥିବା ଟଙ୍କା କିଏ ଦୁଇ ବର୍ଷ ତ ଆଉ କିଏ ଦେଢ଼ ବର୍ଷ ଧରି ଉଠାଇ ପାରୁନାହିଁ। ଜମା ଟଙ୍କା ସୁଧ ସହ ଫେରସ୍ତ ନକଲେ ଏହି ଜମାକାରୀମାନେ ତାଲା ଖୋଲିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏହି ରିପୋର୍ଟ ଲେଖା ହେବା ଯାଏଁ ସେହିପରି ତାଲା ପଡ଼ି ରହିଛି।

ସମ୍ବନ୍ଧିତ ଖବର