ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଭଦ୍ରକ: ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ନିଆଁଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। ଏହି ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ। ପୂର୍ବ ଶତ୍ରୁତା ଲାଗିରହିଥିବାରୁ, ଆକ୍ରୋଶମୂଳକ ଭାବେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହି ଅଞ୍ଚଳର ସୁଦର୍ଶନ ଦାସ ନିଜ ୬ ଜଣ ପରିବାର ସହ ଘର ଭିତରେ ଶୋଇଥିଲେ।

ଗତକାଲି ବିଳମ୍ବିତ ରାତିରେ ଘରଗୁଡ଼ିକ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ସୁଦର୍ଶନଙ୍କ ପରିବାର ଲୋକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ବାହାରକୁ ଦୌଡ଼ିବାକୁ ଲାଗିଥିଲେ। ଘର କବାଟ ବାହାର ପଟରୁ ତାଲା ଦିଆଯାଇଥିବାରୁ, ଆଉ ବାହାରି ନପାରି ପଛପଟ ଝରକାକୁ ଭାଙ୍ଗି ସମସ୍ତ ପରିବାର ବାହାରକୁ ସୁରକ୍ଷିତ ଅବସ୍ଥାରେ ବାହାରିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଆଉ ଆସବାବପତ୍ର ଜଳି ପୋଡ଼ି ଛାରଖାର ହୋଇଯାଇଛି। ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ। ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର