ଅନ୍ତଃରାଜ୍ୟ ଅନଲାଇନ୍‌ ଠକଙ୍କ ଆଡ୍ଡା ପାଲଟିଛି ରାଉରକେଲା! କିଙ୍ଗପିନ୍‌ ସମେତ ୮ ଗିରଫ

ରାଉରକେଲା: ରାଉରକେଲାରେ ଏକ ଫ୍ଲାଟ୍‌ରେ ଚାଲିଥିଲା ଅନଲାଇନ ଠକ ଗ୍ୟାଙ୍ଗ୍‌ର କାରବାର। ପ୍ରତିଦିନ ୨୦/୩୦ ଜଣଙ୍କୁ ଅନଲାଇନ୍‌ ନାମୀଦାମୀ କମ୍ପାନି ନାଁରେ ଠକୁଥିଲେ। ଛେଣ୍ଡ୍‌ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଠକିବାପରେ ମାମଲା ସାମ୍ନାକୁ ଆସିଥିଲା। ଶେଷରେ ରାଉରକେଲା ପୁଲିସ ଏହି ଆନ୍ତଃରାଜ୍ୟ ଅନଲାଇନ୍‌ ଠକ ଗ୍ୟାଙ୍ଗ୍‌କୁ କାବୁ କରିନେଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବିହାର, ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ ଆଦି ରାଜ୍ୟର ମୂଳବାସିନ୍ଦା। ଏହି ଗ୍ୟାଙ୍ଗ୍‌ ଦେଶର ବିଭିନ୍ନ ସହରରେ କାର୍ଯ୍ୟରତ। ନିୟମିତ ବ୍ୟବଧାନରେ ଗ୍ୟାଙ୍ଗ୍‌ ସ୍ଥାନ ପରିବର୍ତ୍ତନ କରୁଥିବାରୁ ଏମାନେ ପ୍ରାୟ ବର୍ଷେ ହେଲା ରାଉରକେଲାକୁ ଆସିଥିଲେ। ପରେ ଉଦିତନଗରସ୍ଥ ଏକ ଫ୍ଲାଟ୍‌ ଭଡ଼ା ନେଇ ଅନଲାଇନ୍‌ ଠକେଇ ଆରମ୍ଭ କରିଥିଲେ। ଏହି ଗ୍ୟାଙ୍ଗ୍‌ର କିଙ୍ଗ୍‌ପିନ୍‌ ତଥା ବିହାର ନୱାଡ଼ାର ମୂଳ ନିବାସୀ ପ୍ରୀତମ କୁମାର(୨୭) ଥିବାବେଳେ ତା’ ସହଯୋଗୀ କେରଳ ରାଜା ଶେଖରନ ଉନ୍ନିଥାନ(୫୪), ବିହାର ନାଳନ୍ଦାର ଅରବିନ୍ଦ କୁମାର(୨୪), ବିହାର ଗୟାର ବାବୁଲୁ ସିଂହ(୩୫), ପଶ୍ଚିମବଙ୍ଗର ରାହୁଲ ପ୍ରଧାନ(୨୯), ବିହାରର ମନୀଷ କୁମାର(୨୯), ରାଜେଶ ପାଶ୍ବାନ(୪୦), ଆନ୍ଧ୍ରପ୍ରଦେଶର ନାଗରାମ ପରନ୍ଧା ମୁଡ଼ୁ(୩୦) ପ୍ରମୁଖ ଦିନରାତି ଠକାମିରେ ଲାଗିପଡ଼ିଥିଲେ। ଗତ ଜାନୁଆରୀ ୧୫ ତାରିଖରେ ଛେଣ୍ଡ୍‌ର ଯଶୋବନ୍ତ ବିଶ୍ବାଳ ନାମକ ଜଣେ ବ୍ୟକ୍ତିଙ୍କୁ ଫୋନ୍‌ କରିଥିଲେ।

ନିଜକୁ ‘ନାପ୍‌ଟୋଲ’ କମ୍ପାନିର ଅଧିକାରୀ ପରିଚୟ ଦେଇ ସ୍କ୍ରାଚ୍‌ କୁପନ୍‌ରେ ୨୫ ଲକ୍ଷ ଟଙ୍କା ଜିତିଥିବା ନେଇ ସୂଚନା ଦେଇଥିଲେ। ତେବେ ଉକ୍ତ ଟଙ୍କା ପାଇବାକୁ ହେଲେ ପ୍ରଥମେ ୨ ପ୍ରତିଶତ ଜିଏସ୍‌ଟି ବାବଦକୁ ଅର୍ଥ ପୈଠ କରିବାକୁ ସର୍ତ୍ତ ରଖିଥିଲେ। ଏଥିରେ ଶ୍ରୀ ବିଶ୍ବାଳ ରାଜି ହୋଇ ଦାବି ମୁତାବକ ଅନଲାଇନ୍‌ରେ ଟଙ୍କା ଟ୍ରାନ୍ସଫର୍‌ କରିଥିଲେ। ଏହାପରେ ଠକ ଦଳ ଆଉ କୌଣସି ପ୍ରକାର ଯୋଗାଯୋଗ ନ କରିବାରୁ ଠକାମିର ଶିକାର ହୋଇଥିବା ଜାଣି ଛେଣ୍ଡ୍‌ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପରେ ସଫଳତାର ସହ ଏହି ଠକ ଗ୍ୟାଙ୍ଗ୍‌ର ପର୍ଦ୍ଧାଫାସ କରିଛି ପୁଲିସ। ଅଭିଯୁକ୍ତମାନଙ୍କଠାରୁ ନଗଦ ୬୦ ହଜାର ଟଙ୍କା ସହ ୫୪ଟି ସ୍ମାର୍ଟ ଫୋନ୍‌, କି-ପେଡ୍‌ ଫୋନ, ୪ଟି ଲାପଟପ୍‌, ୩ଟି କଲର ପ୍ରିଣ୍ଟର, ଦୁଇଟି ବାଇକ୍‌(ଓଡି-୨୩-କେ-୮୬୭୮ ଓ ଓଡି -୧୪-ଏଚ୍‌-୨୫୧୩), ୧ଟି ଏଲ୍‌ଇଡି ଟିଭି, ୧୦ଟି ନକଲି ପ୍ଲାଷ୍ଟିକ୍‌ ଷ୍ଟାମ୍ପ୍‌ ସିଲ୍‌, ୪୨ଟି ସ୍ପିଡ୍‌ ପୋଷ୍ଟ୍‌ ବାର୍‌କୋଡ୍‌, ଗୋଟିଏ ନକଲି ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ କମ୍ପାନିର ୧ କ୍ବିଣ୍ଟାଲ ୨୮ କେଜି ନକଲି ସ୍କ୍ରାଚ୍‌ କୁପନ, ଦେଢ଼ କ୍ବିଣ୍ଟାଲ ଏନ୍‌ଭେଲପ୍‌ ୫୫ କେଜି ୩ ଶହ ଗ୍ରାମ୍‌ କଷ୍ଟମର ଆପ୍ଲିକେସନ ଫର୍ମ, ୫ଟି ଷ୍ଟାମ୍ପ୍‌ପ୍ୟାଡ୍‌ ଆଦି ଜବତ ହୋଇଛି। ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ କହିଲେ, ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ ମୁମ୍ବାଇ, ଦିଲୀ ଆଦି ବଡ଼ ବଡ଼ ସହରରେ ମଧ୍ୟ କାର୍ଯ୍ୟରତ। ଗ୍ୟାଙ୍ଗ୍‌ରେ ଏକାଧିକ ସଦସ୍ୟ ନିୟୋଜିତ ଥିବାବେଳେ ସେନେଇ ତଦନ୍ତ ଜାରି ରହିଛି। ଏମାନଙ୍କ ପାଖରୁ ଜବତ ଲାଲଟପ୍‌ରେ ହଜାରେରୁ ଅଧିକ ଲୋକଙ୍କ ଠିକଣା ଓ ସବିଶେଷ ତଥ୍ୟ ଉଲ୍ଲେଖ ରହିଛି। ଏଥିମଧ୍ୟରୁ ଓଡ଼ିଶାର ପାଖାପାଖି ୧୦/୧୫ ପ୍ରତିଶତ ଲୋକଙ୍କ ନାମ ଓ ଠିକଣା ଥିବାବେଳେ ଅନ୍ୟମାନେ ବିଭିନ୍ନ ରାଜ୍ୟର ବାସିନ୍ଦା। ଅଭିଯୁକ୍ତଙ୍କୁ ରିମାଣ୍ଡ୍‌ରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି।

ନିଆରା ଶୈଳୀରେ ଠକୁଥିଲେ
ଏହି ଗ୍ୟାଙ୍ଗ୍‌ର ଠକିବା ଶୈଳୀ ଭିନ୍ନ ଥିଲା। ପ୍ରଥମେ ଏମାନେ ଅନଲାଇନ୍‌ରେ ବିଭିନ୍ନ ସାମଗ୍ରୀ କିଣୁଥିବା ଗ୍ରାହକଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ, ଘର ଠିକଣା ଆଦି ସଂଗ୍ରହ କରୁଥିଲେ। ବିଶେଷକରି ‘ନାପ୍‌ଟୋଲ’, ‘ମିସୋ’, ‘ସୁଧି’, ‘ହ୍ୟାମର୍‌ ଅଫ୍‌ ଥର୍‌’, ‘ଦିବ୍ୟାଂଶୁ ସଂସ୍ଥାନ’, ‘ସପ୍‌ କ୍ଲୁ’, ‘କୁଡୋସ୍‌ ଆୟୁର୍ବେଦ’ ଆଦି ଗ୍ରାହକଙ୍କୁ ଟାର୍ଗେଟ୍‌ କରୁଥିଲେ। ଏସବୁ କମ୍ପାନିର ୱେବ୍‌ସାଇଟ୍‌ରୁ ମୋବାଇଲ ନମ୍ବର, ଘର ଠିକଣା ଆଦି ସଂଗ୍ରହ କରୁଥିଲେ। ପରେ ଉକ୍ତ ଠିକଣାରେ ନିଜ ପାଖରେ ଥିବା ନକଲି ଗ୍ରାହକ ଆବେଦନ ଫର୍ମ ଓ ନକଲି ସ୍କ୍ରାଚ୍‌ କୁପନ ପଠାଉଥିଲେ। ସଂପୃକ୍ତ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ପରିଚୟ ଦେଇ ଗ୍ରାହକଙ୍କୁ ଯୋଗାଯୋଗ କରୁଥିଲେ। ଯେହେତୁ ପୂର୍ବରୁ ସଂପୃକ୍ତ ଗ୍ରାହକମାନେ ଅନଲାଇନ୍‌ରେ ସାମଗ୍ରୀ କିଣିଥିଲେ, ଏଣୁ କୌଣସି ପ୍ରକାର ସନ୍ଦେହ ଜାତ ହେଉନଥିଲା। ପରେ ସ୍କ୍ରାଚ୍‌ କୁପନ୍‌କୁ ଖୋଲିବାକୁ କହୁଥିଲେ। ପୂର୍ବରୁ ଯୋଜନାବଦ୍ଧଭାବେ ସ୍କ୍ରାଚ୍‌ କୁପନ୍‌ରେ ୧୦ ଲକ୍ଷ, ୨୫ ଲକ୍ଷ, ୨୦ ଲକ୍ଷର ପୁରସ୍କାର ରାଶି ପର୍ଯ୍ୟନ୍ତ ଉଲ୍ଲେଖ କରାଯାଇଥିବାରୁ ସ୍କ୍ରାଚ୍‌ କୁପନ୍‌କୁ ଗ୍ରାହକ ଖୋଲିବାମାତ୍ରେ ବଡ଼ ପରିମାଣର ଧନରାଶି ଜିତିଥିବା ଗ୍ରାହକମାନେ ଜାଣିବାକୁ ପାଉଥିଲେ। ଏହାପରଠାରୁ ଆରମ୍ଭ ହେଉଥିଲା ଟଙ୍କା ଠକିବା ପ୍ରକ୍ରିୟା। ପୁରସ୍କାର ରାଶି ପାଇବାକୁ ହେଲେ ୨ ପ୍ରତିଶତ ଜିଏସ୍‌ଟି ବାବଦକୁ ଅର୍ଥ ଆଗୁଆ ପୈଠ କରିବାକୁ ନିର୍ଦ୍ଦେଶ ଦେଉଥିଲେ। ଫଳରେ ୪୦/୫୦ ଲକ୍ଷ ଟଙ୍କା ପାଇବା ଲୋଭରେ ଲୋକେ ୧/୨ ଲକ୍ଷ ଟଙ୍କା ଅନଲାଇନ୍‌ରେ ଟ୍ରାନ୍ସଫର୍‌ କରି ଠକାମିର ଶିକାର ହେଉଥିଲେ। ଏମାନଙ୍କ ଠକିବା ପ୍ରଣାଳୀ ଏମିତି ସଠିକ୍‌ ଥିଲା ଯେ, ଉଚ୍ଚଶିକ୍ଷିତ ବ୍ୟକ୍ତି ବି ଠାଉରେଇ ପାରୁନଥିଲେ।

ସମ୍ବନ୍ଧିତ ଖବର