ଚାଷୀ ବିରୋଧରେ ଷଡ଼ଯନ୍ତ୍ର: ପଦ୍ମପୁରରେ ଧାନ ସଂଗ୍ରହ ବାଟବଣା

ଅସହାୟ ଚାଷୀଙ୍କ ଆତ୍ମହତ୍ୟା ଚେତାବନୀ

ବରଗଡ଼: ବରଗଡ଼ ଜିଲ୍ଲାର ଚାଷୀ ଷଡ଼ଯନ୍ତ୍ରର ଶିକାର ହୋଇଛି। ଧାନ କିଣା ନୀତି, ପ୍ରଶାସନ, ଯୋଗାଣ ବିଭାଗ ଏବଂ ମିଲର୍ସମାନେ ରଚିଥିବା ଚକ୍ରବ୍ୟୁହ ଭିତରେ ଚାଷୀ ଫସିଛି। ମଣ୍ଡିରେ ଲକ୍ଷଲକ୍ଷ ବସ୍ତା ପଡ଼ିଛି। ଚାଷୀ ଉଜାଗର ରହି ଶୀତ କାକରରେ ଧାନ ଜଗିଛି। କିନ୍ତୁ ଆଳ ଦେଖାଯାଉଛି ଯେ, ମିଲର୍ସଙ୍କୁ ‌ଟ୍ୟାଗ୍‌ ନାହିଁ। ଏଣେ ଚାଷୀଙ୍କୁ ମିଳିଥିବା ଟୋକନ୍‌ର ଅବଧି ଶେଷ ହୋଇ ସାରିଛି। ନୂଆ ଟୋକନ୍‌ ମିଳିବ ନା ନାହିଁ, ତାହା ବି ଅସ୍ପଷ୍ଟ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ସବୁ ଧାନ କିଣିବା ଯାଏ ମଣ୍ଡି ଖୋଲିବ ବୋଲି କୁହାଯାଉଛି। କିନ୍ତୁ ବିନା ଟୋକନ୍‌ରେ ଚାଷୀ ଧାନ ବିକିବ କେମିତି? ଧାନ ବିକ୍ରି ହେଉନଥିବାରୁ ଚାଷୀମାନେ ବିଷ ପିଇବୁ ବୋଲି ଖୋଲା ଚେତାବନୀ ଦେଲେଣି।

ଆନ୍ଦୋଳନ ବେଳେ ବିଷ ବୋତଲ ଧରି ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଛି। ବର୍ତମାନ ହୀରାକୁଦ ସେଚାଞ୍ଚଳ ଇଲାକାରେ ଥିବା ଅତାବିରା ଅଂଚଳରେ ରବି ଚାଷ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ପଦ୍ମପୁର ଉପଖଣ୍ଡରେ ଧାନ ବିକ୍ରି ସଂପୂର୍ଣ୍ଣ ବାଟବଣା ହୋଇଛି। ଏହି ଉପଖଣ୍ଡରେ ୧୪ ଲକ୍ଷ ପ୍ୟାକେଟ ଧାନ ବିକ୍ରି ହୋଇ ନହୋଇ ଖୋଲା ଆକାଶ ତଳେ ପଡ଼ିଛି। ଏଥିରୁ ପଦ୍ମପୁର ମଣ୍ଡି ବି ବାଦ୍‌ ପଡ଼ିନାହିଁ। ଏଠାରେ ଲକ୍ଷେ ପ୍ୟାକେଟ୍‌ ଧାନ ପଡ଼ିଥିବାବେଳେ ଚାଷୀଙ୍କ ଟୋକନ୍‌ ଅବଧି ଶେଷ ହୋଇଛି। ଜିଲ୍ଲାକୁ ତିନୋଟି ପର୍ଯ୍ୟାୟରେ ୬୭,୫୪,୪୧୧ କ୍ବିଣ୍ଟାଲ ଧାନ କିିଣିବାକୁ ଟାର୍ଗେଟ ମିଳିଛି। ବର୍ତମାନ ଯାଏ ଜିଲ୍ଲାରେ ୬୬,୭୬,୬୬୫ କ୍ବିଣ୍ଟାଲ ଧାନ କିଣା ଯାଇଛି। ଯଦି ଗତବର୍ଷର ପରିସଂଖ୍ୟାନକୁ ହିସାବ କରାଯାଏ, ତେବେ ଏଥର ବେଶି ଧାନ କିଣା ସରିଲାଣି। ଗତବର୍ଷ ୧ଲକ୍ଷ ୪ହଜାର ଚାଷୀଙ୍କ ୬୩ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇଥିଲା। ହେଲେ ଏଥର ଜିଲ୍ଲାରେ ୧.୩୩ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି।

କିନ୍ତୁ ବର୍ତମାନ ଯାଏ ୧,୦୯,୮୮୨ ଜଣ ଚାଷୀ ହିଁ ଧାନ ବିକ୍ରି କରି ସାରିଛନ୍ତି। ଅର୍ଥାତ ଆହୁରି ୨୩ ହଜାର ଚାଷୀ ଧାନ ବିକି ନାହାନ୍ତି। ଏମାନଙ୍କ ଅଧିକାଂଶ ପଦ୍ମପୁର ଆର୍‌ଏମ୍‌ସି ଅଧିନରେ ରହିଛନ୍ତି। ଏବେ କ୍ରୟକେନ୍ଦ୍ର ଗୁଡ଼ିକ ବନ୍ଦ ହୋଇସାରିଛି। ବାହାର ଜିଲ୍ଲାରୁ ଧାନ ଉଠାଇବାକୁ ମିଲର୍ସମାନେ ପ୍ରସ୍ତୁତ ହେଲେଣି। ଏଥର ୧୧୨ଜଣ ମିଲର୍ସ ଖରିଫ୍‌ ଧାନ କିଣାରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ଜଣଙ୍କୁ ବାହାର ଜିଲ୍ଲା ଯଥା ଜଗତସିଂହପୁର, ବୌଦ୍ଧ, ସୋନପୁର, ନୂଆପଡ଼ାର ଧାନ କିଣିବାକୁ ଅନୁମତି ଦିଆଯାଇଛି। ଗୋଟିଏ ପଟେ ସ୍ଥାନୀୟ ମିଲର୍ସଙ୍କୁ ଟ୍ୟାଗ୍‌ ଦିଆଯାଉନାହିଁ ବୋଲି ବିଭାଗ କହୁଛି। କିନ୍ତୁ ବାହାର ଜିଲ୍ଲାରୁ ଧାନ ଉଠାଇବାକୁ ଅନୁମତି ଦେବା, ଚାଷୀମାନେ ସହଜରେ ହଜମ କରି ପାରୁନାହାନ୍ତି। ପ୍ରତିବର୍ଷ ଜିଲ୍ଲାରେ ଏହି ସମସ୍ୟା ଥିବାବେଳେ ଏହାର ପ୍ରଶମନ ପାଇଁ ସେଭଳି କିଛି ଠୋସ୍‌ ପଦକ୍ଷେପ ହେଉନାହିଁ। ଯଦ୍ବାରା ଚାଷୀ ବାରମ୍ବାର ଷଡ଼ଯନ୍ତ୍ରର ଶିକାର ହେବା ସ୍ବାଭାବିକ।

ସମ୍ବନ୍ଧିତ ଖବର