ଜିଲ୍ଲା ପରିଷଦ ଜୋନ୍‌ରେ ଦଳୀୟ ସ୍ଥିତି: ଖୋର୍ଦ୍ଧାରେ ବିଜେଡିର ବିଜୟ ଯାତ୍ରା ଅପରିବର୍ତିତ, ବିଜେଡିି ୯ ଓ ବିଜେପି ୧ରେ ବିଜୟୀ

ଖୋର୍ଦ୍ଧା: ଦ୍ୱିତୀୟ ଦିନ ଭୋଟ ଗଣନାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ହୋଇଛି । ଜଟଣୀ ନିର୍ବାଚନ ମଣ୍ଡଳୀର ସମସ୍ତ ଦୁଇଟି ଜୋନ୍ର ଗଣନା ଶେଷ ହୋଇଛି । ଦ୍ୱିତୀୟ ଦିନ ଅର୍ଥାତ୍ ୨୭ ତାରିଖର ଗଣନାରେ ରାତି ୧୦ଟା ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଜୋନ୍ରେ ବିଜେପି ଆଗୁଆ ରହିଥିଲା । କିନ୍ତୁ ଚୂଡ଼ାନ୍ତ ଫଳାଫଳରେ ବିଜେପି କେବଳ ଗୋଟିଏ ଆସନ ଜିତି ଥିବା ବେଳେ ବିଜେଡି ପ୍ରଥମ ଦିନର ଗଣନାର ଆସନ ସ୍ଥିତିର ପୁନରାବୃତ୍ତି କରିଛି । ଦ୍ୱିତୀୟ ଦିନ ବିଜେଡି ୯ଟି ଜିଲ୍ଲା ପରିଷଦ ଆସନରେ ଜିତି ଥିବା ବେଳେ ଗୋଟିଏ ଆସନରେ ବିଜେପି ଜିତିଛି ।

ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ମିଳିଥିବା ୨୭ ତାରିଖ ଗଣନାର ଚୂଡ଼ାନ୍ତ ଫଳାଫଳ ଅନୁସାରେ, ଖୋର୍ଦ୍ଧା ଜୋନ୍ ୨ରୁ କୈସୁରା ବେଗମ ସର୍ବାଧିକ ୧୩ ହଜାର ୨୮୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏହି ଜୋନ୍ରେ ମୋଟ ୩୧,୦୦୬ ଖଣ୍ଡ ଭୋଟ ମଧ୍ୟରୁ କୈସୁରା ବେଗମ ୨୦,୨୭୭ଟି ଭୋଟ ପାଇଥିବା ବେଳେ ବିଜେପିର ତନିମା ସେଠୀ ୬୯୯୭ ଖଣ୍ଡ ଭୋଟ ପାଇଥିଲେ । ବେଗୁନିଆ ୨୩ ନମ୍ବର ଜୋନ୍ରେ ମୋଟ ୨୮,୯୬୮ ଖଣ୍ଡ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ଅନାଦୀ ସାହୁ ୧୫,୪୨୦ ଭୋଟ ପାଇଥିବା ବେଳେ ବିଜେପିର ଜିତେନ୍ଦ୍ର କୁମାର ସାହୁ ୮୮୧୩ ଖଣ୍ଡ ଭୋଟ ପାଇଛନ୍ତି । ବୋଲଗଡ଼ ୨୬ ନମ୍ବର ଜୋନ୍ରେ ମୋଟ ୨୭,୬୯୦ ଖଣ୍ଡ ଭୋଟ ବିଜେଡି ପ୍ରାର୍ଥୀ ସୁବାସ ଚନ୍ଦ୍ର ରାୟଗୁରୁ ୧୭,୦୫୬ ଓ ବିଜେପିର ମିଥୁନ ପାଇକରାୟ ୬୦୧୫ ଖଣ୍ଡ ଭୋଟ ପାଇଛନ୍ତି । ଟାଙ୍ଗୀ ୧୦ ନମ୍ବର ଜୋନ୍ରେ ବିଜେଡିର ବିଜୟ କୁମାର ଜେନା ୧୦,୬୬୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮୬୦୪ ଖଣ୍ଡ ଭୋଟ ପାଇଛନ୍ତି ।

