କରୋନା କାହାଣୀ: ବାଜୁନି ବାଜା, ଦୁର୍ଦ୍ଦିନରେ ପରିବାର

ଆଳି: ବିବାହ, ବ୍ରତ, ଉତ୍ସବାନୁଷ୍ଠାନ ଶୋଭାଯାତ୍ରାରେ ଲୋଡା ପଡେ ସେମାନଙ୍କୁ। ଢୋଲ, ଭେରୀତୂରୀ ନେଇ ସେମାନେ ହାଜର ହୋଇଯା’ନ୍ତି। କେତେବେଳେ ଖରା, କାକରରେ ତ’ କେତେବେଳେ ରାତି ଉଜାଗର ହୋଇ ସେମାନେ ବାଜା, ତୂରୀ ବଜାନ୍ତି। ଅନ୍ୟମାନଙ୍କର ମନୋରଞ୍ଜନ କରନ୍ତି। ଏସବୁ ବଦଳରେ ସେମାନେ ପାରିଶ୍ରମିକ ପା’ନ୍ତି। କୁଟୁମ୍ବ ପୋଷନ୍ତି। ଏମାନେ ବାଜାବାଲା ଭାବେ ସାଧାରଣରେ ପରିଚିତ। ଏହି ବୃତ୍ତିରେ ବ୍ରତୀ ଥିବା ଆଳି ବ୍ଲକ ନମୌଜା ଅଞ୍ଚଳର ଶରତ ଜେନା, ବାସୁଦେବ ଜେନା, ବସନ୍ତ ଜେନା ନବକିଶୋର ଜେନା, ସୁବାସ ଜେନା, ଶିବ ଜେନା ଓ ବିଜୟଜେନା ପ୍ରମୁଖଙ୍କ ଜୀବିକା ଉଜାଡ଼ି ଦେଇଛି କରୋନା। କରୋନା ପ୍ରଥମ ଲହରରୁ ଏଯାବତ ଦୁଇ ବର୍ଷ ହୋଇଗଲା ଏମାନଙ୍କ ଜୀବିକା ଉପରେ ପଡିଛି ଚଡକ।

କଟକଣା କାରଣରୁ ବିବାହ, ବ୍ରତ, ଶୋଭାଯାତ୍ରା, ଉତ୍ସବାନୁଷ୍ଠାନରେ କଟକଣା ଲାଗିବା ଏମାନଙ୍କ ପାଇଁ କାଳ ହୋଇଛି। ଏମାନେ ଏବେ ହାତବାନ୍ଧି ବସିଛନ୍ତି। କାମ ନାହିଁ କି ରୋଜଗାର ନାହିଁ। ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇ ପଡୁଛି। ପିଲାଙ୍କ ପାଠପଢା, ରୋଗବ୍ୟାଧି ସହିତ ନିତିଦିନିଆ ତେଲ ଲୁଣ ସଂସାର ଚଳାଇବାରେ ଏମାନେ ନୟାନ୍ତ ହୋଇପଡିଲେଣି ବୋଲି କ୍ଷୋଭର ସହିତ କହିଛନ୍ତି ଏହି ଦଳିତବର୍ଗର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବାଦ୍ୟବାଦକମାନେ। କେହି ଏମାନଙ୍କୁ ଧାରକରଜ ଦେବାକୁ ବି ନାରାଜ। ଏମିତି ଦୁର୍ଦ୍ଦିନରେ ସରକାର ସେମାନଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି ସେମାନେ।

ପ୍ରଥମ ଲହର ଥମି ଆସୁଥିଲା। ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ମହାମାରୀର ଦ୍ବିତୀୟ ଲହର ମାଡ଼ି ଆସିଲା ବିଭୀଷିକା ସାଜି। ପୁଣି ତଳିତଳାନ୍ତ କରିଦେଲା ଗରିବ, ମଧ୍ୟବିତ୍ତଙ୍କୁ। ଭାତହାଣ୍ଡି ଉଜାଡ଼ିଦେଲା। ଛଡ଼ାଇ ନେଲା ଜୀବନ, ଜୀବିକା ବି। ସବୁଠି ପୀଡ଼ା, ବେଦନା, କଷଣ ଆଉ ଯନ୍ତ୍ରଣାର ଛାପ। ଆପଣାର ମଣିଷକୁ ହରାଇ କାହା ଛାତିରେ କୋହ ତ ଦାନା ଗଣ୍ଡେ ପାଇଁ ଆଉ କୋଉଠି ଅହରହ ସଂଘର୍ଷ।

ସମ୍ବନ୍ଧିତ ଖବର