ଚିଲିକା ନିର୍ବାଚନମଣ୍ଡଳୀରେ ଉଭୟ ବାଣପୁର ଓ ଚିଲିକା ଜୋନ୍ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ରହିଥିଲା । ଚିଲିକା ୫ ନମ୍ବର ଜୋନ୍ରେ ମୋଟ ୨୭,୨୦୮ ଟି ଭୋଟ ମଧ୍ୟରୁ ବିଜେଡିର ରୀନା ବେହେରା ୧୩,୮୯୨ ଓ ବିଜେପିର ନମିତା ବେହେରା ୧୨, ୧୭୧ ଖଣ୍ଡ ଭୋଟ ପାଇଛନ୍ତି । ବାଣପୁର ୧୪ ନମ୍ବର ଜୋନ୍ରେ ମୋଟ ୨୭,୬୮୭ ଖଣ୍ଡ ଭୋଟ ମଧ୍ୟରୁ ବିଜେପିର ରୋଜିତା ପ୍ରଧାନ ୧୨,୮୫୩ ଖଣ୍ଡ ଭୋଟ ଓ ବିଜେଡିର ଲୀଳାବାଳା ଭୋଇ ୧୧, ୧୬୯ଟି ଭୋଟ ପାଇଛନ୍ତି । ଭୁବନେଶ୍ୱର ୨୯ ନମ୍ବର ଜୋନ୍ରେ ଶେଷ ଗଣନା ପର୍ଯ୍ୟନ୍ତ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ସଂଖ୍ୟାକୁ ନେଇ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା । ଚୂଡ଼ାନ୍ତ ଫଳାଫଳରେ ବିଜେଡିର ସୁବାସ କୁମାର ସୁନ୍ଦରା ନିଜର ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ସୁଜିତ ବଳବନ୍ତରାୟଙ୍କୁ ମାତ୍ର ୪୭୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ମୋଟ ୩୦, ୮୯୭ଟି ଭୋଟ ମଧ୍ୟରୁ ସୁବାସ ୧୪,୫୦୯ ଖଣ୍ଡ ଭୋଟ ପାଇଥିବା ବେଳେ ସୁଜିତ ୧୪,୦୩୧ଟି ଭୋଟ ପାଇଛନ୍ତି । ବାଲିଅନ୍ତା ୧୭ ନମ୍ବର ଜୋନ୍ରେ ମୋଟ ୨୬, ୨୯୭ ଟି ଭୋଟ ମଧ୍ୟରୁ ବିଜେଡିର କୁନମୁନ ଲେଙ୍କା ୧୬, ୨୩୭ଟି ଭୋଟ ପାଇଥିବା ବେଳେ ବିଜେପିର ଝିଲି ସାମନ୍ତରାୟ ୮୪୮୭ ଖଣ୍ଡ ଭୋଟ ପାଇଛନ୍ତି । ବାଲିପାଟଣା ୨୦ ନମ୍ବର ଜୋନ୍ରେ ମୋଟ ୨୮, ୭୪୭ ଟି ଭୋଟ ମଧ୍ୟରୁ ବିଜେଡିର ସୁକନ୍ୟା ସେଠୀ ୧୬, ୫୫୭ ଓ ବିଜେପି ପ୍ରାର୍ଥୀ ମିନତୀ ବେହେରା ୮୨୫୪ ଖଣ୍ଡ ଭୋଟ ପାଇଛନ୍ତି । ଜଟଣୀ ୮ ନମ୍ବର ଜୋନ୍ରେ ମୋଟ ୩୦, ୦୪୧ଟି ଭୋଟ ମଧ୍ୟରୁ ବିଜେଡିର ରୋନିତା ଦଳେଇ ୧୫,୮୯୦ଟି ଭୋଟ ପାଇଥିବା ବେଳେ କଂଗ୍ରେସର ଜ୍ୟୋତିର୍ମୟୀ ଛୋଟରାୟ ୬୬୬୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଓ ବିଜେପିର ଝୁନା ସୁନ୍ଦରା ୫୪୦୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

ସମ୍ବନ୍ଧିତ ଖବର